କଟକ ୧୪/୦୯: ରାଉରକେଲାର ଆସିଷ୍ଟାଣ୍ଟ୍‌ କଲେକ୍ଟର ତଥା ଓଏଏସ୍‌ ଅଫିସର ସୁଶ୍ମିତା ମିଞ୍ଜ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପ୍ରାର୍ଥନା କରି ରୁଜୁ ମାମଲାରେ ହାଇକୋର୍ଟ ଗୃହ ବିଭାଗ ସଚିବ, ପୁଲିସ୍‌ ଡିଜିଙ୍କୁ ସତ୍ୟପାଠ ଜରିଆରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସୁଶ୍ମିତା ମିଞ୍ଜ୍‌ଙ୍କ ଭାଇ ସନ୍ଦୀପ ମିଞ୍ଜ୍‌ଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଏହି ଆଦେଶ ଦେଇଛନ୍ତି । ମାମଲାର ଶୁଣାଣି ଅକ୍ଟୋବର ୨୨କୁ ଧାର୍ଯ୍ୟ ହୋଇଛି ।

ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଛନ୍ତି  ଯେ, ତାଙ୍କ ଭଉଣୀ ୨୦୨୩ ସେପ୍ଟେମ୍ବର ୧୬ରୁ କେଉଁଆଡ଼େ ନିଖୋଜ ହୋଇଥିବା  ନେଇ ରାଉରକେଲାର ଉଦିତ୍‌ନଗର ଥାନାରେ ସେ ଏତଲା ଦେଇଥିଲେ । କିନ୍ତୁ  ପୁଲିସ ସେମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣାପାତ କରି ନଥିଲା । ଏହି ଅଭିଯୋଗର  ଚାରି ଦିନ ପରେ ଏକ ପୋଖରୀରୁ ଅଚିହ୍ନା ଶବ ମିଳିଥିଲା । ପୁଲିସ ଖବର ଦେବାପରେ ସେମାନେ ଯାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୃତଦେହ ସୁଶ୍ମିତା  ମିଞ୍ଜ୍‌ଙ୍କର ବୋଲି ଚିହ୍ନଟ କରିଥିଲେ । ପୁଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା  ରୁଜୁ କରିଥିଲାବେଳେ ସେମାନେ ସୁଶ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ  କରିଥିଲେ । ସେହି ଆଧାରରେ ପୁଲିସକୁ ମାମଲା ରୁଜୁ ପାଇଁ ଏଫ୍‌ଆଇଆର୍‌  ଦେଇଥିଲେ । କିନ୍ତୁ ପୁଲିସ ଏନେଇ ମାମଲା ରୁଜୁ ନ କରିବାରୁ ଆବେଦନକାରୀ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଲାଗି ପ୍ରାର୍ଥନା କରିଛନ୍ତି ।  ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।