ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ନୂଆଁଖାଇରେ ଭାଇଚାରାର ନିଦର୍ଶନ; ଏକାଠି ହୋଇ ନୂଆ ଖାଇଲେ ଗୋଟିଏ ପରିବାରର ୧୪୦ ସଦସ୍ୟ

Published By : Harapriya Sethi | August 28, 2025 2:20 PM

କେସିଙ୍ଗା,୨୮/୦୮: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ସାରା ପଶ୍ଚିମ ଓଡ଼ିଶା ଆଜି ଉତ୍ସବମୁଖର। ପିଠା ମିଠାରେ ମହକୁଛି ଘର ଦ୍ବାରା । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାପରେ ନୂଆ ଖାଇଛନ୍ତି ସମସ୍ତେ । କଳାହାଣ୍ଡିରେ ଜିଲ୍ଲାରେ ନୂଆଁଖାଇର ଭିନ୍ନତା ରହିଛି। କୌଣସି ଏକ ନିର୍ଦ୍ଦିଷ୍ଟ ତିଥିରେ ବା ଗୋଟିଏ ଦିନରେ ସମଗ୍ର ଜିଲ୍ଲାରେ ନୂଆଁଖାଇ ପାଳିତ ହୋଇନଥାଏ। ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ତିଥିରେ ପାଞ୍ଚଟି ପର୍ଯ୍ୟାୟରେ କଳାହାଣ୍ଡିରେ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପଥର୍ଲା, ବାହାଦୁରପଦର ଓ କେସିଙ୍ଗା ଏନ୍ଏସି ଅନ୍ତର୍ଗତ ପଲକାପଡା ଲୋକେ ପ୍ରଥମ ପର୍ଯ୍ୟାୟରେ ଭାଦ୍ରବ ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥିରେ । ଦ୍ବିତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା,  ଜୁନାଗଡ଼, କଲମପୁର, ଧର୍ମଗଡ, କୋକସରା ଓ ଗୋଲାମୁଣ୍ଡା ବ୍ଲକରେ ନୂଆଁଖାଇ ପାଳିତ ହୋଇଥାଏ । 

ଏହି ପରିପ୍ରେକ୍ଷୀରେ ଗୁରୁବାର ଅର୍ଥାତ୍ ଭାଦ୍ରବ ମାସ ପଞ୍ଚମୀ ତିଥିରେ କେସିଙ୍ଗା ବ୍ଲକ ଅଞ୍ଚଳର ଗାଁ ମାନଙ୍କରେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସ ମଧ୍ୟରେ ନୂଆଁଖାଇ ପର୍ବ ପାଳିଛନ୍ତି । ପ୍ରଥମେ ଗ୍ରାମର ଦେବାଦେବୀ ଓ ଘରର ଇଷ୍ଟଦେବତାଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ପରେ ପିତୃପୁରୁଷମାନଙ୍କୁ ନୂଆ ଚାଉଳରେ ଅନ୍ନ ପ୍ରସ୍ତୁତ କରାଯାଇ ଅର୍ପଣ କରାଯାଇଥିଲା । ଏହା ପରେ ସମସ୍ତେ ନୂଆଁଖାଇ ଥିଲେ । ସେହିପରି ନୂଆ ଖାଇବା ପୂର୍ବରୁ କେସିଙ୍ଗା ବ୍ଲକର ବିଭିନ୍ନ ଗାଁରେ ଥିବା ଧରଣୀ ପୀଠରେ ମଧ୍ୟ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ନବାନ୍ନ ଭୋଗ ଲାଗି କରାଯାଇଥିଲା। ପରେ ଗାଁ ଲୋକେ ନିଜ ନିଜ ଘରେ ପରିବାରର ସମସ୍ତେ ଏକାଠି ବସି ନୂଆଁଖାଇ ଥିଲେ । କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ ସମସ୍ତଙ୍କ ଘରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆଁଖାଇ ପର୍ବ ପାଳନ ହୋଇଥିଲା। 

କୃଷି ଭିତ୍ତିକ ଗଣପର୍ବ  ନୂଆଁଖାଇ ଭାଇଚାରାର ବାର୍ତ୍ତା ଦେଇ ବାଲସି ଗାଁର ଉପରପଡା ମୁହୁନୀ ବଂଶର ସ୍ବର୍ଗତ ବାମଦେବ ସାହୁ ଏବଂ ସ୍ବର୍ଗତ ବାନ୍ଧବ ସାହୁଙ୍କ ପରିବାରର ୧୪୦ଜଣ ସଦସ୍ୟ ଏକାଠି ହୋଇଛନ୍ତି ।  ଗୋଟିଏ ସ୍ଥାନରେ ବସି ନୂଆ ଖାଇଛନ୍ତି । ନୂଆ ଖାଇବା ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଫଟୋରେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ପ୍ରଥମ ଭୋଗ ପରେ ପ୍ରଥା ଅନୁସାରେ କୁରେଇ ପତ୍ରରେ ନୂଆ ଧାନରେ ତିଆରି ଚୁଡ଼ାକୁ ପ୍ରସାଦ ରୂପେ ଗ୍ରହଣ କରିଥିଲେ ।  ନୂଆଁଖାଇ ସାରିବା ପରେ ଛୋଟ ମାନେ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। 

କହିରଖୁ କି, ସ୍ବର୍ଗତ ରାଜକୁମାର ସାହୁଙ୍କ ଦୁଇ ପୁଅ ସ୍ବର୍ଗତ ବାମଦେବ ସାହୁ ଓ ବାନ୍ଧବ ସାହୁ । ସ୍ବର୍ଗତ ବାମଦେବ ସାହୁଙ୍କ ଚାରି ପୁଅ ଓ ବାନ୍ଧବ ସାହୁଙ୍କ ଗୋଟିଏ ପୁଅର ସମସ୍ତ ପରିବାରର ୧୪୦ ଜଣ ଏକାଠି ହୋଇ ଗୋଟିଏ ଘରେ ବସି ନୂଆଁଖାଇଛନ୍ତି । ଯାହା ବାଲସି ଗାଁ ପାଇଁ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ।‌ ସ୍ବର୍ଗତ ବାମଦେବ ସାହୁଙ୍କ ସୁପୁତ୍ର ତ୍ରାହିକର ସାହୁ ଓ ଖିରସିନ୍ଦୁ ସାହୁ ଏବଂ ସ୍ବର୍ଗତ ବାନ୍ଧବ ସାହୁଙ୍କ ସୁପୁତ୍ର ମନୋହର ସାହୁ ବର୍ତ୍ତମାନ ପରିବାରର ବୟୋଜ୍ୟେଷ୍ଠ ହିସାବରେ ରହିଛନ୍ତି । ପରିବାରର ଭାଇ ଭାଇ ଭିତରେ ସୁସଂପର୍କ ରକ୍ଷା କରିବା ସହ ପରିବାର ମଧ୍ୟରେ ଏକତା ରକ୍ଷା କରିବା ସକାଶେ ନୂଆଁଖାଇରେ ଏକାଠି ହୋଇଛୁ ବୋଲି ପରିବାରର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସମିତି ସଭ୍ୟ ଫକିର ସାହୁ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.