ଭୁବନେଶ୍ୱର, ୧୯।୨: ୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟ ନେଇ ସରକାର ସମସ୍ତ ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବାଲ୍ୟ ବିବାହ ମୁକ୍ତ ଦୌଡ଼ରେ ସାମିଲ ହୋଇଛି ଦେବଗଡ଼ ଜିଲ୍ଲା । ସୂଚନା ଅନୁସାରେ, ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ଦେବଗଡ ଜିଲ୍ଲାରେ ବାଲ୍ୟ ବିବାହ ହାର ୨୩ ପ୍ରତିଶତ ଥିବାବେଳେ ୨୦୧୯ରେ ୧୯ପ୍ରତିଶତକୁ ଖସିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ସମୀକ୍ଷା ପରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଦେବଗଡ଼ ଜିଲ୍ଲାର ୩୬୪ ଗ୍ରାମ ଓ ପୌରାଞ୍ଚଳର ୧୧ଟି ୱାର୍ଡକୁ "ବାଲ୍ୟ ବିବାହ ମୁକ୍ତ' ଘୋଷିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବାରକୋଟ ବ୍ଲକର ୧୪୦ ଗ୍ରାମ, ରିଆମାଳ ବ୍ଲକର ୧୧୬ ଗ୍ରାମ, ତିଳେଇବଣୀର ୧୦୮ ଗ୍ରାମ ଓ ପୌରାଞ୍ଚଳର ୧୧ ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ... ଘୋଷଣାରେ ଅଟକିଛି ରାଜ୍ୟ ଟ୍ରାନ୍ସଜେଣ୍ଡର ବୋର୍ଡ , ସଦସ୍ୟ ନିଯୁକ୍ତି କିମ୍ବା କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀ ନେଇ ମିଳିନି ସ୍ପଷ୍ଟ ସୂଚନା
ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ବାଲ୍ୟ ବିବାହକୁ ପ୍ରତିହତ କରିବା ପାଇଁ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ ଘୋଷିତ କରାଯାଇଛି । ଏହି କ୍ରମରେ ଦେବଗଡ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରୀ ବିଭାଗ ଯଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସମାଜ ମଙ୍ଗଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତା’ ସହିତ ବାଲ୍ୟ ବିବାହ ନିଷେଧ ଆଇନ ପ୍ରବର୍ତ୍ତନ ମାଧ୍ୟମରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବାଲ୍ୟ ବିବାହକୁ ପ୍ରତିହତ ପାଇଁ ପ୍ରଶାସନର ନିର୍ଦ୍ଦେଶରେ ଦେବଗଡ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ ପରିସର ଭାବେ ଘୋଷିତ କରାଯାଇଛି ।
ସମସ୍ତ ଗ୍ରାମ ଓ ବ୍ଲକର ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ଟାସ୍କ ଫୋର୍ସ ଗଠନ କରାଯାଇଛି । ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀମାନେ ବିବାହ ପଞ୍ଜୀକରଣ ରେଜିଷ୍ଟରରେ ସମସ୍ତ ବିବାହକୁ ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କରୁଛନ୍ତି । ବାଲ୍ୟ ବିବାହ ସୂଚନା ପ୍ରଦାନକାରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ୩୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ବାଲ୍ୟ ବିବାହ ସମ୍ପର୍କିତ ସମସ୍ତ ଅଭିଯୋଗ ଗ୍ରହଣ କରିବାକୁ ଜରୁରୀକାଳୀନ ୨୪ ଘଣ୍ଟିଆ ଚାଇଲ୍ଡ ହେଲ୍ପ ଲାଇନ -୧୦୯୮ ଓ ମହିଳା ସହାୟତା ନମ୍ବର-୧୮୧ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି । ସୂଚନଯୋଗ୍ୟ କି ସରପଞ୍ଚଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଗ୍ରାମରେ ପଲ୍ଲିସଭା କରାଯାଇ ସରକାରୀ ମାର୍ଗଦର୍ଶିକା ଓ ମୂଲ୍ୟାଙ୍କନ ପ୍ରକ୍ରିୟା ଅନୁଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ପଲ୍ଲିସଭା ବିବରଣୀ ସରପଞ୍ଚଙ୍କ ଜରିଆରେ ସମୀକ୍ଷା ପାଇଁ ଉପସ୍ଥାପନ କରାଯାଇଥିଲା । ପଲ୍ଲିସଭା ବିବରଣୀର ସମୀକ୍ଷା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଅନୁମୋଦନ ପାଇଁ ସୁପାରିଶ କରିଥିଲେ ।