ଭୁବନେଶ୍ୱର,୨୩/୪ ​​​​​​​(ମନୋରଞ୍ଜନ ମହାନ୍ତି): ଜାତୀୟ ସ୍ତରରେ ସୁନାମ ସାଉଁଟୁଛି ଓଡ଼ିଆ ସିନେମା, କିନ୍ତୁ ରାଜ୍ୟରେ କାଟ୍ ଖାଉଛି । ପୁରସ୍କାର ପ୍ରଦାନ ବେଳେ ଜାତୀୟ ସ୍ତରରେ ଶ୍ରେଷ୍ଠତା ହାସଲ କରି ପୁରସ୍କାର ପାଉଥିବା ଓଡ଼ିଆ ସିନେମାଟି ରାଜ୍ୟସ୍ତରୀୟ ପୁରସ୍କାର ବେଳେ ସେହି ବିଭାଗରେ ପୁରସ୍କାର ପାଉନି । ଯାହା ସବୁବେଳେ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କେବଳ ସିନେମା ନୁହେଁ, ଯୋଗ୍ୟ କଳାକାର ବି ବଳି ପଡ଼ୁଛନ୍ତି ।

ଉଦାହରଣ ସ୍ୱରୂପ; ସିନେମା ‘ହାଲୋ ଆର୍‌ସି’ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସ୍ୱତନ୍ତ୍ର ବର୍ଗରେ ୨୦୧୮ ପାଇଁ ୬୫ତମ ଜାତୀୟ ପୁରସ୍କାର ପାଇଲେ ଏବଂ ସିନେମାକୁ ଶ୍ରେଷ୍ଠ ସିନେମା ଓ ଚିତ୍ରନାଟ୍ୟ ପାଇଁ ପୁରସ୍କାର ମିଳିଲା । ଯେତେବେଳେ ୨୦୧୯ରେ ୨୯ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେଲା ସେତେବେଳେ ଜୁରିଙ୍କୁ ପ୍ରକୃତିଙ୍କ ଅଭିନୟ ଭଲ ଲାଗିଲାନି । ସେ ତାଙ୍କୁ ପୁରସ୍କାର ଦେଲେନି କିନ୍ତୁ ଅନ୍ୟ ୪ଟି ବର୍ଗରେ ସିନେମା ପୁରସ୍କାର ପାଇଲା ।

ସେହିପରି ୧୯୮୫ର ପ୍ରଣବ ଦାସଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ‘ହାକିମ ବାବୁ’ ଦେଖନ୍ତୁ ଏବଂ ୨୦୧୪ର ସବ୍ୟସାଚୀ ମହାପାତ୍ରଙ୍କ ‘ଆଦିମ ବିଚାର’, ‘ଶଲା ବୁଢ଼ାର ବଦଲା’ ହେଉ କି ‘ପାହାଡ଼ର ଲୁହ’ । କଥା ଏଠି ଅଟକିନି... ଏମିତି ଦେଖିଲେ ତ ଏ ତାଲିକା ଆହୁରି ଲମ୍ବିବ । କିନ୍ତୁ ଜାତୀୟ ସ୍ତରରେ ବିଜ୍ଞ ଜୁରିଙ୍କ ମନ ଜିଣି ପୁରସ୍କାର ପାଇଲା ପରେ ସିନେମାଟି ରାଜ୍ୟସ୍ତରରେ କେମିତି ସେହି ବର୍ଗରେ ପୁରସ୍କାର କଟୁଛି ଏବଂ କେମିତି କଳାକାର କଟୁଛନ୍ତି । ଏମିତି କାହିଁକି ହେଉଛି ତାକୁ ନେଇ ଦ୍ୱନ୍ଦ୍ୱ ସହ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରିଙ୍କ ବିଜ୍ଞତା ଓ ଚୟନ ଶୈଳୀକୁ ନେଇ ପ୍ରଶ୍ନ ଉଠୁଛି । ପୁରସ୍କାର ଚୟନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ସହ କାଠଗଡ଼ାରେ ଛିଡ଼ା କରାଉଛି ।

ଅଧିକ ପଢ଼ନ୍ତୁ :- ଭାଇଜାନ୍ ଆରମ୍ଭ କଲେ ବାମଶୀଙ୍କ ସହ ଫିଲ୍ମର ସୁଟିଂ, ଲିଡ଼ରେ ନୟନତାରା

ଏହା ଉପରେ ବିଶିଷ୍ଟ ସିନେ ନିର୍ମାତା ତଥା ଅନେକ ଥର ଜାତୀୟ ଓ ରାଜ୍ୟ ପୁରସ୍କାର ପାଇଥିବା ଏବଂ ଉଭୟ ସ୍ତରରେ ଜୁରି ରହି ସାରିଥିବା ସବ୍ୟସାଚୀ ମହାପାତ୍ର କହିଛନ୍ତି, ବର୍ଷ ବର୍ଷ ଧରି ଓଡ଼ିଆ ସିନେମା କ୍ଷେତ୍ରରେ ଏମିତି ଅବହେଳା ହୋଇଆସିଛି । ମୁଁ ଅଧିକ କ’ଣ କହିବି? ମୋ ସହିତ ବି ସମାନ କଥା ଘଟିଛି, ଯାହାକୁ ନେଇ ଅନେକ ସମୟରେ ମୁଁ ବିସ୍ମିତ ଏବଂ ଆଶ୍ଚର୍ଯ୍ୟ ହୁଏ । ଆଉ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ନିର୍ମାତା କହିଛନ୍ତି, ଜାତୀୟ ପୁରସ୍କାର ପାଇବା ସହ ଜୁରି ରହିଥିବା ସିନେ ବ୍ୟକ୍ତିତ୍ୱଟିଏ ଯେତେବେଳେ ଓଡ଼ିଶା ରାଜ୍ୟରେ ଚଳଚ୍ଚିତ୍ର ପୁରସ୍କାର ଚୟନ ପାଇଁ ଜୁରି ହେଉଛନ୍ତି, ସେମାନେ ସବୁ ନିୟମ ଭୁଲି ଯାଉଛନ୍ତି କେମିତି? ଯଦି ଏମିତି ହେଉଛି ତେବେ ମାପଦଣ୍ଡ କ’ଣ? ଜୁରି ଚୟନ ଓ ସିନେମା ପୁରସ୍କାର ଲାଗି ମାପଦଣ୍ଡ ସ୍ଥିର ହେବା ଆବଶ୍ୟକ ।

ଏଥିପାଇଁ ଆୟୋଜକ କମିଟି ହୁଅନ୍ତୁ କି ପୁରସ୍କାର ପ୍ରଦାନ କରୁଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ହେଉ କିମ୍ବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ପ୍ରଥମେ ନିର୍ଦ୍ଦେଶାବଳୀ ସହ ମାପଦଣ୍ଡ ଧାର୍ଯ୍ୟ କରନ୍ତୁ । ଯାହାଦ୍ୱାରା ଜୁରି ଗଠନଠୁ ନେଇ ପୁରସ୍କାର ପ୍ରଦାନ ପର୍ଯ୍ୟନ୍ତ ପ୍ରତିସ୍ତରରେ ସ୍ୱଚ୍ଛତା ରହିବ । ନଚେତ୍ ସେମିତି ପ୍ରିୟାପ୍ରୀତି ତୋଷଣରେ ଯୋଗ୍ୟ ବଳି ପଡ଼ୁଥିବେ ଏବଂ ମୁହଁ ଦେଖା, ଭାବ-ସ୍ନେହ ଓ ସମ୍ପର୍କର ଧରାବନ୍ଧାରେ ପୁରସ୍କାର ଦିଆ ଚାଲିଥିବ । କିଏ ଜୁରିରୁ ଇସ୍ତଫା ଦେଇ ସର୍ବୋଚ୍ଚ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ନେଉଥିବ ତ କିଏ ଜୁରିରେ ରହି ନିଜ ସମ୍ପର୍କୀୟଙ୍କ ପାଇଁ ଲବି କରୁଥିବ । ତେଣିକି ନିୟମ ଚୁଲିକି ଯାଉ, ପୁରସ୍କାର କୋର୍ଟର ଚକ୍କର୍ କାଟୁଥାଉ। ସେମାନଙ୍କର ଯାଏ କେତେ ଆସେ କେତେ?

ଜଣେ ବରିଷ୍ଠ ସିନେ ସାମ୍ବାଦିକ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଏବେ ଚିରାଚରିତ ଧାରାରୁ ବାହାରି ନୂଆ ଇତିହାସ ଲେଖୁଥିଲା ବେଳେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବି ପରିବର୍ତ୍ତନ ଆସିବା ଜରୁରି । ନିୟମରେ ଆବଶ୍ୟକ ସଂଶୋଧନ ସହ ସ୍ୱଚ୍ଛତା, ଗୋପନୀୟତାରେ ଚୟନ ଜରୁରି । ନଚେତ୍ ସିନେମାକୁ ୧୦୦ ବର୍ଷ ହେଇଯିବ ଢାଞ୍ଚା ବଦଳିବନି । ଆଶା ରଖିବା, ନୂଆ ସରକାରରେ ଏ କ୍ଷେତ୍ରରେ ନୂତନତା ଆସିବ । ଅନ୍ତତଃ ଜାତୀୟ ସ୍ତରରେ ପୁରସ୍କାର ପରେ ଯେମିତି ବିଶେଷ ବାଦ ବିବାଦ ହୁଏନି ଏଠି ସେହି ପରମ୍ପରା ତିଆରି ହେବ ।