ବିଶ୍ୱାୟନ, ଆଧୁନିକୀକରଣ ଏବଂ ଗ୍ରାହକ ସଂସ୍କୃତିର  ପ୍ରଭାବ ସମେତ ବିଭିନ୍ନ କାରଣ ଯୋଗୁଁ ଓଡ଼ିଶାର  ସାଂସ୍କୃତିକ ଐତିହ୍ୟର ଅବକ୍ଷୟ ଘଟିଚାଲିଛି ।  ଓଡ଼ିଆ ସଂସ୍କୃତିର ଅବକ୍ଷୟକୁ ମୁକାବିଲା କରିବା  ପାଇଁ, ପାରମ୍ପରିକ ସଂରକ୍ଷଣ ଏବଂ ଆଧୁନିକ ଧାରା  ସହିତ ସମନ୍ୱୟ ଉପରେ ଧ୍ୟାନଦେଇ ଏକ ବହୁମୁଖୀ  ପଦ୍ଧତିର ଆବଶ୍ୟକତା ରହିଛି ।

ରଜ ହେଉଛି ଉପକୂଳ ଓଡ଼ିଶାର ଏକ ସର୍ବୋତ୍ତମ ପର୍ବ  ଯାହା ପ୍ରତିବର୍ଷ ଆଷାଢ଼ ମାସରେ ମହାଆଡମ୍ବରରେ  ପାଳନ କରାଯାଏ । ଅନେକ ଦୃଷ୍ଟିରୁ ଏହି ପର୍ବ ଅନନ୍ୟ,  ରଜକୁ ରାଜ୍ୟର ପ୍ରମୁଖ କୃଷି ପର୍ବ ମଧ୍ୟରୁ ଗୋଟିଏ  ଭାବରେ ଗଣନା କରାଯାଏ । ମୌସୁମୀର ପ୍ରଥମ ବର୍ଷା  ରଜକୁ ଏତେ ସ୍ୱତନ୍ତ୍ର କରିଥାଏ ଯେ ମଜା ମଜା ସ୍ୱାଦିଷ୍ଟ  ଖାଦ୍ୟ ସହିତ ସମୃଦ୍ଧ ପରମ୍ପରାର ଅନନ୍ୟ ମିଶ୍ରଣକୁ  ମନଭରି ଉପଭୋଗ କରିହୁଏ । ଏହି ପର୍ବ ଯାହା ପ୍ରକୃତ  ଅର୍ଥରେ ପରିବାର ଏବଂ ଏହାର ମୌଳିକ ପରମ୍ପରା  ସହିତ ପୁନଃ ସଂଯୋଗ କରିବାରେ ସାହାଯ୍ୟ କରେ ।  ଏହା ଏକ ସମୃଦ୍ଧ ସାଂସ୍କୃତିକ ମହତ୍ତ୍ୱ ସହିତ ଏକ  ପ୍ରମୁଖ ପର୍ବ ଯାହା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ  ପ୍ରାୟତଃ ଅଧିକ ପାରମ୍ପରିକ ଭାବରେ ଉତ୍ସବ ପାଳନ  କରାଯାଏ । ମାତା ଧରଣୀ ପ୍ରତି ସମ୍ମାନ ସ୍ୱରୂପ,  ତିନିଦିନିଆ ମହୋତ୍ସବ ସମୟରେ କୃଷି କାର୍ଯ୍ୟକଳାପକୁ  ସ୍ଥଗିତ ରଖାଯାଏ। ଏହି ପର୍ବ ହେଉଛି ବସୁଧା ମାତାଙ୍କ  ପ୍ରଜନନ ଏବଂ ଋତୁସ୍ରାବର ଉତ୍ସବ, ଯେଉଁଥିରେ  ଅବିବାହିତ ଝିଅମାନେ ଋତୁସ୍ରାବ ହେଉଥିବା ମହିଳାଙ୍କ  ପାଇଁ ଥିବା କଟକଣା ଯେମିତି ପାଳନ କରନ୍ତି, ଠିକ୍‌  ସେହିପରି ବସୁଧା ମାତାଙ୍କୁ ସମ୍ମାନ ଦିଆଯାଏ । 

ମନେ ଅଛି, ରଜ ତିନିଦିନ ଯାଏଁ ଚୁଲି ମଧ୍ୟ  ଜଳେନାହିଁ, ତେଣୁ ପୂର୍ବ ଦିନରୁ ଖିରି ପୁରି ପିଠା  ପଣା ପ୍ରସ୍ତୁତ ହୋଇ ମହଜୁଦ ରହିଥାଏ । କୌଣସି  ଗଛପତ୍ରକୁ ବି ସେହି ତିନିଦିନ ଯାଏଁ କଷ୍ଟ ନଦେବାପାଇଁ  ପୂର୍ବରୁ କରଞ୍ଜ ଦାନ୍ତକାଠି କାଟି ଘରେ ମହଜୁଦ କରି  ରଖାଯାଏ । ଗାଁ ଲୋକମାନେ କୃଷି କାର୍ଯ୍ୟରୁ ବିରତି  ନେଇ ଉତ୍ସବ ପାଳନ କରନ୍ତି ଏବଂ ସମଗ୍ର ସମ୍ପ୍ରଦାୟ  ଉତ୍ସବ ପାଇଁ ଏକାଠି ହୁଅନ୍ତି, ଗାଁ ବରଗଛରେ ଦଉଡ଼ି  ଦୋଳି, ଲୋକଗୀତ ଏବଂ ତାସ୍‌, ପାସା, ଲୁଡୁ, ବାଗୁଡ଼ି  ଏବଂ କବାଡ଼ି ଭଳି ଖେଳରେ ମାତିଯାଆନ୍ତି । ପ୍ରବାସୀ  ଶ୍ରମିକମାନେ ସେମାନଙ୍କ ପରିବାର ଏବଂ ଗାଁ ଲୋକଙ୍କ  ସହିତ ଏହି ପର୍ବ ପାଳନ କରିବା ପାଇଁ ଯେମିତିହେଉ  ପଛେ ଏହି ସମୟରେ ସଫାସୁତୁରା ପୋଷାକ ପରିଧାନ  କରି ନିଜ ଗାଁକୁ ଫେରିଥାଆନ୍ତି । ଏହି ସମୟରେ  ପରିବାରର ପ୍ରାୟ ସମସ୍ତ ସଦସ୍ୟ ନୂତନ ପୋଷାକ  ପରିଧାନ କରିଥାନ୍ତି । ଝିଅ ବୋହୂମାନେ ପାଦରେ ଅଳତା  ଓ ରଙ୍ଗରଙ୍ଗିଆ ଶାଢ଼ି ପିନ୍ଧି ଗାଁର ଘରେ ଘରେ ବୁଲୁଥାନ୍ତି ।  ଗାଁଦାଣ୍ଡରେ ପ୍ରବେଶ କରୁ କରୁ ରଜ ପର୍ବର ବାସନା ବାରି  ହୋଇପଡୁଥିଲା ସେଦିନ । ଆଜି କିନ୍ତୁ ଅନେକ ପରିବର୍ତ୍ତନ  ଘଟିଛି ସେଥିରେ । ଗାଁରେ ଆଉ ରଜର ରଙ୍ଗ ଦେଖିବାକୁ  ମିଳୁନି, କୃଷି ତ ନାହିଁ, ତେଣୁ କୃଷି କାର୍ଯ୍ୟକଳାପକୁ  ସ୍ଥଗିତ ରଖି ପର୍ବ ପାଳନ କରିବାର ଦରକାର ପଡ଼ୁନି ।  ଦାନ୍ତକାଠିର ଯୁଗ ଶେଷ ହୋଇଯାଇଛି, ତେଣୁ କରଞ୍ଜ  ଦାନ୍ତକାଠି ଯୋଗାଡ଼ କରିବା ଦରକାର ପଡ଼ୁନି । କେବଳ  ସାଙ୍କେତିକ ଭାବରେ ଟିକେ ସେମିତି ବସୁମାତା ପୂଜା  ଚାଲିଛି । ଆଜି କେବଳ ରଜ ପର୍ବ ବଞ୍ଚିରହିଛି ସହରର  ହୋଟେଲ ଭିତରେ ଓ ଟିଭି ପରଦାରେ । 

ଉପକୂଳ ଓଡ଼ିଶାରେ କେବଳ ରଜ ନୁହେଁ, ପ୍ରାୟ  ସମସ୍ତ ପାରମ୍ପରିକ ସାଂସ୍କୃତିକ ପରିବେଶର ଦ୍ରୁତ ଅବକ୍ଷୟ  ଘଟି ଚାଲିଛି । କୁମାର ପୂର୍ଣ୍ଣିମା ହେଉ ବା ପ୍ରଥମାଷ୍ଟମୀ,  ସ୍କୁଲରେ ସରସ୍ୱତୀ ପୂଜା ହେଉ ବା ଗଣେଶ ଚତୁର୍ଥୀ  ପାଳନ, ପୟା ଶ୍ରାଦ୍ଧ ବା ଦୀପାବଳି ଦିନ ଢୋ ଢା ବାଣ ଶବ୍ଦରେ ଆଉ ଶୁଭୁନି "ବଡ଼ ବଡୁଆ ହୋ, ଅନ୍ଧାରରେ  ଆସିଥିଲ ଆଲୁଅରେ ଯାଅ, ମହାପ୍ରସାଦ ଖାଇ ବାଇଶି  ପାହାଚରେ ଗଡ଼ା ଗଡୁଥାଅ' । ପ୍ରଥମାଷ୍ଟମୀରେ  ପରିବାରର ଲୋକମାନେ ପ୍ରଥମ ଜାତ ସନ୍ତାନର  ଦୀର୍ଘଜୀବନ ପାଇଁ ପ୍ରାର୍ଥନା କରନ୍ତି । ଏଣ୍ଡୁରି ପିଠା ଏକ  ସ୍ୱତନ୍ତ୍ର ସ୍ୱାଦିଷ୍ଟ ଖାଦ୍ୟ ଯାହା ଏହି ଅବସରରେ ପ୍ରସ୍ତୁତ  କରାଯାଏ । ଏହାର ସାଂସ୍କୃତିକ ଗୁରୁତ୍ୱ ଅଛି ଯେ, ପ୍ରଥମ  ଜାତ ସନ୍ତାନ ସାଧାରଣତଃ ପରିବାରର ମୁଖ୍ୟଭାବରେ  ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଏ ।  କୁମାର ପୂର୍ଣ୍ଣିମା ମୁଖ୍ୟତଃ ଅବିବାହିତ ଝିଅମାନେ ପାଳନ  କରନ୍ତି, ଯେଉଁମାନେ ଏକ ସୁନ୍ଦର ସ୍ୱାମୀ ପାଇଁ ପ୍ରାର୍ଥନା  କରନ୍ତି । ବିଶ୍ୱାସ ଅନୁସାରେ, ଏହି ଦିନ ସୁନ୍ଦର ଦେବତା  କାର୍ତ୍ତିକେୟଙ୍କର ଜନ୍ମ ହୋଇଥିଲା, ଯାହାକୁ କୁମାର ମଧ୍ୟ  କୁହାଯାଏ । ହିନ୍ଦୁ ଧର୍ମରେ ସରସ୍ୱତୀ ହେଉଛନ୍ତି ଜ୍ଞାନ  ଏବଂ ଜ୍ଞାନର ଦେବୀ । ତେଣୁ ପାରମ୍ପରିକ ଭାବରେ ଏହି  ଦିନ ପିଲାମାନଙ୍କର ଖଡ଼ିଛୁଆଁ ପର୍ବ ପାଳନ ହୁଏ ।  ସେହିପରି ଗଣେଶ ପୂଜା ମୁଖ୍ୟତଃ ଶିକ୍ଷାନୁଷ୍ଠାନ ଏବଂ  ଛାତ୍ରମାନଙ୍କ ଦ୍ୱାରା ପାଳନ କରାଯାଏ । ଛାତ୍ରଛାତ୍ରୀମାନେ  ଲେଖା ଉପକରଣ ଏବଂ ନୋଟବୁକ୍‌ ମଧ୍ୟ ପୂଜା କରନ୍ତି,  ଯାହା ପର୍ବ ପରେ ସେମାନଙ୍କ ଦ୍ୱାରା ବ୍ୟବହୃତ ହୁଏ ।  ଆଜି କିନ୍ତୁ ସେସବୁର ଅପଭ୍ରଂଶ ହୋଇସାରିଛି । ସ୍କୁଲ  ପରିସର ଛାଡ଼ି ଆଜି ରାସ୍ତାଘାଟରେ ଗଣେଶ ପୂଜା ଓ  ସରସ୍ୱତୀ ପୂଜା ପେଣ୍ଡାଲ ତିଆରି କରି ବାଜା, ବାଣ  ଫୁଟାଇ, ମଦ୍ୟପାନ କରି ଅଶାନ୍ତ ପରିବେଶ ସୃଷ୍ଟି କରିବା  ବ୍ୟତୀତ ଅନ୍ୟ କିଛି ନୁହେଁ । ଅବଶ୍ୟ ପଶ୍ଚିମ ଓଡ଼ିଶାର  ନୂଆଁଖାଇ ଓ ଧନୁଯାତ୍ରା ପରି ପର୍ବ ଆଜି ମଧ୍ୟ ତାର  ସ୍ୱତନ୍ତ୍ରତା ବଜାୟ ରଖିଥିବାରୁ ଓଡ଼ିଶା ଗର୍ବିତ । 

ଟିଭି ଓ ସିନେମା ଭଳି ବାହ୍ୟ ପ୍ରଭାବ କିମ୍ବା ସାମାଜିକ  ପରିବର୍ତ୍ତନ ଯୋଗୁଁ ସଂସ୍କୃତିର ସ୍ୱତନ୍ତ୍ର ଉପାଦାନଗୁଡ଼ିକ  ଯେପରିକି ପରମ୍ପରା, ଅଭ୍ୟାସ ଏବଂ ମୂଲ୍ୟବୋଧ ଧୀରେ  ଧୀରେ ଦୁର୍ବଳ ହୋଇ ପ୍ରାୟ ହଜିଗଲାଣି । ଏହା ସାଂସ୍କୃତିକ  ବିବିଧତା ଏବଂ ଐତିହ୍ୟର ହ୍ରାସ ଘଟାଇବା ଦ୍ୱାରା ସାଂସ୍କୃତିକ ଅବକ୍ଷୟ କରାଇଛି । ଆମ ଯୁବପିଢ଼ି ପାରମ୍ପରିକ  ସମ୍ପ୍ରଦାୟରୁ ଦୂରେଇଯାଇ ଆଧୁନିକ ଜୀବନଶୈଳୀ ଗ୍ରହଣ  କରିବା ସହିତ ପାରମ୍ପରିକ ପ୍ରଥା, ରୀତିନୀତି ଏବଂ  ଜ୍ଞାନକୌଶଳ ସବୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଯେତେବେଳେ  ଗୋଟିଏ ଆଧୁନିକ ପ୍ରଭାବଶାଳୀ ସାଂସ୍କୃତିକ ପ୍ରଭାବ କିମ୍ବା  ନୂତନ ଜୀବନଶୈଳୀ ଆମ ପାରମ୍ପରିକ ପ୍ରଥାଗୁଡ଼ିକୁ ନ୍ୟୁନ  ଦେଖାଇଥାଏ ବା ଆମ ମନରେ ହୀନମାନ୍ୟତାର ଭାବ  ସୃଷ୍ଟି କରିଥାଏ, ସେତେବେଳେ ଏକ ସ୍ୱତନ୍ତ୍ର ପରମ୍ପରା ଓ  ସଂସ୍କୃତି ତାର ପରିଚୟ ହରାଇବସେ, ସମ୍ପ୍ରଦାୟଗୁଡ଼ିକୁ  ଏକତ୍ର ବାନ୍ଧି ରଖୁଥିବା ସମାନ ମୂଲ୍ୟବୋଧ ଏବଂ  ବିଶ୍ୱାସ ତାର ସତ୍ତା ହରାଇଥାଏ । ଓଡ଼ିଶା ଆଜି ତାର  ପାରମ୍ପରିକ ପୋଷାକ ‘ଧୋତି କୁର୍ତ୍ତା'କୁ ସମ୍ପୂର୍ଣ୍ଣ ଭୁଲି  ଅନ୍ୟର ପୋଷାକକୁ ଆପଣେଇ ନେଇଛି । ବିଭାଘର ଭଳି  ଉତ୍ସବରେ ମଧ୍ୟ ନିଜର ପାରମ୍ପରିକ ପୋଷାକ ପରିଧାନ  କରିବାକୁ ହୀନମାନ୍ୟତା ମନେକରୁଛି । କିଛି କିଛି  ରାଜନେତାମାନେ ଆଗରୁ ଧୋତି ପରିଧାନ କରୁଥିଲେ ।  ଏବେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ କରି ନିଜର ପସନ୍ଦ ବଦଳେଇ ସାରିଛନ୍ତି । ବିବାହ ଉତ୍ସବ ପାଳନ କଥା  ନକହିଲେ ଭଲ, ଦେଖିଲେ ଲାଗେ ସବୁକିଛି ଯେମିତି  ଅନ୍ୟର ସଭ୍ୟତାକୁ ଅନୁକରଣ କରୁଛୁ । 

ଦିନେ ଓଡ଼ିଶା ତାର ଏକ ସମୃଦ୍ଧ ଏବଂ ବିବିଧ  ସାଂସ୍କୃତିକ ଓ ପ୍ରାଚୀନ ପରମ୍ପରାରେ ଐତିହ୍ୟ ପାଇଁ ଗର୍ବିତ  ଥିଲା । ଓଡ଼ିଶାର ବିବାହ ଉତ୍ସବ ଥିଲା ଏକ ପ୍ରାଣବନ୍ତ  ଉତ୍ସବ ଯାହା ପରମ୍ପରା, ସଂସ୍କୃତି ଏବଂ ପାରିବାରିକ  ମୂଲ୍ୟବୋଧକୁ ଏକତ୍ରିତ କରୁଥିଲା, ଯାହା ରାଜ୍ୟର ସମୃଦ୍ଧ ଐତିହ୍ୟକୁ ପ୍ରତିଫଳିତ କରୁଥିଲା । ସେମାନଙ୍କର ଗଭୀର  ପ୍ରଥା ଏବଂ ରଙ୍ଗୀନ ରୀତିନୀତି ପାଇଁ ଜଣାଶୁଣା, ଓଡ଼ିଶାର  ବିବାହ କେବଳ ଦୁଇଟି ବ୍ୟକ୍ତିଙ୍କ ମିଳନ ନୁହେଁ, ଏହା  ପରିବାରର ଏକ ସଙ୍ଗମ, ସମ୍ପ୍ରଦାୟର ଏକ ଉତ୍ସବ ଏବଂ  ରାଜ୍ୟର ବିବିଧ ସାଂସ୍କୃତିକ ରୀତିନୀତି ପ୍ରତି ଶ୍ରଦ୍ଧାଞ୍ଜଳି।  ବିବାହ ପୂର୍ବ ‘ନିର୍ବନ୍ଧ, ମଙ୍ଗଳପାଗ, ଠାକୁରାଣୀ ଗାଧୁଆ,  ସ୍ୱୀକାର, ବରଧରା' ଠାରୁ ଅଷ୍ଟମଙ୍ଗୁଳା ପର୍ଯ୍ୟନ୍ତ ପ୍ରତ୍ୟେକ  ରୀତିନୀତି ଗଭୀର ମହତ୍ତ୍ୱ ବହନ କରେ ଏବଂ ଏକ  ସହଭାଗୀ ଭବିଷ୍ୟତ ଆଡ଼କୁ ଦମ୍ପତିଙ୍କ ଯାତ୍ରାର ପ୍ରତୀକ । 

 ଓଡ଼ିଆ ବିବାହ ସରଳତା ଏବଂ ସୁନ୍ଦରତାର ମିଶ୍ରଣ  ଦ୍ୱାରା ଚିହ୍ନିତ, ଆଧ୍ୟାତ୍ମିକ ପବିତ୍ରତା ଏବଂ ପାରିବାରିକ  ଆଶୀର୍ବାଦ ଉପରେ ଗୁରୁତ୍ୱାରୋପ କରେ । ପ୍ରାଚୀନ  ବୈଦିକ ପରମ୍ପରା, ଆଞ୍ଚଳିକ ଲୋକକଥା ଏବଂ ରୀତିନୀତି  ଉପରେ ଦିବ୍ୟ ପ୍ରଭାବ ପ୍ରତି ଗଭୀର ଶ୍ରଦ୍ଧା । କନ୍ୟାଦାନ  ଉତ୍ସବ, ଯେଉଁଠାରେ କନ୍ୟାକୁ ତାଙ୍କ ପିତାମାତାଙ୍କ ଦ୍ୱାରା  ଉପହାର ଭାବରେ ପ୍ରଦାନ କରାଯାଏ ଏବଂ ସପ୍ତପଦୀ  କିମ୍ବା ପବିତ୍ର ଅଗ୍ନି ଚାରିପାଖରେ ସାତ ପାହାଚ, ପ୍ରେମ  ଏବଂ ପ୍ରତିବଦ୍ଧତାର ପ୍ରତିଶ୍ରୁତିକୁ ମୂର୍ତ୍ତିମନ୍ତ କରେ ।  "ହସ୍ତଗଣ୍ଠି' ଏବଂ ‘ବାହାଘର' ଭଳି ଅନନ୍ୟ ଉତ୍ସବଗୁଡ଼ିକ  ଓଡ଼ିଆ ବିବାହ ପରମ୍ପରାର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ  କରନ୍ତି । ବରଯାତ୍ରୀ (ବରର ଶୋଭାଯାତ୍ରା), ସଙ୍ଗୀତ  ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏକ କାର୍ଯ୍ୟକ୍ରମ। ପୁରୁଣା  ପରମ୍ପରାରେ ପରିପୂର୍ଣ୍ଣ, କିନ୍ତୁ ଆଧୁନିକ ସ୍ପର୍ଶକୁ ଗ୍ରହଣ  କରୁଥିବା ଓଡ଼ିଆ ବିବାହ ଓଡ଼ିଶାର ସାଂସ୍କୃତିକ ସମୃଦ୍ଧିର  ଏକ ଅନନ୍ୟ ଝଲକ ପ୍ରଦାନ କରୁଥିଲା । ଆଜି କିନ୍ତୁ  ଦକ୍ଷିଣ ଭାରତ କିମ୍ବା ଉତ୍ତର ଭାରତୀୟ ସ୍ୱତନ୍ତ୍ର ଶୈଳୀର  ବିବାହ ପରି ଓଡ଼ିଆ ବିବାହ ଉତ୍ସବର କିଛି ବି ଓଡ଼ିଆ  ଛାପ ନାହିଁ, ସବୁ ଯେମିତି ଅନ୍ୟକୁ ଅନୁକରଣ କରୁ  କରୁ "ହନୁକରଣ' ହେଇଯାଇଛି । 

ଅବଶ୍ୟ ଏଥିରେ କାହାକୁ ବା ଦୋଷ ଦେବା?  ବିଶ୍ୱାୟନ, ଆଧୁନିକୀକରଣ ଏବଂ ଗ୍ରାହକ ସଂସ୍କୃତିର  ପ୍ରଭାବ ସମେତ ବିଭିନ୍ନ କାରଣ ଯୋଗୁଁ ଓଡ଼ିଶାର  ସାଂସ୍କୃତିକ ଐତିହ୍ୟର ଅବକ୍ଷୟ ଘଟିଚାଲିଛି । ଓଡ଼ିଆ  ସଂସ୍କୃତିର ଅବକ୍ଷୟକୁ ମୁକାବିଲା କରିବା ପାଇଁ,  ପାରମ୍ପରିକ ସଂରକ୍ଷଣ ଏବଂ ଆଧୁନିକ ଧାରା ସହିତ  ସମନ୍ୱୟ ଉପରେ ଧ୍ୟାନଦେଇ ଏକ ବହୁମୁଖୀ ପଦ୍ଧତିର  ଆବଶ୍ୟକତା ରହିଛି । ଏଥିରେ କଳାକାର ଏବଂ  ଲେଖକମାନଙ୍କୁ ସଶକ୍ତ କରିବା, ଐତିହ୍ୟର ଡିଜିଟାଲ  ଡକ୍ୟୁମେଣ୍ଟେସନ୍‌ ପ୍ରୋତ୍ସାହିତ କରିବା, ସାଂସ୍କୃତିକ  ଭିତ୍ତିଭୂମିକୁ ସୁଦୃଢ଼ କରିବା, ଶିକ୍ଷା ଏବଂ ଶାସନରେ  ସାଂସ୍କୃତିକ ସଂରକ୍ଷଣକୁ ଅନ୍ତର୍ଭୁକ୍ତ କରିବା । ବିଶେଷକରି  ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ସଂସ୍କୃତି  ଏବଂ ଭାଷା ପଢ଼ାଯିବା ନିଶ୍ଚିତ କରିବା ଦ୍ୱାରା ଯୁବପିଢ଼ିଙ୍କ  ମଧ୍ୟରେ ସାଂସ୍କୃତିକ ପରିଚୟର ଭାବନା ସୃଷ୍ଟି କରିବାରେ  ସାହାଯ୍ୟ କରିପାରିବ ।