ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଣଓଡ଼ିଆ ସଂସ୍କୃତି ପାଳିବାକୁ ପ୍ରବଳ ଉତ୍ସାହ, ଓଡ଼ିଆ ପର୍ବପର୍ବାଣି ପାଳିବାକୁ କାଣିଚାଏ ନାହିଁ

Published By : Rasmita Pradhan | October 16, 2024 10:20 AM

ଭୁବନେଶ୍ୱର, ୧୬/୧୦ : ‘କୁଆଁର ପୁନେଇ ଜହ୍ନଗୋ ଫୁଲ ବଉଳ ବେଣୀ, କୁଆଁରୀମାନେ ଯେ ପୁଚି ଖେଳୁଛନ୍ତି, ପାଉଁଜି ଶବଦ ଶୁଣ ଗୋ ଫୁଲ ବଉଳ ବେଣୀ... ।’ ଆଉ ଶୁଣିବାକୁ ମିଳୁନି ଏଇ ପାରମ୍ପରିକ ଲୋକଗୀତ । କୁମାର ପୂର୍ଣ୍ଣମୀ ରାତିରେ ନୂଆ ପୋଷାକ ପିନ୍ଧି, ପୁଚି ଖେଳି ଏକାଠି ଗୀତ ଗାଉଥିଲେ କୁଆଁରୀ ଝିଅମାନେ । ରାତିସାରା ଚାଲୁଥିଲା ପୁଚିଖେଳ ଓ ନାଚଗୀତ । ଏବେ ନୂଆପିଢିର ଝିଅମାନେ ପୁଚି ଖେଳ ବିଷୟରେ ଜାଣିଥିବେ କି ନାହିଁ ସନ୍ଦେହ । ପାଉଁଜିର ସ୍ଥାନ ନେଇସାରିଲାଣି ଆଙ୍କଲେଟ୍‌ । ଧୀରେ ଧୀରେ ଓଡ଼ିଆ ପର୍ବପର୍ବାଣି ନିଜର ମୌଳିକତା ହଜାଇ ଦେଲାଣି । କୁମାର ପୂର୍ଣ୍ଣିମା ତଥା କୁମାରୋତ୍ସବର ମହତ୍ତ୍ୱ, ଲୋକ ଗୀତ, ବିଧି ସବୁ ଲିଭି ଲିଭି ଗଲାଣି । ଯେତିକି ଉତ୍ସାହ ଉଦ୍ଦୀପନା ଅଣଓଡ଼ିଆ ସଂସ୍କୃତି ପାଇଁ ଦେଖିବାକୁ ମିଳୁଛି, ତାର କାଣିଚିଏ ବି ଓଡ଼ିଆ ପର୍ବପର୍ବାଣି ପାଳିବାକୁ ଆକର୍ଷଣ ରହୁନି । 

ହିନ୍ଦୁ ଶାସ୍ତ୍ର ଓ ବିଧିବିଧାନ ଅନୁଯାୟୀ ଆଶ୍ୱିନ ମାସ ପୂର୍ଣ୍ଣିମାରେ ପାର୍ବତୀ-ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବାରୁ ଏହି ଦିନକୁ କୁମାରୋତ୍ସବ ରୂପେ ପାଳନ କରାଯାଏ । ଶରତ ଋତୁକୁ ବିଦାୟର ଏହି ସମୟକୁ ଶରତ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । କୁମାର ପୂର୍ଣ୍ଣିମା ଦିନ ଅବିବାହିତା ଝିଅ(କୁମାରୀ)ମାନେ ମାସସାରା କରୁଥିବା ଜହ୍ନିଓଷା ଉଦ୍‌ଯାପନ କରିଥାନ୍ତି । ପୂର୍ଣ୍ଣିମା ସକାଳୁ ସକାଳୁ କାକୁଡ଼ି କଷି, ଜହ୍ନି କଷି, ଜହ୍ନିଫୁଲକୁ ଚଉରା ମୂଳକୁ ନେଇ ପୀଢ଼ା ଉପରେ ରଖନ୍ତି । ହଳଦୀ ପାଣିରେ ଚଉରା ବନ୍ଦାପନା କରିବା ପରେ ସାତ ଆଞ୍ଜୁଳା ଲିଆରେ ଜହ୍ନି କଷି ଆଦି ଧରି ସାତଥର ସୂର୍ଯ୍ୟଙ୍କୁ ଅର୍ପଣ କରିବାର ବିଧି ରହିଛି । ଏହାକୁ ଆଞ୍ଜୁଳି ଟେକିବା କୁହାଯାଏ । ନୂଆ ଲୁଗାରେ ଏହି ଆଞ୍ଜୁଳି ଲିଆକୁ ରଖାଯାଏ । ସନ୍ଧ୍ୟାରେ ଆଞ୍ଜୁଳି ଟେକାର ଲିଆ, କଦଳୀ, ଛେନା, କ୍ଷୀର ଆଦି ଚକଟି ଚାନ୍ଦ ତିଆରି କରନ୍ତି । ଠିକ୍‌ ଚନ୍ଦ୍ର ଉଦୟ ହେବା ବେଳକୁ ଚଉରା ମୂଳେ ଚାନ୍ଦ ପୂଜା ସହିତ ପିଠାପଣା କରି ପୂଜା କରାଯାଏ । ଚନ୍ଦ୍ର ବନ୍ଦାପନା ପରେ ସେହି ଚାନ୍ଦକୁ ଅଢ଼େଇ ପୁଳାରେ ବ୍ରତ ରଖିଥିବା କୁମାରୀମାନେ ଖାଇଥାନ୍ତି । ବ୍ରତଧାରୀମାନେ କୁମାର କାର୍ତ୍ତିକେୟଙ୍କ ଭଳି ସୁନ୍ଦର, ଯୋଗ୍ୟ ଜୀବନସାଥୀ ପାଇବାକୁ ମନାସି ଏହି ବ୍ରତ କରିବାର ବିଶ୍ୱାସ ରହିଛି । ରାତିରେ ଏଥିସହ କୁମାରୀମାନେ କୁଆଁର ପୁନେଇ ଗୀତ ଗାଇ ପୁଚି ଖେଳିଥାନ୍ତି । ସେହିପରି ଅନେକ ଅଞ୍ଚଳରେ ପୁଅମାନେ ପଶା ଓ ତାସ୍‌ ଖେଳି ମନୋରଞ୍ଜନ କରିଥାନ୍ତି । ତେବେ ଓଡ଼ିଶାରେ ଆଞ୍ଚଳିକତା ଭିତ୍ତିରେ କୁମାର ପୂର୍ଣ୍ଣିମା ପାଳନର ବିଧି ଭିନ୍ନ ଭିନ୍ନ ପ୍ରକାରର ରହିଛି ।


ମା’ମାନଙ୍କ ଉତ୍ତରଦାୟିତ୍ୱ ବେଶି

ଆଧୁନିକ ପିଲାମାନେ ପର୍ବପର୍ବାଣିର ମହତ୍ତ୍ୱ ବୁଝୁନାହାନ୍ତି । ଆମ ପିଲା ଅଣଓଡ଼ିଆ ସଂସ୍କୃତି ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ମା’ମାନଙ୍କ ଉତ୍ତରଦାୟିତ୍ୱ ବେଶି । ସେମାନେ ପିଲାମାନଙ୍କ ମାଧ୍ୟମରେ ସଂସ୍କୃତି, ପରମ୍ପରା, ପୁରାଣ ଆଦିକୁ ବଞ୍ଚାଇ ରଖିପାରିବେ । ସେହିପରି ପୁରୁଷମାନେ ଏ କ୍ଷେତ୍ରରେ ମହିଳାଙ୍କୁ ସହଯୋଗ କରିବା ଦରକାର । ଶିକ୍ଷିତ, ଆଧୁନିକ ହେବା ଅର୍ଥ ନିଜ ସଂସ୍କୃତିକୁ ଭୁଲିବା ନୁହେଁ । ଡ. ସୁଜାତା ମହାନ୍ତି, ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର-କ୍ରାଇମବ୍ରାଞ୍ଚ କୁଆଁର ପୁନେଇଁ ଗୀତ ଲୋ କାହୁଁ କହିବି କହ: କୁମାର ପୂର୍ଣ୍ଣିମାର ପୁଚି ଖେଳ, କଉଡ଼ି ଖେଳ ଆମ ସଂସ୍କୃତିର ପରିଚୟ । ଏହାଦ୍ୱାରା କୁମାରୀମାନେ ଉପଯୁକ୍ତ ଜୀବନସାଥୀ କିଭଳି ପାଇପାରିବେ ସେଥିଲାଗି ପୂଜା କରୁଥିଲେ । ତେଣୁ ଓଡ଼ିଆ ବୋଲି ଆମର ସ୍ୱାଭିମାନ, ଗର୍ବବୋଧ ରହୁ । କୁଆଁର ପୁନେଇଁ ଗୀତ ଲୋ କାହୁଁ କହିବି କହ, ଜହ୍ନ ହୋଇଗଲେ ବୁଢା ତ କାହୁଁ ପାଇବି କହ...। 

ପ୍ରଫେସର ସନ୍ତୋଷ ତ୍ରିପାଠୀ, ସାଂସ୍କୃତିକ ବିଶେଷଜ୍ଞ 

ଓଡିଆ ପରମ୍ପରାକୁ ଟ୍ରେଣ୍ଡ କଲେ ଯୁବପିଢ଼ି ଅନୁସରଣ କରିବେ: କୁମାର ପୂର୍ଣ୍ଣିମା ପର୍ବ କିମ୍ବା ଲୋକଗୀତ ହଜିନି । ଏବେ ବି ଲୋକ ପାଳୁଛନ୍ତି । ମୁଁ ନିଜେ ବି ପିଲାବେଳୁ ପାଳି ଆସିଛି । ତେବେ ଆଗ ଭଳି ସଜବାଜ ହୋଇ ସେଲିବ୍ରେଟ୍‌ କରିବା ସମ୍ଭବ ହେଉନି । ଡିଜିଟାଲ ଯୁଗରେ ଯାହା ଟ୍ରେଣ୍ଡ ଚାଲେ, ଯୁବପିଢି ଅନୁକରଣ କରନ୍ତି। 

ଶୋଭନା ମିଶ୍ର, ଉପସ୍ଥାପିକା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.