ଓ୍ବାଶିଂଟନ୍,୧୯।୧୨: ସୂର୍ଯ୍ୟ ସକଳ ଶକ୍ତିର ଆଧାର। ହେଲେ ଆଜି ଦୁନିଆର ବହୁ ଦେଶ ‘ନକଲି ସୂର୍ଯ୍ୟ’ ତିଆରି କରିବାରେ ଲାଗିଛନ୍ତି। ଯଦି ସବୁକିଛି ସଠିକ୍ ଯୋଜନା ଅନୁସାରେ ହୁଏ ତେବେ ଆଗାମୀ ଦିନରେ ଏଥିରୁ ହୋଇପାରିବ ବିଦ୍ୟୁତ ଉତ୍ପାଦନ। ଭର୍ଜିନିଆ ୨୦୩୦ର ପ୍ରାରମ୍ଭିକ ଦଶକ ପର୍ଯ୍ୟନ୍ତ ଦୁନିଆର ପ୍ରଥମ ଗ୍ରୀଡ୍-ସ୍କେଲ ନ୍ୟୁକ୍ଲିୟର ଫ୍ୟୁଜନ ପାଓ୍ବାର ପ୍ଲାଣ୍ଟ ସ୍ଥାପିତ କରିବ। ଏହି ୟୁନିଟ୍ ଭବିଷ୍ୟତର ସ୍ବଚ୍ଛ ଶକ୍ତିକୁ ଉପଯୋଗରେ ଆଣି ବିଜୁଳି ଉତ୍ପାଦନ କରିବ। ମଙ୍ଗଳବାର ଷ୍ଟାର୍ଟଅପ୍ କମନଓ୍ବେଲଥ୍ ଫ୍ୟୁଜନ ସିଷ୍ଟମ(ସିଏଫ୍ଏସ୍) ଏହାର ଘୋଷଣା କରିଛି। ସିଏଫ୍ଏସ୍ ସବୁଠାରୁ ବଡ ଓ ସବୁଠାରୁ ଚର୍ଚ୍ଚିତ ନ୍ୟୁକ୍ଲିୟର ଫ୍ୟୁଜନ କମ୍ପାନୀ ଭିତରୁ ଅନ୍ୟତମ। ଏହା ଏକ ଫାସିଲିଟି ତଆରି କରିବାରେ ବିଲିୟନ ଡଲାର ନିବେଶ କରିବ।

ଏହା ଚାଲୁ ହେବାପରେ ପ୍ଲାଣ୍ଟ ଗ୍ରୀଡ୍ ସହ ଯୋଡିବାରେ ସକ୍ଷମ ହେବ ଓ ୪୦୦ ମେଗାଓ୍ବାଟର ଉତ୍ପାଦନ କରିବ। କମ୍ପାନୀର ସିଇଓ ବବ୍ ମୁମଗାର୍ଡଙ୍କ କହିବା ଅନୁସାରେ, ଏହା ପ୍ରାୟ ୧୫୦,୦୦୦ ଘରକୁ ବିଜୁଳି ଦେବାକୁ ପର୍ଯ୍ୟାପ୍ତ। ସେ କହିଛନ୍ତି, ଏହା ପ୍ରଥମ ଥର ହେବ ଯେତେବେଳେ ଦୁନିଆରେ ଗ୍ରୀଡ୍ ପରିମାଣରେ ଫ୍ୟୁଜନ ପାଓ୍ବାର ଉପଲବ୍ଧ କରାଯିବ।’

ଭର୍ଜିନିଆର ଗଭର୍ଣ୍ଣର ଗ୍ଲେନ୍ ୟଙ୍ଗକିନ୍ ଘୋଷଣାର ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଏହା ପୁରା ବିଶ୍ବ ପାଇଁ ଐତିହାସିକ କ୍ଷଣ।ଫ୍ୟୁଜନ୍ ପାଓ୍ବାର ପ୍ରାୟତଃ ଅସୀମିତ, ଏହା ପରିବେଶକୁ ଗରମ କରେ ନାହିଁ ଏବଂ ବର୍ତ୍ତମାନ ବ୍ୟବହୃତ ଫିସନ୍ ଟେକ୍ନୋଲୋଜି ଭଳି ରେଡିଓଆକ୍ଟିଭ୍ ବର୍ଜ୍ୟବସ୍ତୁ ଛାଡିନଥାଏ। ତେବେ ରିସର୍ଚ୍ଚ ପ୍ରୋଜେକ୍ଟରୁ ବାଣିଜ୍ୟିକ ବ୍ୟବହାର ପର୍ଯ୍ୟନ୍ତ ଏହାକୁ ଆଣିବା ଖୁବ୍ ଚ୍ୟାଲେଞ୍ଜିଂ ପ୍ରମାଣିତ ହୋଇଛି। CFS କହିଛି ଯେ ଫ୍ୟୁଜନ୍ ରାତାରାତି ହୁଏ ନାହିଁ । ୨୦୧୮ ରେ MIT ଅଲଗା ହୋଇ ସ୍ଥାପିତ ଏହି ଷ୍ଟାର୍ଟଅପ୍ ଏପର୍ଯ୍ୟନ୍ତ ୨ ବିଲିୟନ ଡଲାରରୁ ଅଧିକ ଅର୍ଥ ଏକତ୍ରିତ କରିଛି। ତାଙ୍କର ଦାବି ଅନୁସାରେ, ଏହା ଦ୍ରୁତ ଗତିରେ ପ୍ରଗତି କରୁଛି।