ବ୍ରହ୍ମପୁର, ୨୩/୦୬: ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ଆସିକା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ  ଖେଳ ପଡ଼ିଆରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ  ଆନୁକୂଲ୍ୟରେ ଆୟୋଜିତ ଯୁବ ଶକ୍ତି ସମାବେଶରେ  ସେ ଯୋଗ ଦେବେ ।  

ପୂର୍ବାହ୍ଣ ୯ଟାରେ ସେ ଭୁବନେଶ୍ୱରରୁ ବାହାରି  ୧୦ଟାରେ ଆସିକା ହରିହର ହାଇସ୍କୁଲରେ ହୋଇଥିବା  ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ।  ସେଠାରୁ କାର୍‌ରେ ଖମ୍ବେଶ୍ୱରୀ ମନ୍ଦିରକୁ ଆସି ମା’ଙ୍କ  ଦର୍ଶନ ପରେ ୧୦ଟା ୪୦ରେ ସରକାରୀ ବିଜ୍ଞାନ  ମହାବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିବେ ।  ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପରେ  ମଧ୍ୟାହ୍ନ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ସେଠାରେ  ଆୟୋଜିତ ଯୁବ ଶକ୍ତି ସମାବେଶରେ ଯୋଗଦେବା  କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଅପରାହ୍ଣ ୧ଟା ୩୦ରେ  ସେଠାରୁ ଘଟକୁରି ଅସ୍ଥାୟୀ ହେଲିପ୍ୟାଡ୍‌କୁ  ଯାଇ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ଗଞ୍ଜାମ ଜିଲ୍ଲାପାଳ  ଓ ଏସ୍‌ପିଙ୍କୁ ଅବଗତ କରାଯାଇଛି । ଜିଲ୍ଲାର ସମସ୍ତ  ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ଜଣାଯାଇଛି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିକା ଚଳଚଞ୍ଚଳ ହୋଇ  ଉଠିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ରାଜନୈତିକ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ପ୍ରାଧାନ୍ୟ  ରାଜ୍ୟରେ ରହିଛି । ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଲଗାତାର  ଗସ୍ତ କରୁଛନ୍ତି । ଏପ୍ରିଲ୍‌ ୨୭ରେ ପାତ୍ରପୁର ଓ  ବ୍ରହ୍ମପୁର, ମେ ୮ ରେ ପୁରୁଷୋତ୍ତମପୁର ଗସ୍ତ  ପରେ ଜୁନ୍‌ ୫ ତାରିଖରେ ରମ୍ଭା, ଛତ୍ରପୁର ଓ  ବ୍ରହ୍ମପୁର ଗସ୍ତ ରହିଥିଲା । ଦୁଇ ସପ୍ତାହ ପରେ ପୁଣି  ଗଞ୍ଜାମ ଜିଲ୍ଲାର ଆସିକା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ।