ଭୁବନେଶ୍ୱର,୧୬/୧୧: ମିଶନ ଉତ୍କର୍ଷ ଓଡ଼ିଶା । ଓଡ଼ିଶାକୁ ଅଧିକ ନିବେଶକ ଭିଡ଼ିବାକୁ ଫୁଲଦମରେ କସରତ କରୁଛନ୍ତି ରାଜ୍ୟ ସରକାର । ଦେଶ ପରେ ଏବେ ବିଦେଶରୁ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାକୁ ହେବ ରୋଡ୍ ସୋ । ଏଥିପାଇଁ ଶନିବାର ସକାଳୁ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ବରିଷ୍ଠ ପ୍ରତିନିଧି ଦଳ ମଧ୍ୟ ସାଙ୍ଗରେ ଯାଇଛି। ସିଙ୍ଗାପୁରରେ ଶିଳ୍ପ ବିଭାଗ ରୋଡ ସୋ’ର ଆୟୋଜନ କରାଯିବ।
ସିଙ୍ଗାପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱର ନିବେଶକଙ୍କ ପ୍ରଥମ ପସନ୍ଦ ହେବ ଆମ ରାଜ୍ୟ । ସିଙ୍ଗାପୁରରେ ଆମର ସ୍ପଷ୍ଟ ବାର୍ତ୍ତା ରହିବ, ଓଡିଶା ନିବେଶ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଓଡିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢାଇବା ପାଇଁ ଆମେ ଚେଷ୍ଟା କରିବୁ । ସିଙ୍ଗାପୁରର କେମିକାଲ, ଗ୍ରୀନ୍ ଏନର୍ଜି, ବସ୍ତ୍ର ନିର୍ମାଣ, ଜାହାଜ ନିର୍ମାଣ, ଲଜିଷ୍ଟିକ୍, ଇଲେକ୍ଟ୍ରୋନିକ୍ ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି । ଆମେ ସେହି କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ । ଓଡିଶାରେ ପ୍ରକୃତି ସମ୍ବଳ, ଦକ୍ଷ ମାନବ, ସମ୍ବଳ ଉନ୍ନତ ଶିଳ୍ପ ନୀତି ସମ୍ବନ୍ଧରେ ଆମେ ସେଠାରେ ଜଣାଇବୁ ।
ସୂଚନା ମୁତାବକ, ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ସବୁ ସମ୍ଭାବନା ଓ ସରକାରଙ୍କ ସହଯୋଗର ପ୍ରତିଶ୍ରୁତି ଦେବେ । ସିଙ୍ଗାପୁରରୁ ମୋଟା ଅଙ୍କର ନିବେଶ ଆସିବ ବୋଲି ଶିଳ୍ପ ବିଭାଗ ଆଶାବାଦି ଅଛି । ୧୭ରୁ ୨୦ ଯାଏ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରର ଶିଳ୍ପପତି ଓ ବାଣିଜ୍ୟିକ ପ୍ରତିନିଧିଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି ।
ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ‘ଉତ୍କର୍ଷ ଓଡ଼ିଶା: ମେକ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ ହେବ । ନୂଆଦିଲ୍ଲୀ ଓ ମୁମ୍ବାଇ ରୋଡ ସୋ’ ସଫଳତା ପରେ ରାଜ୍ୟ ଶିଳ୍ପ ବିଭାଗ ବିଦେଶ ଉପରେ ଆଖି ପକାଇଛି।