ଖଲ୍ଲିକୋଟ, ୨୫/୧୧ : ସୁରଟରେ ବ୍ରେନ୍ ଡେଡ୍ ଘୋଷଣା ପରେ ଅଙ୍ଗ ଦାନ କଲେ ଓଡ଼ିଆ ଦାଦନ ଶ୍ରମିକ ପଞ୍ଚୁ ପ୍ରଧାନ। ମଙ୍ଗଳବାର ସକାଳ ୮ଟାରେ ତାଙ୍କର ମରଶରୀର ସୁରଟରୁ ଆମ୍ଵୁଲାନ୍ସ ଯୋଗେ ଆସି ପୈତୃକ ଗ୍ରାମ ଆମ୍ବଝର ନୂଆପଲ୍ଲୀରେ ପହଞ୍ଚିଥିଲା। ଶତାଧିକ ଗ୍ରାମବାସୀ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ନିଜ ଜନ୍ମମାଟିରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚୁ ପ୍ରଧାନଙ୍କ ଅନ୍ତିମ ସଂସ୍କାର ହୋଇଛି। ଜିଲ୍ଲାପାଳ ଓ ସାଂସଦଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଛି।
ସୂଚନାନୁଯାୟୀ, ଖଲ୍ଲିକୋଟ ବ୍ଲକ ଆମ୍ବଝର ନୂଆପଲ୍ଲୀ ଗ୍ରାମର କବିରାଜ ପ୍ରଧାନଙ୍କ ସାନ ପୁଅ ପଞ୍ଚୁ ପ୍ରଧାନ (୩୯ ବର୍ଷ) ୧୫ ବର୍ଷ ଧରି ସୁରତର କଡୋଦରା ଠାରେ ରହି ସୂତାକଳରେ କାରିଗର ଭାବେ କାମ କରୁଥିଲେ। ଗତ ୧୭ ତାରିଖ ଦିନ କାମରୁ ଫେରୁଥିବା ସମୟରେ ପଞ୍ଚୁ ରାସ୍ତାରେ ପଡିଯାଇ ବେହୋସ ହୋଇ ଯାଇଥିଲେ। ତାଙ୍କର କିଛି ସହକର୍ମୀ ଖବର ପାଇ ତାଙ୍କୁ ସେଠାକାର ନିଉ ସିଭିଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ୨୧ ତାରିଖ ଦିନ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଅଙ୍ଗ ଦାନ ମହତ ଦାନ ବୋଲି ଡାକ୍ତର ଓ ସୁରତ ପ୍ରବାସୀ ଓଡ଼ିଆ ସମାଜ ସେବୀ ଶ୍ରୀକାନ୍ତ ରାଉତଙ୍କ ସହଯୋଗରେ ପଞ୍ଚୁଙ୍କ ବଡ଼ ଭାଇଙ୍କୁ ବୁଝାସୁଝା କରାଯାଇଥିଲା। ପରିବାରର ସହମତି କ୍ରମେ ପଞ୍ଚୁଙ୍କ ଦୁଇଟି କିଡନୀ ଓ ଲିଭର ଦାନ କରାଯାଇଥିଲା।
ମଙ୍ଗଳବାର ସକାଳ ୮ଟାରେ ପଞ୍ଚୁ ପ୍ରଧାନଙ୍କ ମରଶରୀର ସୁରଟରୁ ଆମ୍ଵୁଲାନ୍ସ ଯୋଗେ ଆସି ପୈତୃକ ଗ୍ରାମ ଆମ୍ବଝର ନୂଆପଲ୍ଲୀରେ ପହଞ୍ଚିଥିଲା। ଶତାଧିକ ଗ୍ରାମବାସୀ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ପଞ୍ଚୁଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା। ମରଶରୀରକୁ ତ୍ରିରଙ୍ଗା ପତାକାରେ ଆଛାଦିତ କରି ଶ୍ମଶାନକୁ ନିଆଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ସ୍ବର୍ଗତ ପଞ୍ଚୁ ପ୍ରଧାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ସମୟରେ ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲ, ତହସିଲଦାର ଡି. ମାଲେଶ୍ୱର ପାତ୍ର, ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ତାଳପଡା ସରପଞ୍ଚ ମନୋଜ କୁମାର ସେଠି, ବିଜେପି ଯୁବନେତା ଅରୁଣ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
ପଞ୍ଚୁଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ସେ ଘରର ଏକମାତ୍ର ରୋଜଗାରକ୍ଷମ ଥିଲେ। ଘରେ ତାଙ୍କର ପତ୍ନୀ, ଗୋଟିଏ ୭ ବର୍ଷର ଝିଅ ଓ ୪ ମାସର ପୁଅ ରହିଛି। ପଞ୍ଚୁଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପତ୍ନୀ ଦୁଇ ଛୋଟ ପିଲାଙ୍କର କେମିତି ଲାଳନ ପାଳନ କରିବେ ସେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।