ଭୁବନେଶ୍ୱର,୧୫/୦୬: ଆସନ୍ତା  ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି  ପ୍ରଧାନମନ୍ତ୍ରୀଙ୍କ ମୋଦି । ରାଜ୍ୟ  ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ  ବିମାନବନ୍ଦରରେ ପହଞ୍ଚିବେ ।  ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ଭବ୍ୟ  ସ୍ୱାଗତ କରାଯିବ । ଏହାପରେ ସେ ରୋଡ୍‌  ସୋ’ କରିବେ । ତ୍ରିରଙ୍ଗା ଯାତ୍ରାରେ ବି  ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । 

ରାଜ୍ୟରେ ବିଜେପି ସରକାରର  ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା  ୨୦ତାରିଖରେ ଆୟାଜିତ ହେବାକୁ ଥିବା  ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଯୋଗ ଦେବେ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ  ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ  ସ୍ତରରେ ଆରମ୍ଭ ହୋଇଛି । ବିଜେପି  କାର୍ଯ୍ୟାଳୟରେ ଏ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି କାର୍ଯ୍ୟକ୍ରମର  ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ଜନତା ମଇଦାନରେ ବିଶାଳ ଜନ  ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ  କରିବେ । ଏଥିପାଇଁ ୬୦ ଓଏଏସ୍‌  ସହଯୋଗ କରିବାକୁ ସରକାରୀ  ଭାବେ ନିର୍ଦ୍ଦେଶ ଜାରି ହୋଇଛି ।  

ରାଜ୍ୟରେ ବିଜେପି ସରକାର  ଆସିବା ପରେ ପ୍ରଧାନମନ୍ତ୍ରୀ ଷଷ୍ଠ ଥର  ପାଇଁ ଗସ୍ତରେ ଆସୁଛନ୍ତି । ଜନତା  ମଇଦାନରେ ହେବାକୁ ଥିବା ରାଜ୍ୟସ୍ତରୀୟ  ସମାବେଶରେ ଲକ୍ଷାଧିକ ଲୋକଙ୍କୁ  ଏକଜୁଟ କରିବାକୁ ପ୍ରସ୍ତୁତି ତେଜିଛି ।  ଏହି କାର୍ଯ୍ୟକ୍ରମକୁ ସଫଳ କରିବା  ନିମନ୍ତେ ୬୦ଜଣ ବରିଷ୍ଠ ଓଏଏସ୍‌  ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।  ଏହି ଅଫିସରମାନେ ୧୮ତାରିଖ ଅପରାହ୍ନ  ୩ଟାରେ ଜନତା ମଇଦାନରେ ଶିଳ୍ପ  ସଚିବ ହେମନ୍ତ ଶର୍ମାଙ୍କୁ ରିପୋର୍ଟ  କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି  କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ  ଗୋଷ୍ଠୀ ମହିଳା, ବିଭିନ୍ନ କମ୍ୟୁନିଟି  ୱାର୍କରଙ୍କ ଉପସ୍ଥିତି ସୁନିଶ୍ଚିତ  କରାଇବାକୁ ସରକାର ଜିଲ୍ଲାପାଳ  ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ  ସଭାରେ ଅନ୍ତ୍ୟୋଦୟ ଗୃହ ଯୋଜନାର  ୫୦ ହଜାର ହିତାଧିକାରୀଙ୍କୁ  କାର୍ଯ୍ୟାଦେଶ ବାଣ୍ଟିବେ । ପ୍ରଧାନମନ୍ତ୍ରୀ  ନୂଆ ଯୋଜନା ଘୋଷଣା କରିପାରନ୍ତି ।  ମହାପୁରୁଷ ଆଦର୍ଶ ଗାଁ ଯୋଜନା ବି  ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି ।