ନୂଆପଡ଼ା, ୧୭।୭: ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଗୁରୁବାର ନୂଆପଡ଼ା ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ପାଳନ । କଂଗ୍ରେସର ବନ୍ଦ ଡାକରାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ୍ ଆଦି ବନ୍ଦ ରହିଛି । ଏହା ସହିତ ପୁରା ଜିଲ୍ଲାରେ ଚକ ଅଖ ଠପ୍ ରହିଛି । ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜ ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସାର୍ ଫେବର ମାଗୁଥିବା ନେଇ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ସେଠାରେ ନ୍ୟାୟ ନମିିଳିବାରୁ ବାଲେଶ୍ବର ଏସପି, ସ୍ଥାନୀୟ ବିଧାୟକ, ସାଂସଦଙ୍କୁ ନ୍ୟାୟ ଭିକ୍ଷା କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏକ୍ସରେ ପୋଷ୍ଟ କରି ଜଣାଇଥିଲେ । ସବୁଠୁ ନିରାଶ ହେବାରେ ପରେ ଚରମ ନିଷ୍ପତ୍ତି ନେଇଥିଲେ । କଲେଜ କ୍ୟାମ୍ପସରେ ନିଜ ଉପରେ ପେଟ୍ରେୋଲ ଢାଳି ଆତ୍ମାହୁତି ଦେଇଛନ୍ତି । ସୋମବାର ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ପୀଡ଼ିତା କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବି ଗୁରୁବାର ରାଜ୍ୟ କଂଗ୍ରେସ, ସଭାପତି ଭକ୍ତଚରଣ ଦାସଙ୍କ ଆହ୍ଵାନ କ୍ରମେ ଓଡ଼ିଶା ବନ୍ଦ ଡାକରା ଦେଇଛି ।
ଏହି କ୍ରମରେ ଆଜି ନୂଆପଡ଼ା ଜିଲ୍ଲା କଂଗ୍ରେସ ସଂଯୋଜକ ଘାସିରାମ ମାଝିଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଛି । ଏଥିରେ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ସହ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସ୍ଥାନୀୟ ଏକତା ଛକରେ କଂଗ୍ରେସ ନେତା ଓ କର୍ମୀମାନେ ଟେଣ୍ଟ ଲଗାଇବା ସହ ଚୌକି ପକାଇ ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ବେଳେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ବରିଷ୍ଠ ନେତା ଆଲୋକ ଗୁରୁ, ହରି ମାଝି, ଅଭୟ ଯୋଶୀ, ଅଶୋକ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।