ଭୁବନେଶ୍ୱର,୨୫/୦୧: ଆଜିଠୁ ଓଡ଼ିଶା ପର୍ଯ୍ୟଟନ ଇତିହାସରେ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ । ପର୍ଯ୍ୟଟକଙ୍କୁ ଅଭୂତପୂର୍ବ ଆନନ୍ଦ ଦେବାକୁ ଆରମ୍ଭ ହେବ କାରାଭାନ୍ ସେବା । ଏହାର ଗ୍ରାଣ୍ଡ୍ ଲଞ୍ଚିଂ କାର୍ଯ୍ୟକ୍ରମ ବିଶ୍ୱ ପ୍ରସିଦ୍ଧ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ପୂର୍ବାହ୍ଣ ୧୧ଟା ସମୟରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦ୍‌ଘାଟନ କରିବେ । ଯେହେତୁ ଏହି କାର୍ଯ୍ୟକ୍ରମ ଘରୋଇ ଭାଗିଦାରିତା ତଥା ସହାୟତାରେ ପିପିପି ମୋଡ୍‌ରେ ହେଉଛି ତେଣୁ ଓଡ଼ିଶା ପର୍ଯ୍ୟଟନ ସହାୟତା ବିକାଶ ଇକୋ ରିସୋର୍ଟସ୍ ପକ୍ଷରୁ ଏହାର ଶୁଭାରମ୍ଭ ହେଉଛି ।

ଆହୁରି ପଢ଼ନ୍ତୁ:-ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼; ତୀର୍ଥ ପୁଷ୍କରିଣୀରେ ତିନି ଠାକୁରଙ୍କ ମହାସ୍ନାନ, ବୁଡ଼ ପକାଇଲେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

ଯଦିଓ ବହୁତ ଦିନ ଧରି ଓଡ଼ିଶା ପର୍ଯ୍ୟଟନ ସହ କାରାଭାନ୍‌କୁ ଯୋଡ଼ି କାରାଭାନ୍ ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ଲାଗି ଯୋଜନା ହୋଇଥିଲା,ତାହା ସଫଳ ହୋଇପାରିନଥିଲା । ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଥିଲା ବେଳେ ଏହା ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ କାରାଭାନ୍ । ଏହାର ପରିଚାଳନା ଦାୟିତ୍ୱରେ ଥିବା ବିକାଶ ଇକୋ ରିସୋର୍ଟସ୍ ପୂର୍ବରୁ ଚିଲିକାରେ ପ୍ରଥମ ବିଳାସପୂର୍ଣ୍ଣ କ୍ରୁଜ୍ ଚଳାଇଥିଲା ବେଳେ ଏବେ ରାଜ୍ୟରେ ପ୍ରଥମ କାରାଭାନ୍ ସେବା ଆରମ୍ଭ କରିବାକୁ ଯାଉଛି । ସରକାର ଆସିବା ପରେ କାରାଭାନ୍ ଟୁରିଜିମ୍‌ର ଶୁଭାରମ୍ଭ ନେଇ ଉଦ୍ୟମ ଆରମ୍ଭ କରିଥିଲେ ।ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ସମୀକ୍ଷା ସହ ସ୍ଥାନ ଚିହ୍ନଟ ପାଇଁ ଗୁରୁତ୍ୱ ଦେଇଥିଲେ । ଆଗାମୀ ଦିନରେ ସମସ୍ତ ଇକୋ ରିଟ୍ରିଟ୍ ସ୍ଥଳ ଏବଂ ଦେଓମାଳିରେ ଏହି କାରାଭାନ୍‌ର ଶୁଭାରମ୍ଭ ହେବା ନେଇ ସୂଚନା ମିଳୁଛି ।