ଭୁବନେଶ୍ୱର,୨୫/୦୯: ଚଳିତ  ବର୍ଷ ପ୍ରଥମ ଥର ପାଇଁ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆର୍ଥିକ ସହାୟତା  ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର  ନିଷ୍ପତ୍ତି ନେଇଛନ୍ତି । ଢେଙ୍କାନାଳର ମୋଟ୍‌  ୩୮ଟି ମେଢ଼କୁ ଓଡ଼ିଆ ଭାଷା, ସାହିତ୍ୟ  ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କାର ଆର୍ଥିକ  ରାଶି ପ୍ରଦାନ କରାଯିବ । ସର୍ବମୋଟ୍‌  ୩୮ଟି ମେଢ଼କୁ ସମୁଦାୟ ୧୯ ଲକ୍ଷ  ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ  କରାଯିବା ନିମନ୍ତେ ସଂସ୍କୃତି ବିଭାଗ  ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟ, ଢ଼େଙ୍କାନାଳରେ ​​​​​​​ଲକ୍ଷ୍ମୀପୂଜା ମାହୋଲ୍‌ ଜମିଲାଣି । ନବବଧୂ ବେଶରେ ସଜେଇ ହେଲାଣି ସହର । ଆଗେଇ ଚାଲିଛି ତୋରଣ ନିର୍ମାଣ ।  ମଣ୍ଡପରେ ତିଆରି ଚାଲିଛି ମୃଣ୍ମୟୀ ମୂର୍ତ୍ତି । ଆଉ ମାତ୍ର ଦିନ କେଇଟାକୁ ଅପେକ୍ଷା । ଆସନ୍ତା ୬ ତାରିଖରେ ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ ।  ଉତ୍ସାହର ସହ ସମସ୍ତ ପ୍ରସ୍ତୁତି ଚାଲିଛି । ଖାଲି ଢେଙ୍କାନାଳବାସୀ କାହିଁକି ଦୂରଦୂରାନ୍ତରୁ ଲୋକ ବି ଚାହିଁ ରହିଛନ୍ତି ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା  ଦେଖିବାକୁ । ପୂଜା ଯେତିକି ପାଖେଇ ଆସୁଛି, ଉତ୍ସାହ ଓ ଉଦ୍ଦୀପନା ସେତିକି ବଢ଼ି ଚାଲିଛି । ଏହାରି ଭିତରେ ସଂସ୍କୃତି ବିଭାଗ ପକ୍ଷରୁ ଗଜଲକ୍ଷ୍ମୀ ପୂଜା କମିଟି ପାଇଁ ସହାୟତା ରାଶି ଘୋଷଣା କରାଯାଇଛ। ୩୮ଟି ମେଢ଼କୁ ସମୁଦାୟ ୧୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।