ଭୁବନେଶ୍ଵର, ୧୫/୦୭: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡ଼ାକରା ଦେଇଛନ୍ତି। ବାଲେଶ୍ୱର ପୀଡ଼ିତାଙ୍କ ସମ୍ମାନ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ। ଏନେଇ ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ୧୭ ତାରିଖ ବନ୍ଦରେ ବିଜେଡିକୁ ସାମିଲ ହେବା ପାଇଁ ବାମପନ୍ଥୀ ଓ କଂଗ୍ରେସ ଦଳ ଆହ୍ୱାନ ଦେଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତେ ଏହି ବନ୍ଦରେ ସାମିଲ ହେବା ପାଇଁ ମିଳିତ ଦଳ ଅପିଲ୍ କରିଛନ୍ତି।
ଭକ୍ତ ଦାସ କହିଛନ୍ତି, 'ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ପୀଡ଼ିତାଙ୍କ ଅମର ଆତ୍ମାର ସଦଗତି କାମନା କରିବୁ। କଂଗ୍ରେସ, ସିପିଆଇ, ସିପିଆଇଏମ, ସିପିଆଇଏଲ, ସମାଜବାଦୀ ପାର୍ଟି ଏକାଠି ହୋଇ ସରକାର ବିରୋଧରେ ଲଢ଼ିବା ପାଇଁ ନିଷ୍ପତି ହୋଇଛି। ରାଜ୍ୟବାସୀଙ୍କୁ ଅପିଲ କରୁଛୁ ସହଯୋଗ କର । ମହିଳା ନିର୍ଯାତନା ବଢିଚାଲିଛି। ଗୋପାଳପୁର ଘଟଣାରୁ ଆରମ୍ଭ କରି ସୌମ୍ୟାଶ୍ରୀଙ୍କ ପର୍ଯ୍ୟନ୍ତ ନିର୍ଯାତନାର ଶିକାର ହୋଇଛନ୍ତି। ଜୁନ ମାସରୁ ଏବିଭିପିର ଝିଅକୁ ନ୍ୟାୟ ଦେଇପାରିଲେନି। ସେ ଝିଅ ହତାଶ ହେଇ ଆତ୍ମାହୁତି ଦେଲା। କିନ୍ତୁ ପ୍ରଶ୍ନ ଉଠୁଛି, ସେ ପେଟ୍ରୋଲ ଆଣିଲା କେଉଁଠୁ, କେହି ଅଟକାଇଲେ ନାହିଁ କାହିଁକି । ବିଜେପି ସରକାର ମହିଳାଙ୍କୁ ଖୋଜିବା ପାଇଁ କମିଟି କଲେଣି କିନ୍ତୁ ନିଜ ଝିଅକୁ ସୁରକ୍ଷା ଦେଲେନି।
୬୦ ଘଣ୍ଟାର ସଙ୍ଘର୍ଷ ପରେ ନୀରବି ଯାଇଛନ୍ତି ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୀଡ଼ିତାଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଜନ୍ମମାଟି ଭୋଗରାଇ ପଳାସିଆରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।