ଊଣେଇଶି ଶହ ବାଆଷଠି ମସିହା ଅକ୍ଟୋବର ମାସର ଶେଷ ତାରିଖ । ସନ୍ଧ୍ୟା ନଇଁ ଆସିଲାଣି । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ର ରାଧାମୋହନ ଅନ୍ୟମନସ୍କ ଭାବେ ପାଥେରପୁରୀ ହଷ୍ଟେଲର ଗେଟ୍ ଫିଟେଇ ଚାଲିବାକୁ ଲାଗିଲେ । ଜନଗହଳି ଠାରୁ ଦୂରରେ, ନିରୋଳାରେ ସମୁଦ୍ର ବେଳାଭୂମିରେ ଅତ୍ୟନ୍ତ ଅସ୍ଥିର ମନରେ ପଦଚାରଣା କରୁଥାନ୍ତି ସେ । ଆଜିକୁ ଭାରତଚୀନ ଯୁଦ୍ଧ ହେବାର ଦଶ ଦିନ ହେଇଗଲା । ଯୁଦ୍ଧ ଥମିବାର କୌଣସି ଲକ୍ଷଣ ଦେଖାଯାଉନି । ଦେଶର ବିଭିନ୍ନ ପ୍ରାନ୍ତରୁ ସୈନିକମାନେ ଯାଇ ଭାରତଚୀନ ସୀମାନ୍ତର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଖାଦ୍ୟ, ପାନୀୟର ଘୋର ଅଭାବ ସତ୍ତେ୍ୱ ପ୍ରବଳ ପରାକ୍ରମର ସହିତ ଯୁଦ୍ଧ କରୁଛନ୍ତି । କିଏ ନିଜର ନବପରିଣିତା ପତ୍ନୀକୁ ଛାଡ଼ି ତ ଆଉ କିଏ ନବଜାତ ଶିଶୁ, ରୁଗ୍ଣ ବୃଦ୍ଧ ପିତା ବା ମୃତ୍ୟୁଶଯ୍ୟାରେ ମୁହୂର୍ତ୍ତ ଗଣୁଥିବା ମାଆକୁ ଛାଡ଼ି, ହୃଦୟକୁ ପଥର କରିଦେଇ ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି । ପ୍ରତିଦିନ ଶହ ଶହ ସୈନିକ ଯୁଦ୍ଧକ୍ଷେତ୍ରରେ ସହିଦ ହେଉଛନ୍ତି । ଦିନ ଦିନ ଧରି ଭୋକ ଉପାସରେ, ବିନିଦ୍ର ରଜନୀ ବିତେଇ, ପାଖରେ ସାଥୀ ସୈନିକମାନେ ଟଳି ପଡୁଥିବାର ଦୃଶ୍ୟ ଦେଖି, ସୀମାନ୍ତର ବରଫାବୃତ୍ତ ଜନମାନବଶୂନ୍ୟ, ବିଯୁକ୍ତ ତାପମାତ୍ରାର ଇଲାକାରେ, ଅସୀମ ଧୈର୍ଯ୍ୟ ଓ ସାହସର ସହିତ ସେମାନେ କାହାପାଇଁ ଯୁଦ୍ଧ କରୁଛନ୍ତି? ଆମ ପାଇଁ ନା? କିନ୍ତୁ ଆମେ ତାଙ୍କ ପାଇଁ କ’ଣ କରୁଚୁ? ସେମାନଙ୍କର ଏଇ ଅତୁଳନୀୟ ବଳିଦାନ ପାଇଁ ଆମେ ଆଜି ଆମ ଘରେ ଶାନ୍ତିରେ ରହିପାରୁଛୁ, ଯୁଦ୍ଧର ଧୂଳି କଣିକାଟିଏ ମଧ୍ୟ ଆମ ଦେହରେ ଲାଗୁନି । ସେଇ ବୀର ସୈନିକମାନଙ୍କ ପାଇଁ ଆମର କ’ଣ କିଛି କର୍ତ୍ତବ୍ୟ ନାହିଁ?
ଅନେକ ସମୟ ଧରି ଏ ପ୍ରଶ୍ନ ତାଙ୍କୁ ଅହରହ ଆନ୍ଦୋଳିତ କରୁଥିଲା । ସେ ଯୁଦ୍ଧ ଆଜିର ଯୁଦ୍ଧ ପରି ମିସାଇଲ ଓ ଡ୍ରେନ୍ର ଯୁଦ୍ଧ ନଥିଲା । ଗୁଳିଗୋଳାର ସମ୍ମୁଖ ଯୁଦ୍ଧରେ ଅନେକ ସୈନିକ ମୃତାହତ ହେଉଥିଲେ । ହଠାତ୍ ରାଧାମୋହନ ମନକୁ କଥାଟେ ଜୁଟିଲା । ଯବାନମାନଙ୍କ ପାଇଁ ରକ୍ତଦାନ କରିବେ । ଅନେକ ସମୟ ଧରି ଆନ୍ଦୋଳିତ ହେଉଥିବା ମନ ଶାନ୍ତ ହୋଇଗଲା । କିନ୍ତୁ ସେ ନିଜେ କେତେ ବା ରକ୍ତ ଦେଇପାରିବେ? କଲେଜ ଛାତ୍ରମାନଙ୍କୁ ଏଥିପାଇଁ ମନେଇବାକୁ ପଡ଼ିବ । ସେତେବେଳକୁ ଅନେକ ରାତି ହୋଇଯାଇଥିଲା । ରାଧାମୋହନ କ’ଣ ମୁଠାଏ ଖାଇଦେଇ ସକାଳକୁ ଅପେକ୍ଷା କଲେ । ପରଦିନ ସକାଳୁ ତାଙ୍କ ପ୍ରରୋଚନାରେ ଶତାଧିକ ଛାତ୍ର ଯବାନମାନଙ୍କ ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଲେ । ରେଡକ୍ରସ ଦ୍ୱାରା ଛାତ୍ରମାନଙ୍କ ଠାରୁ ରକ୍ତ ସଂଗୃହୀତ ହୋଇ ଆହତ ସୈନିକମାନଙ୍କ ଚିକିତ୍ସା ନିମନ୍ତେ ପଠାଗଲା । ଛାତ୍ରମାନେ ଏହି କାମରୁ ପ୍ରଚୁର ଆତ୍ମସନ୍ତୋଷ ଲାଭ କଲେ । କିନ୍ତୁ ରାଧାମୋହନଙ୍କ ମନ ତଥାପି ସନ୍ତୁଷ୍ଟ ନଥିଲା । ଦେଶ ସେତେବେଳେ ପ୍ରବଳ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥାଏ । ସେଥିରେ ପୁଣି ଯୁଦ୍ଧର ବୋଝ । ଦେଶକୁ ଯୁଦ୍ଧ ଜିତିବାକୁ ହେଲେ ଯୁଦ୍ଧ ପାଣ୍ଠିକୁ ମଜବୁତ କରିବାକୁ ହେବ । ସୁତରାଂ ଯୁଦ୍ଧପାଣ୍ଠିକୁ ଅର୍ଥ ଯୋଗେଇବାକୁ ବ୍ୟବସ୍ଥା କରିବାକୁ ପଡ଼ିବ । କିନ୍ତୁ ଅଧିକାଂଶ ଛାତ୍ର ଆର୍ଥିକ ଅନଗ୍ରସର ପରିବାରରୁ ଆସିଛନ୍ତି । ତେଣୁ କାହା ପାଖରେ ବା ପଇସା ଅଛି ଯୁଦ୍ଧ ପାଣ୍ଠିକୁ ଦାନ କରିବା ପାଇଁ?
ଅତଏବ ରାଧାମୋହନ ନିଷ୍ପତ୍ତି ନେଲେ କୁଲି କାମ କରିବା, ପୁରୀ ଷ୍ଟେସନରୁ ଯାତ୍ରୀମାନଙ୍କ ଜିନିଷ ବୋହି ପଇସା ରୋଜଗାର କରିବା, ତାହା ସହିତ ରାତିଓଳି ଉପବାସ କରି ଓଳିଏ ଖାଇବାର ଖର୍ଚ୍ଚ ସଞ୍ଚୟ କରିବା, ସେଇ ପଇସା ଯୁଦ୍ଧପାଣ୍ଠିକୁ ପଠାଇବା । କ୍ଷୀରୋଦ ମହାପାତ୍ରଙ୍କ ପରି କିଛି ସାଙ୍ଗ କୁଲି କାମ କରିବାକୁ ରାଜି ହୋଇଗଲେ ଏବଂ କଲେ ମଧ୍ୟ । କିନ୍ତୁ ରାତିଓଳି ଉପାସ ରହିବା ପାଇଁ କେହି ରାଜି ହେଲେନାହିଁ । କେହି ରାଜି ନହୁଅନ୍ତୁ, ସେଥିରେ ବିଚଳିତ ହେବାର ନାହିଁ । ରବି ଠାକୁରଙ୍କର ଯଦି ତୋର ଡାକ୍ ସୁନି କେଉ ନା ଆସେ ତୋବେ ଏକଲା ଚଲୋରେ ପଙ୍କ୍ତିଟି ମନ୍ତ୍ର ପରି ତାଙ୍କ କର୍ଣ୍ଣକୁହରରେ ନିନାଦିତ ହେଉଥିଲା । ତେଣୁ କାହାଠାରୁ କୌଣସି ପ୍ରତ୍ୟାଶା ନରଖି ସକାଳେ କୁଲି କାମ, ମଧ୍ୟାହ୍ନରେ କଲେଜରେ ପାଠପଢ଼ା ଏବଂ ରାତିରେ ଉପବାସ, ରକ୍ତଦାନ ପରେ ଦିନ ଦିନ ଧରି ନିରବଚ୍ଛିନ୍ନ ଭାବରେ ଏ କାମ କରି ସ୍ୱାସ୍ଥ୍ୟହାନି ହେବା ସତ୍ତେ୍ୱ ସେ ଏହି କାର୍ଯ୍ୟକ୍ରମ ଜାରି ରଖିଲେ ଏବଂ ସେଥିରୁ ଯତ୍କିଞ୍ଚିତ ଆଦାୟ ଅର୍ଥକୁ ଯୁଦ୍ଧପାଣ୍ଠିକୁ ପଠାଇ ଅସୀମ ଆନନ୍ଦ ଲାଭ କରିଥିଲେ । ଆଜି ଭାରତ ଆକାଶରେ ଯୁଦ୍ଧର କଳାବାଦଲ ଢାଙ୍କିହୋଇ ରହିଥିବା ବେଳେ ପ୍ୟାଣ୍ଟ କିଣିବାକୁ ପଇସା ନଥିବାରୁ ଧୋତି ପିନ୍ଧି ପାଠ ପଢ଼ିଥିବା ସେଇ ଗରିବ ଗାଉଁଲୀ ଛାତ୍ରଟିର ସୀମାନ୍ତରେ ଲଢ଼େଇ କରୁଥିବା ସୈନିକମାନଙ୍କ ପାଇଁ ସ୍ୱୀକାର କରିଥିବା ମହାନ ତ୍ୟାଗ କଥା ମନେ ପଡ଼ିଯାଏ ।