କୋଣାର୍କ, ୦୧/୧୨: ଉତ୍ସବମୁଖର ଅର୍କକ୍ଷେତ୍ର କୋଣାର୍କ । ସୋମବାରଠୁ ଆରମ୍ଭ ହେବ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ । ରବିବାର ସନ୍ଧ୍ୟାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ମେଳା ପଡ଼ିଆରେ ହେବାକୁ ଥିବା ସୁଭଦ୍ରା ଶକ୍ତି ମେଳାର ଶେଷ ପର୍ଯ୍ୟାୟ କାର୍ଯ୍ୟ ତଦାରଖ କରିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚରେ ଆଲୋକ ବ୍ୟବସ୍ଥା ଆହୁରି ଆକର୍ଷଣୀୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ରଙ୍ଗୀନ ହେବ ରଙ୍ଗମଞ୍ଚ । ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ, ମେଳା ପଡ଼ିଆରେ ସୁଭଦ୍ରା ଶକ୍ତି ମେଳା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୃତ୍ୟଶିଳ୍ପୀ ଓ ଦର୍ଶକଙ୍କ ଅପେକ୍ଷାରେ ନବବଧୂ ପରି ସଜେଇ ହେଇଛି ମୁକ୍ତାକାଶ ରଙ୍ଗମଞ୍ଚ । ଏହା ପରିସରରେ ଛୋଟବଡ଼ ବୃକ୍ଷରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ, ଚିତ୍ରକଳା ରାତିର ଶୋଭାକୁ ଅତ୍ୟନ୍ତ ଆକର୍ଷଣୀୟ କରୁଛି । ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ, କଥକଳି, କୁଚିପୁଡ଼ି, ମଣିପୁରୀ, ଭାରତନାଟ୍ୟମ୍ ଓ କଥକ ଆଦି ନୃତ୍ୟ ପରିବେଷଣ ସହ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକା ଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶନ କରିବେ । ସେହିଭଳି ହେଲିପ୍ୟାଡ୍ରେ ୩ଟି ଅପେରା ଓ ମୀନାବଜାର ଅନ୍ୟତମ ଆକର୍ଷଣ ସାଜିବ।