ଭବାନୀପାଟଣା,୧।୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ଠାରେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ କଳାହାଣ୍ଡି ଓଏଏସ୍ ସଂଘ ନିନ୍ଦା କରିଛି । ଜଣେ କର୍ତ୍ତବ୍ୟ ରତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟରେ ଆକ୍ରମଣ କରି ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।
ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଜିଲ୍ଲାର ସମସ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଛୁଟି ନେଇଥିବା ବେଳେ ଏଥିରେ ଜିଲ୍ଲାର ଓଆରଏସ୍ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଜଣାଯାଇଛି । ଜିଲ୍ଲା ଓଏଏସ୍ ସଂଘର ସଭାପତି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ ଦରୱାନଙ୍କ ନେତୃତ୍ଵରେ ଆଠ ଦଫା ସମ୍ବିଳିତ ସମସ୍ତ ଅଧିକାରୀଙ୍କ ସ୍ଵାକ୍ଷରିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଉପଜିଲ୍ଲାପାଳ ପ୍ରଭାତ ପରିଡା ଉପସ୍ଥିତ ଥିଲେ।