ଭୁବନେଶ୍ୱର ୨୯/୦୬: ଯାଜପୁରର କୋରେଇ ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସିନେମାରେ  ଆଉ ବିଶେଷ ଦେଖିବାକୁ ମିଳୁ ନାହାନ୍ତି ଆକାଶ ଦାସ ନାୟକ । କିନ୍ତୁ ଆକାଶଙ୍କ ପ୍ରଶଂସକଙ୍କ ପାଇଁ  ଗୋଟିଏ ଖୁସି ଖବର ଯେ, ବେଶ୍‌ କିଛି ଦିନର  ବିରତି ପରେ ରୁପେଲି ପରଦାକୁ ଫେରୁଛନ୍ତି  ଆକାଶ । ଆକାଶଙ୍କ ଅପ୍‌କମିଂ ଫିଲ୍ମର ନାଁ ରହିଛି  ‘ଜୟହିନ୍ଦ୍‌’ । ସୁଟିଂ ଶେଷ ହେବା ପରେ ବର୍ତ୍ତମାନ  ଏ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି । ଖୁବ୍‌ ଶୀଘ୍ର ଫିଲ୍ମଟି ସିନେମାଘରକୁ ଆସିବ । 

ଶୁଭଶ୍ରୀ  ଫିଲ୍ମସ୍‌ ବ୍ୟାନରରେ ନିର୍ମାଣାଧୀନ ଏହି ଚଳଚ୍ଚିତ୍ରର  ପ୍ରଯୋଜନା କରିଛନ୍ତୁ ଶୁଭଶ୍ରୀ ମଙ୍ଗରାଜ। ନିର୍ଦ୍ଦେଶନା  ଦେଇଛନ୍ତି ଅଭିଷେକ ତ୍ରିପାଠୀ । ଅଙ୍କିତ, ଅନନ୍ୟା,  ଅନୁ ଚୌଧୁରୀ, କେକେ ଓ ରାଜା ଫିଲ୍ମର  ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଫିଲ୍ମର  କାହାଣୀ ମୌଳିକ ଓ ବର୍ତ୍ତମାନ ସମୟର ଘଟଣା  ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ  କୁହାଯାଇଛି । ସୂଚନାଯୋଗ୍ୟ, ‘କଳିଙ୍ଗ ପୁତ୍ର’ରୁ  ଓଲିଉଡରେ ଅଭିନୟ ଯାତ୍ରା ଆରମ୍ଭ କରିଥିବା  ଆକାଶ ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’,  ‘ଶୁଭ ବିବାହ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଧର୍ମ’, ‘ହରି ଓମ୍‌ ହରି’, ‘ଅଗସ୍ତ୍ୟ’  ଓ ‘ଜଷ୍ଟ ମୋହବତ୍‌’ ସିନେମାରେ ଅଭିନୟ  କରିଛନ୍ତି । ଶେଷଥର ପାଇଁ ସେ ‘ମହାବାହୁ’  ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲେ ।