ଭୁବନେଶ୍ବର, ୨୯ ।୧୧ : ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଛି ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.୦ । ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟୋଗୀତା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ଉଚ୍ଚ ମାଧ୍ୟମିକ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ହାକାଥନର ଆୟୋଜନ କରାଯିବ । ସେଥିପାଇଁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆଜି ଓଡ଼ିଆପ୍ରେନ୍ୟୁର ୱେବପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ୱେବପୋର୍ଟାଲ୍ ଜରିଆରେ ଛାତ୍ରଛାତ୍ରୀମାନେ ନିଜନିଜ ସୃଜନଶୀଳତାକୁ ପ୍ରଦର୍ଶନ କରିପାରିବେ। ନିଜ ନିଜ ମେଣ୍ଟରମାନଙ୍କ ସହାୟତାରେ ସେମାନେ ୱେବପୋର୍ଟାଲ୍ ମାଧ୍ୟମରେ ନିଜ ପ୍ରକଳ୍ପଭିତ୍ତିକ ଅଭିନବ ସୃଜନଶୀଳତା (Innovative Ideas) ପଞ୍ଜୀକୃତ କରିପାରିବେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସ୍ମିତା ରାଉତ, ଆଇଆଇଟି ଭୁବନେଶ୍ୱର ଆସିସଣ୍ଟାଣ୍ଟ ପ୍ରଫେସର ଡକ୍ଟର ନରେଶ ଚନ୍ଦ୍ର ସାହୁ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଉପନିର୍ଦ୍ଦେଶକ ସି.ଏଚ୍ ବିଜୟଲକ୍ଷ୍ମୀ, ଓଆଇସି, ସାମ୍ସ ଡ଼ ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକଳ୍ପ ବିଷୟରେ ଆଲୋଚନା କରି ନିର୍ଦ୍ଦେଶକ ନିୟତି ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ ଛାତ୍ରଛାତ୍ରୀମାନଙ୍କ ନିକଟରୁ ସର୍ବୋତ୍ତମ ନବସୃଜନ ଚିନ୍ତାଧାରାକୁ ସଂଗ୍ରହ କରିବ । ଏହା କେବଳ ନବସୃଜନକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ସହ ମିଶିବାକୁ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କ ଅଭିଜ୍ଞତାରୁ ଶିଖିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।
ଆସିଣ୍ଟାଣ୍ଟ ପ୍ରଫେସର ଡକ୍ଟର ନରେଶ ଚନ୍ଦ୍ର ସାହୁ ଏହି ହାକାଥନ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରତିଭା, ସୃଜନଶୀଳତା ଏବଂ ସମସ୍ୟା ସମାଧାନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଏବଂ ଆମେ ସେମାନଙ୍କୁ ଉତ୍କର୍ଷତା ଆଡ଼କୁ ମାର୍ଗଦର୍ଶନ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି । ହାକାଥନ୍ ଆୟୋଜନ ଫଳରେ ଛାତ୍ରଛାତ୍ରୀମାନଙ୍କର ନବସୃଜନ ଚିନ୍ତାଧାରାର ସଦୂପଯୋଗ ହୋଇପାରିବ ଏବଂ ସେମାନେ ସାମାଜିକ ଦୃଷ୍ଟିକୋଣରୁ ସମସ୍ୟାର ସମାଧାନ କରିପାରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଡିସେମ୍ବର ୨୦୨୫ ଏବଂ ଜାନୁଆରୀ ୨୦୨୬ ରେ ହେବାକୁ ଥିବା ଏହି ହାକାଥନ୍ ରେ ଓଡ଼ିଶାର ପ୍ରାୟ ୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏଥିସହ ୯୦୦ ରୁ ଅଧିକ ପ୍ରକଳ୍ପ ଭିତ୍ତିକ ସୃଜନଶୀଳତା ମିଳିପାରିବ ବୋଲି ଆଶା କରାଯାଉଛି । ଏହି ହାକାଥନରେ ମୁଖ୍ୟତଃ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେବେ । ସ୍ମାର୍ଟ ଓଡ଼ିଶା ହାକାଥନରେ ମୁଖ୍ୟତଃ କୃଷି, ସ୍ୱାସ୍ଥ୍ୟସେବା, ନବୀକରଣୀୟ ଶକ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବିଷୟବସ୍ତୁ ଉପରେ ଧ୍ୟାନ ଦିଆଯିବ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଥମେ ବିଦ୍ୟାଳୟସ୍ତରରେ ପରେ ଜିଲ୍ଲାସ୍ତରରେ ଏବଂ ଶେଷରେ ରାଜ୍ୟସ୍ତରରେ ଆୟୋଜନ କରାଯିବ ।