ସମ୍ବଲପୁର,୨୮/୦୮: ମହାର୍ଘ୍ୟ ମୁହୂର୍ତ୍ତକୁ ମାତ୍ର କେଇ ଘଣ୍ଟା ବାକି । ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିବା ପରେ ଘର ଉଠୁଛି ଆଉ ପଡୁଛି । ପିଠାପଣାର ଆସରରେ ଘର ଅଗଣା ମହକି ଉଠିଛି । ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଶେଷ ହୋଇଛି । ହେଲେ ଅଣ ଜଳସେଚିତ ଅଞ୍ଚଳରେ ବର୍ଷା ଅନିୟମିତତା ଯୋଗୁଁ ଚାଷୀ ମନରେ ସେଭଳି ସରାଗ ଦେଖିବାକୁ ମିଳୁନାହିଁ । ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ ଭରି ମାଟିର ପର୍ବକୁ ପାଳନ କରିବାକୁ ଅଣ୍ଟା ଭିଡିଛି ଚାଷୀ ।
ଗୁରୁବାର ପବିତ୍ର ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା ଏବର୍ଷ ତୁଳା ଲଗ୍ନ, ମକର ନବାଂଶରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ଲାଗି ହେବ ନବାନ୍ନ । ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଅର୍ପଣ କରାଯିବ । ଏହାପରେ ପାଶ୍ୱର୍ଦେବା ଦେବୀଙ୍କୁ ନବାନ୍ନ ଲାଗି ହେବ । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଖାଇବେ । ନବାନ୍ନ ପ୍ରସ୍ତୁତି ନିମନ୍ତେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ୫ଦିନ ତଳୁ ନୂଆଁ ସରିଆ ଧାନ ପହଞ୍ଚି ସାରିଛି । ଧାର୍ଯ୍ୟ ଲଗ୍ନରେ ନବାନ୍ନ ଲାଗି ନିମନ୍ତେ ପୀଠରେ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି । ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ ଆସି ପହଞ୍ଚି ସାରିଛନ୍ତି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି ।
ଅନ୍ୟପଟେ, ଏଥର ବି ଖରିଫ ଚାଷକୁ ପ୍ରକୃତି ଦାଉ ସାଧିଛି । ବିଶେଷ କରି ଅଣଜଳସେଚିତ ଅଞ୍ଚଳରେ ଏବର୍ଷ ବର୍ଷା ଅନିୟମିତତା ଚାଷୀ ମନରୁ ସରାଗ ଛଡ଼ାଇ ନେଇଛି । ସମ୍ପୃକ୍ତ ଅଞ୍ଚଳରେ ଖରିଫ ଚାଷ ଅନିଶ୍ଚିତତା ଦେଇ ଗତି କରୁଛି। ଅଭାବୀ ବର୍ଷା, ସାର କଳାବଜାର ଏବଂ ଚାଷୀ ପଞ୍ଜିକରଣ ନେଇ ଚାଷୀ ଯୁଝୁଛି । ତଥାପି ବିଧିରକ୍ଷା ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ କରି ମାଟି ମା’ର ପୂଜା ପାଇଁ ଚାଷୀ ପୁଅ ଲାଗି ପଡ଼ିଛି ।