ପ୍ରମୂଖ ଖବର
  • ଟାଙ୍ଗି: ବୋମାମାଡ କରି ଛଣଗିରି ଗ୍ରାମରେ ଥିବା ସୁନା ଦୋକାନରୁ ଲୁଟ୍
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

କଳାହାଣ୍ଡି ପଥର୍ଲାବାସୀଙ୍କ ନୂଆଁଖାଇ,ଗୌନ୍ତିଆ ଏବଂ ଝାଙ୍କର ଗାଁ ଦେବାଦେବୀଙ୍କୁ କଲେ ବରଣ

Published By : Anindita Ratha | August 24, 2025 8:46 AM

କେସିଙ୍ଗା,୨୪|୮:ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଁଖାଇ ବେଶ ଆଡ଼ମ୍ବର ଭାବେ ପାଳନ କରାଯାଇଥାଏ। ହେଲେ କଳାହାଣ୍ଡି ଜିଲ୍ଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା,ବାହାଦୁରପଦର ଓ କେସିଙ୍ଗା ଏନ୍ଏସି ଅନ୍ତର୍ଗତ ପଲକାପଡା ଗ୍ରାମବାସୀ ପ୍ରତି ବର୍ଷ ପୂର୍ବରୁ ଚାଲିଆସୁଥିବା ପରମ୍ପରା ଅନୁଯାୟୀ ପ୍ରଥମେ ନୂଆଁଖାଇ ପାଳନ କରିଥାନ୍ତି । ଚାରିଆଡ଼େ କେବଳ ଗୋଟିଏ ଦିନ ନୂଆଁଖାଇ ହୋଇଥାଏ । କିନ୍ତୁ କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ । ଉତ୍ସବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ନୂଆଁଖାଇ ।

ପ୍ରତିବର୍ଷ ସପ୍ତପୁରୀ ଅମାବାସ୍ୟାର ପ୍ରତିପଦା ତିଥିରେ ପଥର୍ଲା, ବାହାଦୁରପଦର ଓ ପଲକାପଡା ଗ୍ରାମବାସୀ ନୂଆଁଖାଇ ପର୍ବ ପାଳନ କରିଥାନ୍ତି । ଏହି ଉପଲକ୍ଷେ ଚଳିତ ବର୍ଷ ଆଜି ସେହି ତିଥି ପଡୁଥିବାରୁ ପଥର୍ଲା,ବାହାଦୁରପଦର ଓ ପଲକାପଡା ଗ୍ରାମର ଲୋକେ ନୂଆଁ ଖାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ପଥର୍ଲାବାସୀ ନିଜ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ପ୍ରଥମେ ନୂଆଁଖାଇ ପାଳନ କରିଆସୁଛନ୍ତି । ନୂଆଁଖାଇବା ପୂର୍ବରୁ ପ୍ରଥମେ ଘର ଗୁଡିକ ଲିପାପୋଛା କରିବା ସହ ସମସ୍ତ ଆସବାବପତ୍ର ଧୁଆଧୋଇ କରିବା ପରେ ନୂଆଁ ଖାଇଥାଆନ୍ତି । ନୂଆଁଖାଇ ପାଳନ ଅବସରରେ ସମସ୍ତ ଦରକାରୀ ଜିନିଷପତ୍ର ସହ ପୂଜା ସାମଗ୍ରୀ ଓ ନୂଆ ଧାନ, ଚୁଡା ପୂର୍ବରୁ ସଂଗ୍ରହ କରିଥାନ୍ତି ।

ନୂଆଁଖାଇ ପାଇଁ ଗ୍ରାମର ଦେବାଦେବୀ ଯଥା ଡଙ୍ଗର, ବୁଢାରଜା, କାଳିସୁନ୍ଦରୀ, ଖମ୍ବେଶ୍ୱରୀ, ଭୀମା, ରପାଙ୍ଗ ପ୍ରଭୃତିଙ୍କୁ ଧୂପଦୀପ ସିନ୍ଦୁର,ବେଲପତ୍ର,ମନ୍ଦାରଫୁଲ ଆଦି ଦେଇ ଶନିବାର ଦିନ ବରଣ କରାଯାଇଥିଲା । ପଥର୍ଲା ଗ୍ରାମରେ ଗାଁ ର ଗୈ।ନ୍ତିଆ ହିମାଂଶୁ ଶେଖର ମାଝୀଙ୍କ କାକା ଶରତ ଚନ୍ଦ୍ର ମାଝୀ ଏବଂ ବାହାଦୂରପଦର ଗ୍ରାମରେ ଝାଙ୍କର ଧନି ମାଝୀ ଗ୍ରାମର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରି  ବରଣ କରିଥିଲେ । ଗତକାଲି ସନ୍ଧ୍ୟାରେ ଗ୍ରାମର ସମସ୍ତଙ୍କ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ ଆବାହନ କରିଛନ୍ତି ଓ ଲଗ୍ନ ସମୟାନୁସାରେ ଆଜି ପଥର୍ଲାବାସୀ ନୂଆଁଖାଇବେ ବୋଲି ଜଣାପଡିଛି। ନୂଆଁଖାଇ ସାରିବା ପରେ ଗାଁରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ଜଣାପଡିଛି । 

କିମ୍ବଦନ୍ତୀ ଅନୁଯାୟୀ, କଳାହାଣ୍ଡିର ନାଗବଂଶ ରାଜା ତୀର୍ଥରେ ଯିବା ପରେ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ ଗଙ୍ଗ ବଂଶୀୟ ରାଜାମାନେ ସିଂହାସନ ଅକ୍ତିଆର କରିଥିଲେ । ତୀର୍ଥ ସ୍ଥାନରୁ ରାଜା ପ୍ରତ୍ୟାବର୍ତ୍ତନ କରିବା ସମୟରେ ଉଭୟପକ୍ଷ ମଧ୍ୟରେ ଯୁଦ୍ଧ ହୋଇଥିଲା । ଉକ୍ତ ଯୁଦ୍ଧରେ ପଥର୍ଲା ଗୌନ୍ତିଆ ନାଗ ବଂଶ ସପକ୍ଷରେ ଯୁଦ୍ଧ କରିଥିଲେ । ଏହି ଯୁଦ୍ଧରେ ନାଗ ବଂଶ ରାଜା ବିଜୟୀ ହୋଇଥିଲେ । ଯୁଦ୍ଧରେ ପଥର୍ଲା ଗୌନ୍ତିଆ ଙ୍କ ପରାକ୍ରମ ସାହାସିକତା ଦେଖି ରାଜା ଖୁସି ହୋଇଥିଲେ । ଗ୍ରାମ୍ୟ ଦେବାଦେବୀଙ୍କ କୃପାରୁ ବିଜୟୀ ହୋଇଥିବା ପ୍ରକାଶ କରିଥିଲେ ରାଜା । ଏହାପରେ ପଥର୍ଲା ଗ୍ରାମଦେବାଦେବୀଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ମହାରାଜ ପଥର୍ଲା ଗୌନ୍ତିଆଙ୍କୁ ସମସ୍ତଙ୍କ ଠାରୁ ଆଗୁଆ ନୂଆଁଖାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ । ସେହି ଦିନ ଠାରୁ ପଥର୍ଲା,ବାହାଦୂରପଦର ଓ ପଳକାପଡାବାସୀ ପଶ୍ଚିମ ଓଡିଶାର ପ୍ରଥମ ଗାଁ ଭାବରେ ନୂଆଁଖାଇ ପାଳନ କରିବାର ପରମ୍ପରା ରହିଛି ।








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.