କଟକ,୩୧/୧୦: ପୁରୁଣା କ୍ଲାସିକ୍‌ ଓଡ଼ିଆ ଫିଲ୍ମରେ ଚାଲୁଥିବ । ଲୋକପ୍ରିୟ କଳାକାରଙ୍କ  ସର୍ବକାଳୀନ ଶ୍ରେଷ୍ଠ ଡାଏଲଗ୍‌ଗୁଡିକ ଧାଡ଼ି ଧାଡ଼ି ହେଇ  ଲେଖାଥିବ । କାରାଓକେରେ ଓଡ଼ିଶା ସଂଗୀତର ଧୂନ୍‌ରେ ଯେକେହି ନିଜ ସ୍ୱରକୁ ଯୋଡ଼ିପାରି ଗୀତକୁ ଅନୁଭବ  କରିପାରିବେ । ପ୍ରଦର୍ଶିତ ହେବ ୯ ଦଶନ୍ଧିର ଓଡ଼ିଆ ଚଳଚ୍ଚିତ୍ର କ୍ରମ ବିକାଶର ଚିତ୍ର । ଚଳିତ ବର୍ଷ କଟକ ବାଲିଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଏମିତି  ଏକ ନିଆରା ପରିବେଶ ସୃଷ୍ଟି କରିବାକୁ ଆଗେଇଛି  ଆୟୋଜକ ଜିଲ୍ଲା ପ୍ରଶାସନ । ବାଲିଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରୟୋଗଶାଳାକୁ ଲୋକେ ଦେଖିବାକୁ  ପାଇବେ ଏବଂ ପୁରୁଣା ଦିନର ସ୍ମୃତିରେ ନିଜକୁ ହଜେଇଦେବାର ଅଭିଜ୍ଞତା ବି ହାସଲ କରିବେ । 

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ସୀତା  ବିବାହ’ରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଅୟମାରମ୍ଭ । ୧୯୩୬ ମସିହାରେ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର  ମାନ୍ୟତା ପାଇଛି । ଏଭିତରେ ପ୍ରାୟ ୮୮ ବର୍ଷ  ବିତିବାକୁ ବସିଲାଣି । ଶତାଧିକ ଓଡ଼ିଆ କଥାଚିତ୍ର,  ହଜାର ହଜାର କଳାକାରଙ୍କ ସମୟ ଦେଇ ଗତି କରିଛି  ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । ଓଡ଼ିଆ ଅସ୍ମିତାର  ପ୍ରତିଛବି ମଧ୍ୟ ଏଥିରେ ପ୍ରତିଫଳିତ ହୋଇଛି । ଖାସ୍‌  ସେଇଥିପାଇଁ ଚଳିତ ବର୍ଷ ବାଲିଯାତ୍ରାରେ ଓଡ଼ିଆ  ଚଳଚ୍ଚିତ୍ରକୁ ନେଇ କିଛି ନିଆରା ଯୋଜନା ହାତକୁ  ନେଇଛି । ‘ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ  ଅସ୍ମିତା’ ପ୍ରସଙ୍ଗ ରଖି ପ୍ରଶାସନ ତରଫରୁ ତଳ  ବାଲିଯାତ୍ରା ପଡିଆର କଟକ ଇନ୍‌ କଟକ ପରିସରରେ  ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ ।  ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶର ଟିକିନିକି ଚିତ୍ରକୁ  ଏଠାରେ ସ୍ଥାନିତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।  

ସୂଚନା ମୁତାବକ, ଓଡ଼ିଆ ଚଳଚ୍ଚିତ୍ର ଉତ୍‌ଥାନରୁ  ନେଇ ବର୍ତ୍ତମାନ ସମୟ ଯାଏ ଏକ ଫଟୋଚିତ୍ର  ପ୍ରଦର୍ଶନୀ କରାଯିବ । ଯେଉଁଥିରେ ପ୍ରସିଦ୍ଧ କଳାକାର,  ସଂଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକଙ୍କ ଫଟୋଚିତ୍ର  ପ୍ରଦର୍ଶିତ ହେବ । ଚଳଚ୍ଚିତ୍ର ଦୁନିଆ କିଭଳି  ବୈଷୟିକ ସ୍ତର ଦେଇ ଗତି କରିଛି ସେ ସବୁକୁ  ଲୋକଙ୍କୁ ଦେଖାଇବାକୁ ଫିଲ୍ମ ତିଆରି କିଛି ଯନ୍ତ୍ରପାତି  ପ୍ରଦର୍ଶନୀ କରିବାକୁ ଯୋଜନା ରହିଛି । ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ ହେଲା, ଏକ ଆମ୍ପି ଥିଏଟର୍‌ କଟକ  ଇନ୍‌ କଟକ ଭିତରେ କରାଯିବ । ଯେଉଁଥିରେ ପ୍ରାୟ  ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ଏହା  ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି ଜଣାପଡିଛି । ଏଥିରେ  ବହୁ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ସେହିପରି କାରାଓକେ ବ୍ୟବସ୍ଥା ବି ଏଠାରେ ଉପଲବ୍ଧ  ରହିବ । ଅର୍ଥାତ୍‌ ଓଡ଼ିଆ ଗୀତ ଗୁଡିକର କେବଳ ଧୂନ୍‌  ଗୁଡିକ ଏଠାରେ ରହିଥିବ । ମାଇକ୍‌ ଯୋଗେ ଧୂନ୍‌କୁ  ବ୍ୟବହାର କରି ବାଲିଯାତ୍ରା ବୁଲିବାକୁ ଆସୁଥିବା  ଲୋକେ ନିଜେ ସେହି ଗୀତଗୁଡିକ ବୋଲିପାରିବେ ।  ଏ ସଂକ୍ରାନ୍ତରେ କଟକର ଉପଜିଲ୍ଲାପାଳ ଶିବ ଟପ୍ପୋ  କହିଛନ୍ତି, ଓଡ଼ିଆ ଅସ୍ମିତାକୁ ଲୋକଙ୍କ ମଧ୍ୟରେ ଜାଗୃତ  କରାଇବାକୁ ଏଭଳି ଉଦ୍ୟମ କରାଯାଉଛି । ଏକ  ଏଜେନ୍ସିକୁ ଏହାର ଦାୟିତ୍ୱ ଦିଆଯାଇଛି । ସେମାନେ  ବିଭିନ୍ନ ପ୍ରଯୋଜନା ଓ ନିର୍ଦ୍ଦେଶନା ସଂସ୍ଥା ସହ  ଯୋଗାଯୋଗ କରି ସେମାନଙ୍କ ସହଯୋଗ ନେବେ ।  ଓଡ଼ିଆ ଚଳଚ୍ଚିତ୍ରକୁ ଜନମାନସକୁ ଫେରାଇ ଆଣିବାକୁ  ଏଭଳି ପ୍ରଚେଷ୍ଟା କରାଯାଉଛି।

ସୂଚନାଯୋଗ୍ୟ, ଗତ  ଦୁଇବର୍ଷ ଧରି କଟକ ଇନ୍‌ କଟକକୁ ଥିମ୍‌ ପାର୍କ  ଭାବେ ବାଲିଯାତ୍ରାରେ ବ୍ୟବହାର କରାଯାଉଛି ।  ୨୦୨୨ ବାଲିଯାତ୍ରାରେ କଟକର ଐତିହାସିକ  କୀର୍ତ୍ତିରାଜିକୁ ନେଇ ଏକ ନିଆରା ପରିବେଶ ସୃଷ୍ଟି  କରାଯାଇଥିଲା । ଯେଉଁଥିରେ କଟକ ଚଣ୍ଡୀମନ୍ଦିର,  ଧବଳେଶ୍ୱର, ଗୁରୁଦ୍ୱାର, କଦମରସୁଲ, ଚର୍ଚ୍ଚ ଆଦିର  ନକଲ ତିଆରି କରାଯାଇ ପ୍ରଦର୍ଶିତ ହୋଇଥିଲା ।  ସେହିପରି ୨୦୨୩ରେ ଗ୍ରାମୀଣ ଓଡ଼ିଶାର ଚିତ୍ରର  ବିଷୟବସ୍ତୁରେ ପରିବେଶ ସୃଷ୍ଟି କରାଯାଇଥିଲା ।