ଭୁବନେଶ୍ୱର,୦୭/୦୩: ରଣହୁଙ୍କାର ଛାଡ଼ିବ ବିଜୁ ଜନତା ଦଳ । ବିଜୁବାବୁଙ୍କୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବ । ଧାନ ମଣ୍ଡିରେ ଅବ୍ୟବସ୍ଥା, ଆଇନଶୃଙ୍ଖଳା, ପଞ୍ଚାୟତିରାଜ ଦିବସରେ ବିଜୁ  ବାବୁଙ୍କ ଜୟନ୍ତୀ ପାଳନ ନକରିବା ଆଦି ପ୍ରସଙ୍ଗରେ  ଶାଣିତ ଆକ୍ରମଣ କରିବ । ଶାସକ ବିଜେପି ବି  ପାଲଟା ଆକ୍ରମଣ କରିବ । ଆତ୍ମରକ୍ଷା ବଦଳରେ  ଦଳ ପୂରା ଆକ୍ରମଣ ମୁଦ୍ରାରେ ରହିବ । ୨୪  ବର୍ଷରେ ବିଜୁଙ୍କ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ  କରି ବିଜେଡିକୁ କାଠଗଡ଼ାରେ ଛିଡ଼ା କରାଇବ ।  କଂଗ୍ରେସ ମଧ୍ୟ ବିଜୁ, ମହିଳା ହିଂସା ଓ ଚାଷୀ  ପ୍ରସଙ୍ଗରେ ସରକାରଙ୍କୁ ମାଗିବ ଜବାବ ।  

ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ।  କାର୍ଯ୍ୟସୂଚୀ ଅନୁଯାୟୀ ଏହା ଏପ୍ରିଲ୍‌ ୫ ପର୍ଯ୍ୟନ୍ତ  ଚାଲିବ । ଏହି ଅଧିବେଶନ କାଳରେ ଖର୍ଚ୍ଚଦାବି ନେଇ ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ  ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ବିଜୁଙ୍କୁ ନେଇ ରାଜ୍ୟ ରାଜନୀତି ଏବେ ତତଲା ରହିଛି ।  ବିଜୁ ଜୟନ୍ତୀରେ ୩୦ ବର୍ଷ ହେବ ପଞ୍ଚାୟତିରାଜ  ଦିବସ ପାଳିତ ହୋଇ ଆସୁଥିଲା । ମାତ୍ର ହଠାତ୍‌  ରାଜ୍ୟ ସରକାର ଏହାକୁ ବନ୍ଦ କରି ଏପ୍ରିଲ ୨୪କୁ  ଘୁଞ୍ଚାଇ ଦେଇଛନ୍ତି । ସରକାରୀ ଛୁଟି ବି ବାତିଲ  କରାଗଲା । ଏହାକୁ ନେଇ ବିଜୁ ଜନତା ଦଳ ରାଗରେ ନିଆଁବାଣ । ଶାସକ ବିଜେପି ଓ ବିରୋଧୀ  ବିଜେଡି ଏବେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । 

ଶଙ୍ଖ ଭବନରେ ବିଜୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି  ଜଣାଇ ଦଳର ସଭାପତି ତଥା ବିରୋଧୀ ଦଳ  ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ  କଠୋର ସମାଲୋଚନା କରିଛନ୍ତି । ସରକାର  ଆସିବ ଓ ଯିବ । ବିଜୁ ବାବୁ କିନ୍ତୁ ସବୁଦିନ ପାଇଁ  ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି । ପଞ୍ଚାୟତିରାଜ  ଦିବସ ବନ୍ଦ କରି କ’ଣ ବିଜୁଙ୍କ ଲିଗାସୀ ବନ୍ଦ  କରିପାରିବ? ସରକାରକୁ ଏମିତି ପାଲଟା ପ୍ରଶ୍ନ  କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀରେ ବିଜେଡିକୁ  କାଠଗଡ଼ାରେ ଛିଡ଼ା କରାଇ କହିଛନ୍ତି, ୨୪ ବର୍ଷରେ  କ’ଣ କରିଛ? ବିଜୁଙ୍କ ସ୍ୱପ୍ନ ସାକାର କରିବାକୁ  ଆମ ସରକାର କାମ ଆରମ୍ଭ କରିଛି । ତୁମେ  ଖାଲି ଭୋଟବ୍ୟାଙ୍କ ରାଜନୀତି ପାଇଁ ବିଜୁଙ୍କ  ନାଁ ନେଉଥିଲ । ପଞ୍ଚାୟତିରାଜ ଦିବସ ତାରିଖ  ବଦଳାଇବା ପ୍ରତିବାଦରେ ସାରା ରାଜ୍ୟରେ  ବିଜେଡି ଗୁରୁବାର ଆନ୍ଦୋଳନକୁ ଓହ୍ଳାଇଥିଲା ।  ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଆକ୍ଷେପ,  ପ୍ରତିଆକ୍ଷେପ ବଢ଼ି ଚାଲିଛି । ବିଧାନସଭାରେ ଏହାର  ପ୍ରତିଫଳନ ଦେଖିବାକୁ ମିଳିବ ।  

କଂଗ୍ରେସ ମଧ୍ୟ ସରକାରଙ୍କୁ ବିଭିନ୍ନ  ପ୍ରସଙ୍ଗରେ ଘେରାବନ୍ଦୀ କରିବ । ଭକ୍ତ ଚରଣ  ଦାସ ଦଳର ନୂଆ ପିସିସି ସଭାପତି ହେବା ପରେ କଂଗ୍ରେସ ଏବେ ଆକ୍ସନ ମୋଡ୍‌ରେ । ୮ ମାସରେ  ୧୬୦୦ ମହିଳା ବିରୋଧୀ ହିଂସା ଓ ୫୪ ଗଣ  ବଳାତ୍କାର ପ୍ରସଙ୍ଗରେ ଦଳ ସରକାରଙ୍କୁ ଜବାବ  ମାଗିବ । କଳା ତାଲିକାଭୁକ୍ତ ସଂସ୍ଥାକୁ ଅଗ୍ନିଶମ  ଷ୍ଟେସନ ଅଫିସର, ପୁଲିସ ଏସଆଇ ଓ ସହକାରୀ  ଜେଲର ପରୀକ୍ଷା ପରିଚାଳନା ଭାର ଦେଇ ସରକାର  ଚାକିରି ବିକ୍ରିରେ ମାତିଛନ୍ତି ବୋଲି ଅଭିଯୋଗ  ଆଣିବ ଦଳ । ଏହାଛଡ଼ା ଧାନମଣ୍ଡିରେ ଚାଷୀ  ଶୋଷଣ, ଇ କେୱାଇସି ଆଳରେ ସରକାର ଲକ୍ଷ  ଲକ୍ଷ ଗରିବ ପରିବାରର ରାସନ କାର୍ଡ କାଟୁଥିବାରୁ  ଦଳ ଏହାକୁ ଅସ୍ତ୍ର କରି ଜୋରଦାର ଆକ୍ରମଣ କରିବାକୁ ସ୍ଥିର କରିଛି । ତାଜା ପ୍ରସଙ୍ଗକୁ ଧରି  ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବେଶ  ସରଗରମ ହେବ ।   

ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ  ୭ରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ  ଗୃହରେ ଉପସ୍ଥାପନ ହେବ । ୧୦ ତାରିଖରୁ ୨୮  ଯାଏଁ ବଜେଟ୍‌ ଉପରେ ଆଲୋଚନା ହେବ ।  ମାର୍ଚ୍ଚ ୨୯ରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ ।  

ଉଲ୍ଲେଖଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ  ପର୍ଯ୍ୟାୟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୩ରୁ  ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ  ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ  ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ  କରିଥିଲେ ।