ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ୍‌ରେ ସୁଭଦ୍ରା ସୁରକ୍ଷା ଯୋଜନାକୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଇଛି। ଏହି ଯୋଜନା ପାଇଁ ୧୧୭ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି –ଆମ ସରକାର ସାର୍ବଜନୀନ ସୁରକ୍ଷା , ନ୍ୟାୟ ପ୍ରଦାନ ବ୍ୟବସ୍ଥା ଓ ସୁଶାସନକୁ ଶକ୍ତିଶାଳୀ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା-ଆଧାରିତ ଏବଂ ନାଗରିକ –କେନ୍ଦ୍ରିତ ସୁଧାରକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟାକୁ ଆହୁରି ସୁଦୃଢ କରିବା ଏବଂ ପୁଲିସ , ଅଗ୍ନିଶମ ଏବଂ ଚିକିତ୍ସା ସେବାର ଦ୍ରୁତ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ଜରୁରୀକାଳୀନନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ-ଡାଏଲ ୧୧୨ ପାଇଁ ୬୧ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି।

ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି , ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି , ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି। ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି -୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ,ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି , ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା ,ରାଜ୍ୟ AI ମିଶନ ପାଇଁ ୨୩ କୋଟି ଓ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।