ଜଗତସିଂହପୁର, ୨୩/୦୩: କିଛି ଦିନର  ହଟଚମଟ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।  ଏବଂ ସ୍ଥାନୀୟ ମାର୍କଣ୍ଡପୁର ଅଞ୍ଚଳର ଏକ  ପରିବାର ବୋହୂ ରୂପରେ ଜଣେ ଯୁବତୀଙ୍କୁ  ଗ୍ରହଣ କରି ନେଇଛନ୍ତି । ଜଗତସିଂହପୁର  ପୁଲିସ ଉପସ୍ଥିତିରେ ଏବଂ ତେରିମେରି  କାହାନୀ ସ୍ୱେଚ୍ଛାସେବୀ ସଂସ୍ଥାର ହସ୍ତକ୍ଷେପ  ପରେ ବିବାଦର ସମାଧାନ ହୋଇଛି ।  

ଗତ ଜାନୁଆରୀ ମାସରେ ଜଗତସିଂହପୁର  ଥାନାରେ ଫେରାଦ ହୋଇଥିଲେ କେନ୍ଦୁଝର  ଜିଲ୍ଲା ବ୍ରାହ୍ମଣୀପାଳ ଅଞ୍ଚଳର ଜଣେ ଯୁବତୀ ।  ଅଭିଯୋଗ ଥିଲା, ମାର୍କଣ୍ଡପୁର ଅଞ୍ଚଳର  ଜଣେ ଓଏଏସ୍‌ ଅଫିସର ଗତ କିଛି ବର୍ଷ  ତଳେ ତାଙ୍କୁ ବିବାହ କରିଥିଲେ । ଉଭୟ  ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ  ଆବଦ୍ଧ ହୋଇଥିଲେ । ବିବାହ ସମୟରେ  ଅବଶ୍ୟ ଏହି ଯୁବକ ଓଏଏସ୍‌ ପାଇନଥିଲେ ।  କିନ୍ତୁ ସଂପୃକ୍ତ ଯୁବକ ତାଙ୍କ ସହ ଶାରୀରିକ  ସଂପର୍କ ରଖିଥିଲେ । ତିନି ଥର ବଳପୂର୍ବକ  ଗର୍ଭ ନଷ୍ଟ କରିଛନ୍ତି । ବିବାହ କରିବା ସତ୍ତେ୍ୱ  ଏବଂ ଓଏଏସ୍‌ ଅଫିସର ହେବା ପରେ  ନିଜର ଘରେ ପୂରାଉ ନାହାଁନ୍ତି । ଏଣେ  ବିବାହ କରିଥିବା ଜଣାପଡ଼ିବା ପରେ  ଉଭୟ ପରିବାର ଶାନ୍ତିରେ ରଖାଇ ଦେଉ  ନାହାନ୍ତି । ଏମିତିକି ବାପା ଓ ସାବତ ମା’  ମୋର ଶାଶୂ, ଶ୍ୱଶୁରଙ୍କଠାରୁ କିଛି ଟଙ୍କା  ନେଇଛନ୍ତି । ସାବତ ମା’ ମଧ୍ୟ ମାରଧର  କରନ୍ତି ବୋଲି ଜଗତସିଂହପୁର ଥାନାକୁ  ଲିଖିତ ଭାବେ ଜଣାଇଥିଲେ ସଂପୃକ୍ତା  ୨୨ ବର୍ଷୀୟା ଅଭିଯୋଗକାରିଣୀ । 

ଶନିବାର ନ୍ୟାୟ ନିମନ୍ତେ ପୀଡ଼ିତା ଯୁବତୀ  ଜଗତସିଂହପୁର ଥାନାରେ ପହଞ୍ଚିଥିଲେ ।  ପୁଲିସ ଯୁବତୀଙ୍କ ଦାବି ଅନୁସାରେ  ତାଙ୍କ ଶାଶୁ, ଶ୍ୱଶୁର ଓ ବନ୍ଧୁ ପରିଜନଙ୍କୁ  ଡକାଇଥିଲେ । ଶେଷରେ ଉକ୍ତ ଘଟଣାର  ସମାଧାନ ହୋଇଥିଲା । ଏବଂ ଓଏଏସ୍‌  ଚାକିରି ପାଇ ଅନ୍ୟ ଜିଲ୍ଲାରେ ପୁଅ  ତାଲିମରେ ଥିବାରୁ ବର୍ତ୍ତମାନ ସମୟରେ  ଯୁବତୀ ତଥା ବୋହୂ ମାର୍କଣ୍ଡପୁର ଘରେ ରହିବାକୁ ନିଷ୍ପତ୍ତି ହୋଇଥିଲା । 

ପୁଲିସ  ସୂଚନା ମୁତାବକ, ଯୁବତୀଙ୍କ ଦାବି ରହିଥିଲା ଶାଶୁ, ଶ୍ୱଶୁର ତାଙ୍କ ବୋହୂ ଭାବେ ଗ୍ରହଣ  କରିନିଅନ୍ତୁ । ଏହା ପୂର୍ବରୁ ମଧ୍ୟ ଯୁବତୀ ଜଣଙ୍କ ଜଗତସିଂହପୁର ଥାନାରେ ମୌଖିକ  ଅଭିଯୋଗ ଆଣିଥିଲେ । ସେତେବେଳେ ଉଭୟ ପକ୍ଷଙ୍କ ଭିତରେ ଆପୋଷ ସମାଧାନ ହୋଇଥିଲା । ପରେ ଯୁବତୀ ଯାଜପୁର  ଜିଲ୍ଲାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହାକି ବିଚାରଧିନ ରହିଛି । ଏବଂ ଗତ  ଜାନୁଆରୀ ମାସରେ ପୁଣି ଏକ ଏତଲା  ଜଗତସିଂହପୁର ଥାନାକୁ ପ୍ରଦାନ କରିଥିଲେ ।