ଭୁବନେଶ୍ୱର,୦୧/୦୮: ଫିଲ୍ମ ଫ୍ରାଇଡେ ରିଲିଜ ପରଦାକୁ ଆସିବ ଓଡ଼ିଆ  ଚଳଚ୍ଚିତ୍ର ‘ଛି ରେ ନନୀ' । ଏଥର  ଛୋଟ ପରଦା ନୁହେଁ, ବରଂ ବଡ଼ ପରଦାରେ  ‘ଛି ରେ ନନୀ' କ୍ରେଜ୍‌ ଦେଖିବାକୁ ମିଳିବ ।  ଏକାସାଙ୍ଗରେ ରାଜ୍ୟର ୫୦ଟି ପ୍ରେକ୍ଷାଳୟରେ  ମୁକ୍ତିଲାଭ କରୁଥିବା ବେଳେ ଭୁବନେଶ୍ୱରରେ ପୂରା ୟୁନିଟ୍‌ ସହ କଳାକାରଙ୍କ ଗହଣରେ  ଗ୍ରାଣ୍ଡ୍‌ ପ୍ରିମିୟର୍‌ ଶୋ’ ହେବ । 

ବହୁଦିନ ପରେ ସଙ୍ଗୀତ ଭିତ୍ତିକ ପ୍ରେମ କାହାଣୀକୁ ନେଇ ସିଦ୍ଧାର୍ଥ ମ୍ୟୁଜିକ୍‌  ଓ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାର ଫିଲ୍ମ  ଆସୁଛି । ଏଥିରେ ଗ୍ରାମ୍ୟ ବାସ୍ତବତା ଓ ହୃଦୟ ବିଦାରକ ନାଟକୀୟତାକୁ ଏକ ବଳିଷ୍ଠ  କାହାଣୀ ତଥା ସାହସିକ ଚିତ୍ରଣ ମାଧ୍ୟମରେ  ଭିନ୍ନ କରିବାର ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ପୂର୍ବରୁ ଏହାର ଗୀତ ଗୁଡ଼ିକ  ଯଥେଷ୍ଟ ଲୋକପ୍ରିୟ ହୋଇଥିବାରୁ ଚଳଚ୍ଚିତ୍ର  ଦେଖିବା ପାଇଁ ପ୍ରବଳ ଭିଡ଼ ହେବ ବୋଲି  ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଦର୍ଶକଙ୍କୁ  ଅନେକ ସଫଳ ସିନେମା ଭେଟି ଦେଇଥିବା  ଅନୁଭବୀ ପ୍ରଯୋଜକ ସୀତାରାମ ଅଗ୍ରୱାଲ  ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ଏହି  ଚଳଚ୍ଚିତ୍ର ଏକ ନିଆରା ତଥା ନିରୀହ ପ୍ରେମ  କାହାଣୀକୁ ନେଇ ସମୃଦ୍ଧ ହୋଇଛି । ସେ ସିନେମାକୁ ନେଇ ବହୁ କିଛି ଆଶା ରଖିବା  ସହ ‘ଛିରେ ନନୀ ଛି..' ଗୀତ ଯେମିତି  ହିଟ୍‌ ହୋଇଥିଲା ସିନେମା ଆଉ ଦି’ ପାଦ  ଆଗକୁ ଯାଇ ସୁପରହିଟ୍‌ ହେବ ବୋଲି  କହିଛନ୍ତି ।

ଏଥିରେ ଦର୍ଶକ ନାୟକ ଶୈଳେନ୍ଦ୍ର  ଓ ନାୟିକା ଶିବାନୀଙ୍କୁ ପ୍ରଥମ କରି ଭିନ୍ନ  ଭୂମିକାରେ ଦେଖିବାକୁ ପାଇବେ । ଅଭିନେତା  ଦୀପନ୍ୱିତ ଦାଶମହାପାତ୍ର ମଧ୍ୟ ଦମ୍‌ଦାର୍‌  ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅନ୍ୟାନ୍ୟ  ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ,  ଧରିତ୍ରୀ ଖଣ୍ଡୁଆଳ, ସୁମନ୍ତ ମଣି, ଭକ୍ତି ରଞ୍ଜନ  ଓ ଆଦ୍ୟାଶା ପ୍ରମୁଖ ଅଭିନୟ କରିଛନ୍ତି ।  କାର୍ଯ୍ୟନିର୍ବାହୀ ପ୍ରଯୋଜକର ଗୁରୁ ଦାୟିତ୍ୱ  ତୁଲାଇଛନ୍ତି ଯୁବ ନିର୍ମାତା ଯୋଡ଼ି ସିଦ୍ଧାର୍ଥ ଓ  ତମନ୍ନା ଅଗ୍ରୱାଲ । ସଂଳାପ ଲେଖିଛନ୍ତି ସୁଶାନ୍ତ  ମଣି ଓ ହିରେନ କୁମାର । ‘ଛିରେ ନନୀ'ର  ଗୀତିକାର ଓ ସଙ୍ଗୀତକାର ହେଉଛନ୍ତି ସ୍ୱର୍ଗତ  ସତ୍ୟ ଅଧିକାରୀ । ଡିଓପିରେ ଅଛନ୍ତି କୁହୁ  ମଲ୍ଲ । କୋରିଓଗ୍ରାଫି କରିଛନ୍ତି ସୁମନ୍ତ ମଣି ।  ରିଲିଜ୍‌ ପୂର୍ବରୁ ନାୟକ ଶୈଳେନ୍ଦ୍ର ଓ ନାୟିକା  ଶିବାନୀଙ୍କ ସହ ଅନ୍ୟମାନେ ପୁରୀ ଯାଇ  ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା  ସହ ସଫଳତା ନେଇ ପ୍ରାର୍ଥନା କରିଛନ୍ତି।