କଟକ ୨୪/୧୨: ଆସନ୍ତା ବର୍ଷ ନୂଆଦିଲ୍ଲୀ ଠାରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ବଧିର କ୍ରିକେଟ୍‌  ସିରିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ  ପାଇଁ ଭାରତୀୟ ଦଳ ଘୋଷଣା  ହୋଇଛି । ଏଥିରେ ଏକମାତ୍ର  ଓଡ଼ିଆ ଖେଳାଳି ଭାବେ ଶିବୁନ ନନ୍ଦ ସ୍ଥାନ ପାଇଛନ୍ତି । 

ତ୍ରିରାଷ୍ଟ୍ରୀୟ ସିରିଜ ଆଗାମୀ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ୮  ତାରିଖରେ ଶେଷ ହେବ । ଆୟୋଜକ ଭାରତ ସମେତ  ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ସିରିଜରେ ଭାଗ  ନେବେ । ଏହାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ  ୩ଟି ଦିନିକିଆ (ମାର୍ଚ୍ଚ ୧୦ରୁ ୧୨ତାରିଖ) ଖେଳାଯିବ । ଶିବୁନ ଚଳିତ ବର୍ଷ ୧୯ବର୍ଷରୁ କମ୍‌ କୁଚ୍‌ ବେହାର  ଟ୍ରଫିରେ ଓଡ଼ିଶା ଦଳର ସଦସ୍ୟ ରହିଥିଲେ । ସେହିପରି  ଓସିଏ ଅନ୍ତଃଜିଲ୍ଲା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ପକ୍ଷରୁ  ଖେଳିଥିଲେ । 

ଗତ ଅନ୍ତଃଜୋନ ଟି-ଟ୍ୱେଣ୍ଟି ଚାମ୍ପିଅନସିପ୍‌  (ବଧିର)ରେ ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ୪ଟି ମ୍ୟାଚ୍‌ ଖେଳି ଦ୍ୱିତୀୟ ସର୍ବାଧିକ ୧୦ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଓଡ଼ିଶା କ୍ରିକେଟ୍‌  ଆସୋସିଏସନ୍‌ର ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ  ଅନ୍ୟ କର୍ମକର୍ତ୍ତାମାନେ ଶିବୁନଙ୍କୁ ଆଗାମୀ ସିରିଜ ପାଇଁ  ଶୁଭକାମନା ଜଣାଇଛନ୍ତି।