କଟକ ୦୯/୦୯: ଦଶରା’ ଗୀତକୁ ନେଇ ରହିଛି କେତେ କଥା, କେତେ ଗାଥା । ୧୯୯୦  ମସିହାରେ ଦଶହରା ସମୟରେ ତିଆରି ହୋଇଥିବା ଏକ ଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା । ଗୀତଟି ହେଲା ‘ଲେ ଲେଇଯା ଲଚ୍‌କମଣି ଲବଙ୍ଗଦିଆ  ପାନ..’ । ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବିଜୁ ସ୍ୱାଇଁଙ୍କ ସ୍ୱର ସଂଯୋଜନାରେ ତିଆରି  ଏହି ଗୀତକୁ ଲେଖିଥିଲେ ଗୀତିକାର ନିଜାମ୍‌ । ଗୀତରେ କଣ୍ଠଦାନ କରିଥିଲେ ମହମ୍ମଦ ସାଜିଦ୍‌ ଏବଂ ନିର୍ମଳା ସାହୁ(କୁନି) । ସେଲ୍‌ଟର୍‌ ଛକ ସ୍ଥିତ ଇଭାଞ୍ଜଲ ଷ୍ଟୁଡିଓରେ ରେକର୍ଡିଂ ହୋଇଥିବା ଏହି ଗୀତରେ ନିଜେ ବିଜୁ ସ୍ୱାଇଁ ବାସ୍‌ ଗୀ ଟାର୍‌ ବଜାଇଥିଲେ ।

ଏ ଗୀତକୁ ନେଇ ଥିବା ଅନୁଭୂତି ସମ୍ପର୍କରେ ବିଜୁ କହନ୍ତି, ଝଙ୍କାର ଇଲେକ୍ଟ୍ରୋନିକ୍ସର ପ୍ରଯୋଜକ ଥିବା ହୃଦୟ ବାବୁ ଏପରି ଏକ ଗୀତ କରିବାକୁ  ମତେ ଉତ୍ସାହିତ କରିଥିଲେ । ସେତେବେଳେ ଏହି ଗୀତରେ ଖର୍ଚ୍ଚ ହୋଇଥିଲା  ୬ ହଜାର ଟଙ୍କା । ଟି-ସିରିଜରେ ୧୫  ହଜାର ଟଙ୍କାରେ ଏହି ଗୀତ ବିକ୍ରି  ହୋଇଥିଲା । ୯ ହଜାର ଟଙ୍କା ଲାଭ  ମିଳିଥିଲା । ଏହି ଟଙ୍କାରେ କୋଣାର୍କର  ପୁଷ୍ପାଞ୍ଜଳି ମଡେଲ ଟିଭି କିଣି ଘରକୁ  ଆଣିଥିଲି । ସେ ସମୟରେ ଏପରି  ଗୀତର ବହୁତ ଚାହିଦା  ଥିଲା । ମୋର ପ୍ରଥମ  ଆଲବମ୍‌ ଗୀତ ବେଶ ସୁପରହିଟ୍‌ ହେବା ସହ  ଗଣେଶ ପୂଜାରୁ ଆରମ୍ଭ  କରି ଦୁର୍ଗାପୂଜା ମେଲୋଡି ଏବଂ ଭସାଣି ଉତ୍ସବ ଯାଏ ବାଜୁଥିଲା । ଲୋକେ ଦୋକାନରୁ କ୍ୟାସେଟ୍‌ କିଣି  ଘରେ ଟେପ୍‌, ଡେକ୍‌ ବକ୍ସରେ ବଜେଇ ଶୁଣୁଥିଲେ । ଆଜି ବି ଏ ଗୀତ ମୋର  ସୁପରହିଟ୍‌ ।

ଏ ଗୀତର ଲୋକପ୍ରିୟତା ପାଇଁ ଲୋକେ ମତେ ମେଲୋଡି କିଙ୍ଗ୍‌  ଡାକିଲେ । କୌଣସି ମେଲୋଡି କିମ୍ବା ଭସାଣ ଉତ୍ସବରେ ଏ ଗୀତ ବାଜିଲେ  ଏବେ ବି ଲୋକଙ୍କ ପାଦ ଆପେ ଉଠିଯାଏ । ଏହା  ସହ ଦର୍ଶକମାନେ ସବୁଠି ଏ ଗୀତ ମେଲୋଡିରେ  ଗାଇବାକୁ ଫରମାଇସ୍‌ କରନ୍ତି । ଆଜିଯାଏ ଏ  ଗୀତ ଲୋକପ୍ରିୟ ହୋଇ ରହିଛି । ଟି-ସିରିଜରେ  ଏହି ଗୀତ ରିଲିଜ୍‌ କରିବା ପାଇଁ ଏହାର ପ୍ରଡକ୍ସନ  ମ୍ୟାନେଜର ରାଜ୍‌ ଭାନଟଙ୍କୁ ଅଫର ଦେଇଥିଲି । ସାଉଣ୍ଡ  ଇଞ୍ଜିନିୟର ପ୍ରାଣ ମିଶ୍ର ଗୀତ ଶୁଣି ଖୁସି ହୋଇ ଟି-ସିରିଜରେ ରିଲିଜ୍‌ କରିଥିଲେ ।

ଏ ଗୀତ ପାଇଁ ଅକ୍ଷୟ  ମହାନ୍ତିଙ୍କଠାରୁ ଆରମ୍ଭ କରି ପ୍ରଫୁଲ୍ଲ କର, ବାସୁଦେବ ରଥ, ଅମରେନ୍ଦ୍ର ମହାନ୍ତି, ବିକାଶ  ଦାସ ଏବଂ ମହମ୍ମଦ ମୁସୀରଙ୍କ ପରି ବିଶିଷ୍ଟ  ସଙ୍ଗୀତଜ୍ଞମାନେ ମତେ ପ୍ରଶଂସା କରିଥିଲେ ।