କଟକ,୨୨/୦୪ : ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ଏବଂ ଆର୍ଥିକ ପ୍ରୋତ୍ସାହନ ଦେବାକୁ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) ଦୀର୍ଘ ବର୍ଷ ଧରି ସମସ୍ୟାରୁ ମୁକ୍ତ ହୋଇ ପାରୁନି । ଦୀର୍ଘ ୫ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ସିନେମା ଶିଳ୍ପକୁ ସମୃଦ୍ଧ କରିବ କ’ଣ, ନିଜେ ବିଭିନ୍ନ ସମସ୍ୟା ଓ ସଙ୍କଟ ଦେଇ ଗତି କରୁଛି । ଚଳଚ୍ଚିତ୍ରକୁ ଆର୍ଥିକ ପ୍ରୋତ୍ସାହନ ଦୂରେ ଥାଉ, ୨ ବର୍ଷରୁ ଅଧିକ ସମୟ ହେବ ଏହି ଅନୁଷ୍ଠାନ ସମ୍ପୂର୍ଣ୍ଣ ମୁରବିଶୂନ୍ୟ ହୋଇ ପଡ଼ିଛି । ଆଜି ଓଏଫ୍ଡିସି ୫୦ ବର୍ଷରେ ପଦାର୍ପଣ କରୁଛି । କିନ୍ତୁ ଚଳଚ୍ଚିତ୍ର ଶିଳ୍ପର ବିକାଶ ବାଟବଣା ହୋଇଥିବା ବେଳେ ନିକଟରେ ଶିଳ୍ପର ଉନ୍ନତି ପାଇଁ ଓଏଫ୍ଡିସିକୁ ୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି ସରକାର ।
୧୯୭୬ ମସିହା ଏପ୍ରିଲ ୨୨ ତାରିଖରେ କଟକ ସ୍ଥିତ ବକ୍ସିବଜାରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ନୂଆ ସିନେମା ହଲ୍ ନିର୍ମାଣ ପାଇଁ ଋଣ ଓ ଚଳଚ୍ଚିତ୍ର ପାଇଁ ସବ୍ସିଡି ଦେବା ଲକ୍ଷ୍ୟରେ ଏହା ପ୍ରତିଷ୍ଠା ହୋଇଥିଲା । ୧୯୭୪ ମସିହାରୁ ସରକାର ଚଳଚ୍ଚିତ୍ରକୁ ଶିଳ୍ପର ମାନ୍ୟତା ପ୍ରଦାନ ଦେବା ପରେ ଏହା ସେବେଠୁ ଶିଳ୍ପ ବିଭାଗ ଅଧୀନରେ ରହିଛି । ଏହି ଶିଳ୍ପର ବିକାଶ ପାଇଁ ସରକାର ଅନୁଦାନ ଦେଉଛନ୍ତି । ଚଳିତବର୍ଷ ବଜେଟ୍ରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ସରକାର ଓଏଫ୍ଡିସିକୁ ୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ତେବେ ଏହି ଅର୍ଥ ସିନେମା ଶିଳ୍ପର ବିକାଶରେ କିପରି ବିନିଯୋଗ ହେବ ସେ ନେଇ କୌଣସି ଯୋଜନା ନାହିଁ । ଏଣେ ୯୦ ଦଶକରେ ବହୁ ସିନେମା କରି ଫିଲ୍ମ ସବ୍ସିଡି ପାଇ ନଥିବା ବରିଷ୍ଠ ପ୍ରଯୋଜକ ତଥା ଓଡ଼ିଶା ଫିଲ୍ମ ପ୍ରଯୋଜକ ଏବଂ ଡିଷ୍ଟ୍ରିବ୍ୟୁଟର୍ସ ଗିଲ୍ଡର ସମ୍ପାଦକ ଅରୁଣ ମହାନ୍ତି ବକେୟା ସବ୍ସିଡି ଦେବାକୁ କହିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଓଏଫ୍ଡିସିରେ ବିଭିନ୍ନ ଯୋଜନା ଏବଂ ନିଷ୍ପତ୍ତି ନେବାକୁ ଏବେ କେହି ମୁରବି ନାହାନ୍ତି । ଦୁଇ ବର୍ଷ ହେବ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ସୁରେନ୍ଦ୍ର କୁମାର ପଣ୍ଡା ଇଡ୍କୋ ସିଜିଏମ୍ ଭଳି ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ତେଣୁ ସେ ଭୁବନେଶ୍ୱର କାର୍ଯ୍ୟାଳୟରେ ବସୁଥିବା ବେଳେ କଟକ ଓଏଫ୍ଡିସି ଅଫିସକୁ ଅଧିକାଂଶ ସମୟ ଆସି ପାରୁନାହାନ୍ତି । ଫଳରେ ବିଭିନ୍ନ ନିଷ୍ପତ୍ତି ଏବଂ ଫାଇଲ୍ କାର୍ଯ୍ୟ ପାଇଁ ଅପେକ୍ଷା କରିବାକୁ ପଡୁଛି । ଓଏଫ୍ଡିସିରେ କର୍ମଚାରୀ ସଙ୍କଟ ଲାଗି ରହିଥିବା ବେଳେ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଠାରେ ଥିବା ୩୩ଟି ପଦବିରେ ମାତ୍ର ୪ ଜଣ କର୍ମଚାରୀ ଅଛନ୍ତି । ନିକଟରେ ଓଏସ୍ଡି ଦାୟିପତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଅନେକ ପଦବି ଫାଙ୍କା ପଡ଼ିଛି । ୨୦୧୯ରୁ ନିଗମର ୱେବ୍ସାଇଟ୍ ବନ୍ଦ କରାଯାଇ ୱେବ୍ ପୋର୍ଟାଲ୍ ଆରମ୍ଭ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଯାଏ ପୋର୍ଟାଲ ଆରମ୍ଭ ହୋଇ ପାରୁନି । ଅନ୍ୟପଟେ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ପାଇଁ ଓଏଫ୍ଡିସି ଦ୍ୱାରା ଏକ ନୂଆ ଚଳଚ୍ଚିତ୍ର ନୀତି ପ୍ରସ୍ତୁତ କରି ସରକାରଙ୍କୁ ଗତବର୍ଷ ଦିଆଯାଇଥିଲା । ୩ ମାସ ମଧ୍ୟରେ ଏହାକୁ ବିଚାର କରି କାର୍ଯ୍ୟକାରୀ କରିବାକୁ ସରକାର କହିଥିଲେ । କିନ୍ତୁ ବର୍ଷେ ବିତି ଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ ।
ଏହି ଖବରଟିକୁ ପଢନ୍ତୁ- ପୂର୍ତ୍ତ ବିଭାଗ ରାସ୍ତା କାମରେ ନିୟୋଜିତ ଶିଶୁ ଶ୍ରମିକ, ଦୁଇ ଶହ ଟଙ୍କା ମଜୁରିରେ ଖଟୁଛନ୍ତି ପିଲା