ମୁମ୍ବାଇ ୨୨/୦୪: ଅପ୍‌କମିଙ୍ଗ ଫିଲ୍ମ ‘ଛୋରୀ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା । ନିକଟରେ ଏକ ପଡ୍‌କାଷ୍ଟ ସାକ୍ଷାତକାରରେ ବଲିଉଡ୍‌ର ପ୍ରିୟାପ୍ରୀତି ପରମ୍ପରା ବିଷୟରେ ସେ ଖୋଲା କଥା ହୋଇଛନ୍ତି । ୟୁଟ୍ୟୁବ୍‌ ପଡ୍‌କାଷ୍ଟ ହୋଷ୍ଟ୍‌ ଶୁଭଙ୍କର ମିଶ୍ରାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ନିଶ୍ଚିତ ଭାବେ ଫାଇଦା ମିଳେ । କାରଣ ଇଣ୍ଡଷ୍ଟ୍ରି ବିଷୟରେ ଓ ଏହାର ଲୋକଙ୍କୁ ସେମାନେ ଜାଣନ୍ତି । ନ ଜାଣିଲେ ମଧ୍ୟ ସେମାନଙ୍କ ମା’ବାପା ଜାଣନ୍ତି । ସେଥିପାଇଁ ସେମାନେ ସେହି ସ୍ଥାନରେ ପହଞ୍ଚିପାରନ୍ତି, ଯେଉଁଠି ନୁସ୍‌ରତ ପହଞ୍ଚି ପାରିବେ ନାହିଁ ।

ଯଦି କୌଣସି ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କୁ ସେ ଭେଟିବାକୁ ଚାହିଁବେ, ତାଙ୍କ ଫୋନ୍‌ ନମ୍ବର କେଉଁଠୁ ପାଇବେ ଏବଂ କାହାକୁ ପଚାରିବେ ବୋଲି ନୁସରତ କହିଛନ୍ତି । ସୋନାକ୍ଷୀ ଓ ଶ୍ରଦ୍ଧା କପୁରଙ୍କ ଭଳି ଷ୍ଟାର୍‌ କିଡ୍‌ଙ୍କୁ ନେଇ ସେ କହିଛନ୍ତି, ସେମାନଙ୍କୁ ନେପୋ କିଡ୍‌ସ କହିବା ଉଚିତ୍‌ ନୁହେଁ । ଏ ଶବ୍ଦ ତାଙ୍କର ପସନ୍ଦ ନୁହେଁ । କାରଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଂଘର୍ଷ କରନ୍ତି । କିନ୍ତୁ କିଛି ମାର୍ଗ ସେମାନଙ୍କ ପାଖରେ ଅଛି, ତାହା ତାଙ୍କ ପାଖରେ ନାହିଁ ବୋଲି ନୁସ୍‌ରତ କହିଛନ୍ତି । ଇଣ୍ଡଷ୍ଟ୍ରିର କିଛି ନିର୍ଦ୍ଦେଶକ ତାଙ୍କ ଯାତ୍ରାରେ ଯୋଡ଼ି ହୋଇଛନ୍ତି, ଯାହାଙ୍କୁ ନୁସ୍‌ରତ ନିଜ ପରିବାର ଭଳି ଦେଖନ୍ତି । ବିଶାଲ ଫୁରିୟାଙ୍କ ‘ଛୋରୀ-୨’ ଓଟିଟିରେ ମୁକ୍ତିଲାଭ କରିଛି ।