କଟକ,୦୧/୦୯: ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ର ପ୍ରସ୍ତୁତି ଆରମ୍ଭ ହୋଇଛି । ମ୍ୟାଚ ଯୋଗୁଁ ଓସିଏ ନିର୍ବାଚନକୁ ପ୍ରାୟ ଦୁଇ ମାସ ଘୁଞ୍ଚାଇ ଦିଆଯାଇଛି । ଅନ୍ତର୍ଜାତୀୟ ମ୍ୟାଚ ପରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରବିବାର ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଏଜିଏମ୍ (ବାର୍ଷିକ ସାଧାରଣ ପରିଷଦ ବୈଠକ)ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ଘରୋଇ ଲିଗ୍କୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଓସିଏ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ସେପ୍ଟେମ୍ୱର ୧୫ରୁ କଟକରେ ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍(ଓପିଟିଏଲ୍) ଆରମ୍ଭ ହେବ । ଏହାର ବ୍ରାଣ୍ଡ୍ ଆମ୍ୱାସଡର ରହିବେ ଅଷ୍ଟ୍ରେଲିଆର କିମ୍ୱଦନ୍ତୀ ବୋଲର ବ୍ରେଟ୍ ଲି ଏବଂ ଅନ୍ତର୍ଜାତୀୟ ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତି । ଷ୍ଟାର୍ ସ୍ପୋର୍ଟ୍ସ ଚ୍ୟାନେଲ ଏବଂ ଫ୍ୟାନକୋଡ୍(ଓଟିଟି)ରେ ସମ୍ପୂର୍ଣ୍ଣ ଲିଗ୍ର ସିଧାପ୍ରସାରଣ କରାଯିବ ବୋଲି ଏଜିଏମ୍ରେ ନିଷ୍ପତ୍ତି ହୋଇଛି ।
ସଭାପତି ପଙ୍କଜ ଲୋଚନ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ୬ଟି ଦଳକୁ ନେଇ ବାରବାଟୀ ଷ୍ଟାଡିୟମ୍ରେ ଓପିଟିଏଲ୍ ଖେଳାଯିବ । ପ୍ରତ୍ୟେକ ଦିନ ଦୁଇଟି ଲିଗ୍ ମ୍ୟାଚ୍ ରହିବ । ଆରିଭା ସ୍ପୋର୍ଟ୍ସ ଲିଗ୍ର ପ୍ରାୟୋଜକ ରହିଛି । ଲିଗ୍ ପାଇଁ ଖୁବଶୀଘ୍ର ଖଳାଳି ନିଲାମ ଆରମ୍ଭ କରାଯିବ । ପ୍ରତ୍ୟେକ ଖେଳାଳି ଡ୍ରାଫ୍ଟ ଆକାରରେ କିଣାଯିବେ । ଖେଳାଳିମାନଙ୍କ ବର୍ଗ ଓ ମୂଲ୍ୟ ଧାର୍ଯ୍ୟ ହୋଇସାରିଛି । ସମ୍ଭବତଃ ଆସନ୍ତା ୩ ତାରିଖରେ ପାଳି ଅନୁସାରେ ଫ୍ରାଞ୍ଚାଇଜ୍ ମାଲିକମାନେ ଖେଳାଳି କ୍ରୟ କରିବେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ଲିଗ୍ର ଉଦ୍ଘାଟନ ହେବ ବୋଲି ନିଷ୍ପତ୍ତି ହୋଇଛି ।
ସେହିପରି ତୃଣମୂଳ କ୍ରିକେଟର ବିକାଶ ପାଇଁ ଆସନ୍ତା ଜାନୁୟାରୀରେ ଉତ୍କର୍ଷ କେନ୍ଦ୍ର ଉଦ୍ଘାଟିତ ହେବ । ଡ. ହରେକୃଷ୍ଣ ମହତାବ ଫିଡର୍ ସେଣ୍ଟର ପ୍ରତିଷ୍ଠା ହେବ । ଏଠାରେ ୧୪ବର୍ଷରୁ କମ୍ ବାଳକ ଓ ବାଳିକାଙ୍କୁ ରଖି ପ୍ରଶିକ୍ଷଣ ଦିଆଯିବ । ସଚିନ ତେନ୍ଦୁଲକର ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ପ୍ରତିଷ୍ଠା ଦିଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଓସିଏ ଉପସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।