ଭୁବନେଶ୍ୱର,୦୧/୧୦: ଲୋକଙ୍କୁ ଆତ୍କୃଷ୍ଟ କରିବାକୁ  ପ୍ରଯୋଜକଙ୍କ ନୂଆ ଉପାୟ । ଗୋଟିଏ ଟିକଟ୍‌ରେ ଦର୍ଶକ ମାଗଣାରେ  ଦେଖିବେ ଆଉ ଏକ ସିନେମା । ଚକ୍ର ନିର୍ଦ୍ଧାରଣ କରିବ ୪ଟି ସିନେମା  ଭିତରୁ କେଉଁ ଟିକଟ୍‌ ମିଳିବ । ତେବେ ଆସନ୍ତା ଅକ୍ଟୋବର ୪ ତାରିଖରେ  ରିଲିଜ୍‌ ହେଉଛି ସିନେମା "ସନମ୍‌ ତୁ  ସୁହାନା’ ।  ଏହି ଅବସରରେ ଆସନ୍ତା ୪ ରୁ ୬  ତାରିଖ ପର୍ଯ୍ୟନ୍ତ ସ୍ପିନ୍‌ ଅଫର୍‌ ଘୋଷଣା  କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ ।  

ଦଶହରାରେ ତଥା ଅକ୍ଟୋବର ୯  ତାରିଖରେ ଆସୁଥିବା ଅନ୍ୟ ୪ଟି ଫିଲ୍ମ  ‘କର୍ମ’, ‘ଭିଲେନ୍‌’, ‘ଖୋକାଭାଇ ତମ  ପାଇଁ’ ଓ ‘ଦୁର୍ଗା’ ସିନେମାକୁ ମଧ୍ୟ  ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ୍‌  କରୁଛନ୍ତି । ସୋମବାର ଏନେଇ ଏକ  ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ  ବିନି ପଟ୍ଟନାୟକ ଏବଂ ମିଡିଆ  ପ୍ଲାନର୍‌ ପ୍ରଣୟ ଜେଠୀ ଉପସ୍ଥିତ ରହି  ସବିଶେଷ ବର୍ଣ୍ଣନା କରିଛନ୍ତି । 

୪ ରୁ ୬ ତାରିଖ ଭିତରେ  ଯେଉଁ ଦର୍ଶକ "ସନମ୍‌ ତୁ ସୁହାନା’  ସିନେମାର ଟିକଟ୍‌ କାଟି ଦେଖିବାକୁ  ଆସିବେ ସେମାନେ ଏକ ସ୍ପିନ୍‌ ଗେମ୍‌ ଖେଳିବାର ସୁଯୋଗ ପାଇବେ । ଏହି  ସ୍ପିନ୍‌ର ତଥା ଚକ୍ର ଘୁରାଇବା ଫଳରେ  ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ  ସେହି ଫିଲ୍ମର ଟିକଟ୍‌ ମାଗଣା ମିଳିବ  ବୋଲି ପ୍ରଯୋଜକ କହିଛନ୍ତି । ଏଥିପାଇଁ  କୌଣସି ସମୟ ସୀମା ନାହିଁ ବରଂ  ଗୋଟିଏ ଟିକଟ୍‌ ପିଛା ଅନ୍ୟ ଗୋଟିଏ ଟିକଟ୍‌ର ବମ୍ପର ଅଫର୍‌ ବୋଲି ସେ  କହିଛନ୍ତି । ଅନ୍ୟ ପ୍ରଯୋଜକମାନଙ୍କ  ସହ ଏ ବିଷୟରେ ଆଲୋଚନା ସରିଛି  ସେମାନଙ୍କ ସହ ମିଳିତ ସହଯୋଗରେ  ଏହି ଅଫର୍‌ ଘୋଷଣା ହୋଇଥିବା ସେ  ଜଣାଇଛନ୍ତି । ଏମିତି କରିବା ଫଳରେ  ଲୋକମାନେ ତାଙ୍କ ଫିଲ୍ମ ସାଙ୍ଗକୁ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ।  ତା’ସହ ଓଡ଼ିଆ ଫିଲ୍ମର ଲଢ଼େଇ  ନୁହଁ, ବରଂ ଚଳିତ ବର୍ଷ ଦଶହରାରେ  ଭାଇଚାରା ଦେଖିବାକୁ ମିଳିବ ବୋଲି  ସେ କହିଛନ୍ତି ।