କଟକ, ୨୪/୦୩: ଭାରତୀୟ କ୍ରିକେଟରଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବିସିସିଆଇ ନିୟମ କରିଛି । କିନ୍ତୁ ଓଡ଼ିଶାର  ସିନିୟର କ୍ରିକେଟରମାନେ କଳାହାଣ୍ଡି  କପ୍‌ ଭଳି ରାଜ୍ୟର ମୁଖ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁନାହାନ୍ତି । ଓଡ଼ିଶା କ୍ରିକେଟ  ଆସୋସିଏସନ୍‌(ଓସିଏ) ଏଭଳି ନିୟମ ଜାରି କରିଛି । ସିନିୟର ଓ ୨୩ ବର୍ଷରୁ କମ୍‌ ରାଜ୍ୟ ଦଳର ଖେଳାଳି ମାନେ କଳାହାଣ୍ଡି କପ୍‌ ନଖେଳି ବିଶ୍ରାମ ନେଉଛନ୍ତି । ବିସିସିଆଇ ସିଜନ୍‌ ଲାଗି ଖେଳାଳିମାନଙ୍କୁ  ନେଇ ଶିବିର ମାଧ୍ୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିବାକୁ ଓସିଏ ଚିନ୍ତା  କରୁଛି । କିନ୍ତୁ ଶିବିର ବଦଳରେ ଅନ୍‌ଫିଲ୍ଡ  କ୍ରିକେଟ ଖେଳିଲେ ଯେ କ୍ରିକେଟରଙ୍କ ଖେଳଶୈଳୀର ଅଧିକ ବିକାଶ ହେବ ଏକଥା  ଓସିଏ ଜାଣିରଖିବା ଉଚିତ୍‌ । ଏହାପରେ ବି  ୨୩ବର୍ଷରୁ କମ୍‌ ଓ ସିନିୟର ଖେଳାଳିଙ୍କୁ କାହିଁକି ବିଶ୍ରାମ ଦିଆଯାଇଛି ତାକୁ ନେଇ  ପ୍ରଶ୍ନ ଉଠୁଛି । 

ଅନ୍ୟପକ୍ଷରେ ଚଳିତବର୍ଷ ଓସିଏର  ନିର୍ବାଚନୀ ବର୍ଷ । ଅକ୍ଟୋବର ମାସ  ବେଳକୁ ନିର୍ବାଚନ ହେବ । ନୂଆ  କାର୍ଯ୍ୟକର୍ତ୍ତା ଦାୟିତ୍ୱ ଗ୍ରହଣ କରିବେ।  କୁଲିଂ ଅଫ୍‌ ପିରିୟଡ୍‌ ବ୍ୟବସ୍ଥା କାର୍ଯ୍ୟକାରୀ  ହେଲେ ବର୍ତ୍ତମାନର କାର୍ଯ୍ୟକର୍ତ୍ତା ମଣ୍ଡଳୀ  ସମ୍ପୂର୍ଣ୍ଣ ଭାବେ ବଦଳିଯିବେ । ଭୋଟ୍‌ ଭାଗମାପକୁ ନେଇ ଏଥର ଗଣିତ ଜଟିଳ  ରହିଛି । ତେଣୁ ନିର୍ବାଚନ ପୂର୍ବରୁ ଜିଲ୍ଲା  ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଶେଷ  ବାଟ ହେଉଛି ‘କଳାହାଣ୍ଡି କପ୍‌’ । ଜିଲ୍ଲା  ଟିମ୍‌ରେ ଖେଳାଳିଙ୍କୁ ସାମିଲ୍‌ କରି ଜିଲ୍ଲା  ସଂଘକୁ ମନାଇ ରଖିବାକୁ ଅଧିକ ଗୁରୁତ୍ୱ  ଦିଆଯାଉଥିବାର ଦେଖିବାକୁ ମିଳୁଛି ।  ତେଣୁ ଜିଲ୍ଲା ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ  ସିନିୟର ଖେଳାଳିଙ୍କୁ କଳାହାଣ୍ଡି କପ୍‌ରୁ  ବିଶ୍ରାମ ଦେବାକୁ ନୂଆ ନୀତି ଓସିଏ ଜାରି କରିଥିବା ଅଭିଯୋଗ ହେଉଛି । 

ସବୁ ଜିଲ୍ଲାରୁ ଅଧିକରୁ ଅଧିକ  ଖେଳାଳି କିଭଳି ଖେଳିବେ ସେ ଦିଗରେ  ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଇଷ୍ଟ କୋଷ୍ଟ୍‌  ରେଲୱେ(ଇକୋର୍ଷା) କ୍ଷେତ୍ରରେ ଏ ନିୟମ  ଲାଗୁ ହେଉନି । ଯେଉଁଠି ଅନ୍ୟ ଜିଲ୍ଲାରୁ  ଖେଳି ଆସୁଥିବା ୨୩ବର୍ଷରୁ କମ୍‌ ଓ  ସିନିୟର ଖେଳାଳି ମାନେ କଳାହାଣ୍ଡି କପ୍‌  ଖେଳୁନାହାନ୍ତି ସେଠି ଇକୋର୍ଷାର ପେସ୍‌  ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ  ମହାନ୍ତି ଦଳ ତରଫରୁ ପଡିଆକୁ ଓହ୍ଲାଉଛନ୍ତି ।  ଇକୋର୍ଷା କ୍ଷେତ୍ରରେ ଏଭଳି ନିୟମ କୋହଳ  କାହିଁକି ତାକୁ ନେଇ ଆପତ୍ତି ଉଠିଛି ।