କଣିହାଁ,୧୯/୦୫(ଜ୍ୟୋତିରଞ୍ଜନ ଧର, କଣିହାଁ): ଅନୁଗୁଳ ଜିଲ୍ଲା କଣିହାଁରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଯୁବତୀଙ୍କୁ ଅପହରଣ, ଦୁଷ୍କର୍ମ ଓ ବୀଭତ୍ସ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବିରେ ସୋମବାର କଣିହାଁ ଓ ଏନଟିପିସି ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଅଖିଳ ଭାରତୀୟ ପରିଷଦର ରାଜ୍ୟ ସଭାପତି ଏଲ.ମାଣିକ୍ୟପ୍ରଭାଙ୍କ ଏହାର ନେତୃତ୍ୱ ନେଇଛନ୍ତି । ଷ୍ଟ୍ରାଇକ୍ ବେଳେ କଣିହାଁ ଅଞ୍ଚଳର ସମସ୍ତ କଳକାରଖାନା ଓ ସରକାରୀ ଅଫିସ ବନ୍ଦ କରାଯାଇଛି । କେବଳ ଜରୁରୀକାଳୀନ ସେବା ଖୋଲା ରହିଛି ।
ସୋମବାର ସକାଳ ୬ଟାରୁ ଏନଟିପିସି ଓ କଣିହାଁର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହିତ ବିଭିନ୍ନ ଛକରେ ପିକେଟିଂ କରାଯାଇଥିଲା । ବି.ଆର ଆମ୍ବେଦକର ସ୍ମୃତି ପରିଷଦ କଣିହାଁ ସଭାପତି ବିପ୍ରବର ନାଏକ, ସମ୍ପାଦକ କୁମୁନ୍ଦବାନ୍ଧବ ନାଏକ, କଣିହାଁ ସୁରକ୍ଷା ମଞ୍ଚ କଣିହାଁ ସଭାପତି ବିକାଶ କୁମାର ପ୍ରଧାନ, ସମ୍ପାଦକ ସତ୍ୟବ୍ରତ ମହାନ୍ତି, ମହିଳା ସାଂସ୍କୃତିକ ସଙ୍ଗଠନ ବ୍ଲକ୍ ସମ୍ପାଦିକା ମିନତୀ ସମାଲ ପ୍ରମୁଖଙ୍କ ମିଳିତ ସହଯୋଗରେ ଏହି ବନ୍ଦ ପାଳନ କରାଯାଇଛି । କଣିହାଁ ଖୋଲାମୁହଁ କୋଇଲା ଖଣି, ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ, ଏନଟିପିସି ପ୍ରକଳ୍ପ ଆଦିରେ ଆନ୍ଦୋଳନର ପ୍ରଭାବ ବେଶ୍ ଦେଖିବାକୁ ମିଳିଛି । କଣିହାଁ ତହସିଲ, ବ୍ଲକ୍ ଅଫିସ, ରାଜସ୍ୱ କାର୍ଯ୍ୟାଳୟ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି । ଏହି ପ୍ରତିବାଦ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପରିସଂଘର ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ଏଲ. ମାଣିକ୍ୟପ୍ରଭା ।