ଭୁବନେଶ୍ୱର,୦୭/୦୨: ଝୁରୁଛି ମା’ କୋଳ.. କୋହରେ ଛାତି ଫାଟିଯାଉଛି । କିନ୍ତୁ ହୃଦୟରେ ବିଶ୍ୱାସ ଅଛି, ମୋ ପୁଅ ଫେରି ଆସିବ । ଭଗବାନ ନିଶ୍ଚୟ ପୁଅକୁ ଫେରାଇ ଆଣିବେ । ଏ ମା’ର ବିଶ୍ୱାସ.. ମୋ ପୁଅକୁ ଭଗବାନ ଏତେ ବଡ଼ ଦଣ୍ଡ କେବେବି ଦେବେନି । ଆଖିରୁ ଧାର ଧାର ଲୁହ ଝରେଇ ଥର ଥର କଣ୍ଠରେ କହିଛନ୍ତି ନିଖୋଜ ନାବିକ ସାର୍ଥକ ମହାପାତ୍ରଙ୍କ ମା’ ରଶ୍ମୀ ସାହୁ । ଆଜିକୁ ୪ ଦିନ ହୋଇଗଲା ସାର୍ଥକ ନିଖୋଜ ଅଛନ୍ତି । ଏପଟେ ପୁଅର ଫେରିବା ବାଟ ଚାହିଁ ବସିଛନ୍ତି ମା’ । କାନ୍ଦି କାନ୍ଦି କହୁଛନ୍ତି..ମୋ ଛୁଆକୁ ଠିକ୍ ଖୋଜାହେଉ..ମୋ ଛୁଆ ବିନା ମୋର କିଛି ନାହିଁ । ମୋ ଦୁନିଆ ଅନ୍ଧାର ହେଇଯିବ । ମୋ ପୁଅକୁ ମୋ କୋଳକୁ ଆଣିଦିଅ..

ଆହୁରି ପଢ଼ନ୍ତୁ :- ଜାହାଜରୁ ରହସ୍ୟଜନକ ଭାବେ ମେରାଇନ୍ ଇଞ୍ଜିନିୟର ଗାଏବ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ପରିବାର
 

ଚାଲିଛି ସର୍ଚ୍ଚ ଅପରେସନ୍, ୩ ଜାହାଜ ନିୟୋଜିତ

ସାର୍ଥକଙ୍କୁ ଖୋଜା ଚାଲିଛି । ସମୁଦ୍ରରେ ଚାଲିଛି ସର୍ଚ୍ଚ ଅପରେସନ । ଏଥିରେ ଆଖପାଖର ୩ଟି ପାଣି ଜାହଜ ନିୟୋଜିତ ଅଛନ୍ତି । ସିଙ୍ଗାପୁର ଓ ମରିସସ୍ ସହ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରହିଛି । ଏକ ପ୍ରେସ ରିଲିଜ ଜରିଆରେ ରାଜ୍ୟ ସରକାରଙ୍କ ଚିଠିର ଉତ୍ତର ରଖିଛନ୍ତି ସିପିଙ୍ଗ ଡିଜି । ଏନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ମଧ୍ୟ ସୂଚନା ଦେଇଛନ୍ତି ସିପିଙ୍ଗ ମହାନିର୍ଦ୍ଦେଶାଳୟ । ମାର୍ଚାଣ୍ଟ ସାର୍ଥକ ମହାପାତ୍ର ନିଖୋଜ ବୋଲି ଜଣାପଡ଼ିବା କ୍ଷଣି ତାଙ୍କୁ ଖୋଜିବାକୁ ତତ୍କାଳ ଏବଂ ସମନ୍ୱିତ ପଦକ୍ଷେପ ନିଆଯାଇଛି । ଜାତୀୟ ତଥା ଅନ୍ତର୍ଜାତୀୟ ଅଂଶୀଦାରଙ୍କ ସହ ସମନ୍ୱୟ ରକ୍ଷା କରି ସର୍ଚ୍ଚ ଏବଂ ରେସକ୍ୟୁ ଅପରେସନ ଚାଲିଛି । ବର୍ତ୍ତମାନ ମୋରିସସ୍ ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ ସେଣ୍ଟର (ଏମଆରସିସି) ସମନ୍ୱୟରେ ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ଼ିଶା ସରକାର ଘଟଣାକୁ ପ୍ରାଥମିକତା ଦେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲେ । ଉଚ୍ଚସ୍ତରୀୟ ସମୀକ୍ଷା କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଉପରେ କଡ଼ା ନଜର ରହିଛି । ପରିବାରକୁ ସବୁ ପ୍ରକାର ସହାୟତା ମିଳିବ ବୋଲି ସିପିଙ୍ଗ ମହାନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିରୋଧୀ ଦଳ ନେତା

ସାର୍ଥକଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ଦର, ନୌପରିବହନ ଏବଂ ଜଳପଥ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସାର୍ଥକଙ୍କ ସନ୍ଧାନ ପାଉଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ୍ ମିଡିଆ ଏକ୍ସରେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି । ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ ସେ କେନ୍ଦ୍ର ସରକାର, ସିପିଂ ଡିଜି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ନିଖୋଜ ନାବିକ ସାର୍ଥକ ମହାପାତ୍ର ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ସ୍ଥାନୀୟ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସହ ଆଲୋଚନା କରିଥିବା କହିଛନ୍ତି । ସେ କହିଛନ୍ତି, ସାର୍ଥକଙ୍କ ସହ ପ୍ରକୃତରେ କଣ ହୋଇଛି କିଛି ଜଣାପଡ଼ୁନାହିଁ କିନ୍ତୁ ପ୍ରୟାସ ଚାଲିଛି ।

ଅନ୍ୟପଟେ, ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ମଧ୍ୟ ସିପିଂ ଡିଜିଙ୍କୁ ଚିଠି ଲେଖି ସାର୍ଥକଙ୍କ ମା’ ରଶ୍ମୀ ସାହୁଙ୍କୁ ବ୍ୟକ୍ତିଗତ ଭେଟିଥିବା ଜଣାଇଛନ୍ତି । ମା’ ଓ ପରିବାରର ଯନ୍ତ୍ରଣାକୁ ଦର୍ଶାଇବା ସହ ସାର୍ଥକଙ୍କ ଖୋଜିବା ଦିଗରେ ସମସ୍ତ ଚେଷ୍ଟା ଓ ସହାୟତା ପାଇଁ ଅନୁରୋଧ କରିଛନ୍ତି । ସେହିପରି ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏକ୍ସରେ ପୋଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ:- ରାଇରଙ୍ଗପୁରର ଗର୍ବ ସାଜିଛି ହଲିଡେ ହୋମ୍, ଅବସର ପରେ ଏଇଠି ରହିବେ ରାଷ୍ଟ୍ରପତି