କଟକ,୧୧/୧୦: ରାୟଗଡ଼ା ଜିଲ୍ଲାରେ କେତେକ ଉନ୍ନୟନ କାମକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ଆବେଦନକାରୀ ଯୁକ୍ତିଯୁକ୍ତ ତଥ୍ୟ ଉପସ୍ଥାପନ କରି ନ ପାରିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି ।
ଏଭଳି ଭିତ୍ତିହୀନ ଜନସ୍ୱାର୍ଥ ମାମଲା ରୁଜୁ କରି ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ୨୫ ହଜାର ଟଙ୍କାର ଅର୍ଥ ଦଣ୍ଡ କରିଛନ୍ତି । ଆବେଦନକାରୀ ଗଙ୍ଗାଧର କୌଶଲ୍ୟଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରୀ କୌଶଲ୍ୟ ବିଭିନ୍ନ ପ୍ରକଳ୍ପରେ ହୋଇଥିବା କେତେକ କାର୍ଯ୍ୟରେ କିପରି ଦୁର୍ନୀତି ହୋଇଛି ସେ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଅନେକ ଗୁଡ଼ିଏ ପ୍ରକଳ୍ପ ହାତକୁ ନିଆଯାଇଛି । କିନ୍ତୁ ସେହିସବୁ ପ୍ରକଳ୍ପ କରା ନଯାଇ ସେ ବାବଦ ଅର୍ଥ ଆତ୍ମସାତ୍ କରାଯାଇଛି । ତେଣୁ ଏହି ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ ।
ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଏହାର ପ୍ରତିବାଦ କରିଥିଲେ । ପ୍ରଥମେ ଆବେଦନକାରୀ ଅଦାଲତକୁ ଆସିବା ପୂର୍ବରୁ ତାଙ୍କ ଅଭିଯୋଗ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଅବଗତ କରିନାହାନ୍ତି । ମାମଲା ଯେଉଁଦିନ ହାଇକୋର୍ଟରେ କରିଛନ୍ତି ଏହାର ଦୁଇ ଦିନ ପରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପଠାଇଥିବା ତାଙ୍କ ରସିଦ୍ରୁ ଜଣାପଡ଼ିଛି । ତେଣୁ ଏଭଳି ଜନସ୍ୱାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ଏଜିଏ ଶ୍ରୀ ତ୍ରିପାଠୀ ଅଦାଲତଙ୍କୁ କହିଥିଲେ । ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରିବା ସହ ତାଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି ।