ଭୁବନେଶ୍ୱର,୦୭/୦୪; ଓଲିଉଡ଼ ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ଆସିଛି । ଆଉ ନାହାନ୍ତି ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁ । ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ ଓଡ଼ିଆ ଫିଲ୍ମ ନିର୍ମାତା ରବି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୭୫ ବର୍ଷ ବୟସରେ ଆଖି ବୁଜିଛନ୍ତି ରବି ସ୍ୱାଇଁ । ସେ ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ । ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ "ଜୋର ଯାର ମୂଲକ ତାର", ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ "କି ହେବ ଶୁଆ ପୋଷିଲେ", ଅବତାର ସିଂହଙ୍କ ନିର୍ଦ୍ଦେଶିତ "ପଞ୍ଜୁରୀ ଭିତରେ ଶାରୀ " ଏବଂ ଉଦଣ୍ଡୀ ସୀତା" ଚଳଚ୍ଚିତ୍ର ତିଆରି କରିଥିଲେ ରବି ସ୍ବାଇଁ । ଏହି ସବୁ ଫିଲ୍ମ ଓଡ଼ିଶାବାସୀଙ୍କ ମନରେ ଘର କରଥିଲା । ଯାହା ଆଜି ବି ତାଜା ଅଛି । ରବି ସ୍ୱାଇଁଙ୍କ  ବିୟୋଗ ଖବରକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।

ରବି ସ୍ଵାଇଁ କିଛି ଦିନ ଧରି ଯକୃତ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତାଙ୍କ କ୍ୟାରିଅର ଓଡ଼ିଶାକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଯାହା ସାରା ଓଡ଼ିଶାରେ ଦର୍ଶକଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା ।  ସିନେମା ବ୍ୟତୀତ, ଶିକ୍ଷା ଏବଂ ସମାଜସେବାରେ ତାଙ୍କର ଅବଦାନ ପାଇଁ ସେ ବହୁ ବାର ସମ୍ମାନିତ ହୋଇଥିଲେ । ସେ କ୍ଷେତ୍ରମୋହନ ମେମୋରିଆଲ୍ ଟ୍ରଷ୍ଟ, ଓମ୍ ଶାନ୍ତି କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, କ୍ଷେତ୍ରମୋହନ ଆଇଟିସି ଏବଂ ଦୈତାରୀ ଆଇଟିସି ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯାହା ଏହି ଅଞ୍ଚଳରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତାଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ଏବଂ ସାମାଜିକ କ୍ଷେତ୍ରରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...ଆକ୍ସନ ମୋଡ୍ରେ ଭଦ୍ରକ ପୁଲିସ : ୮ ଗୋ-ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍, ୬ ଗିରଫ ୨୦ ଲକ୍ଷ ଜବତ  

​​​​​​​ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅଞ୍ଚଳର ଅନେକ ରାଜନୈତିକ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।