ପ୍ରମୂଖ ଖବର
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଦିଲ୍ଲୀ ଗଲେ ଆଇଜି ଏସ୍. ସାଇନି

Published By : Prameya | October 15, 2024 9:16 AM

ଭୁବନେଶ୍ୱର,୧୫/୧୦: ରାଜଧାନୀ ଦିଲ୍ଲୀରେ  ଓଡ଼ିଶାର ଜଣେ ୩୪ ବର୍ଷୀୟା ମହିଳା ଦୁଷ୍କର୍ମର ଶିକାର  ହୋଇଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଗମ୍ଭୀରତାର ସହ ନେଇଛନ୍ତି । ମହିଳା ଓ ଶିଶୁ  ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌.ସାଇନିଙ୍କୁ ରାଜ୍ୟ ସରକାର ତୁରନ୍ତ ଦିଲ୍ଲୀ ପଠାଇଛନ୍ତି । ଶ୍ରୀମତୀ ସାଇନି ସେଠାରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବେ । ଏହା ବ୍ୟତୀତ ଦିଲ୍ଲୀ  ପୁଲିସ ସହ ଉପଯୁକ୍ତ ସମନ୍ୱୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୁଲିସ ପକ୍ଷରୁ ସମସ୍ତ  ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଘଟଣା ବିଷୟରେ ଡିଜିପି ୱାଇ.ବି. ଖୁରାନିଆ ଦିଲ୍ଲୀ  ପୁଲିସ୍‌ କମିଶନରଙ୍କ ସହ କଥା ହୋଇଛନ୍ତି । ପୀଡ଼ିତାଙ୍କ  ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ  ମଧ୍ୟ ଓଡ଼ିଶା ପୁଲିସ୍‌ ଯୋଗାଯୋଗରେ ରହିଛି । ଡିଜିପି  କହିଛନ୍ତି, କେମିତି ପୀଡ଼ିତା ଓ ତାଙ୍କ ପରିବାର ଲୋକ ଓଡ଼ିଶା  ଆସିବେ ସେ ନେଇ ସବୁ ବ୍ୟବସ୍ଥା କରାଯିବ ।  ଦିଲ୍ଲୀ ପୁଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ,  ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର ଦୁଷ୍କର୍ମ  କରାଯାଇଥିଲା । ଶନିବାର ଭୋର ପ୍ରାୟ ୩.୩୦ରେ ପୁଲିସ୍‌  ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା । ପୁଲିସ୍‌ ତୁରନ୍ତ  ପହଞ୍ଚି ମହିଳାଙ୍କୁ ଏମ୍‌ସ ହସ୍ପିଟାଲ୍‌କୁ ନେଇଥିଲା ।  

ମହିଳା ଜଣଙ୍କ ପ୍ରାୟ ବର୍ଷେ ହେବ ଦିଲ୍ଲୀରେ  ରହୁଛନ୍ତି । ସେ ସ୍ନାତକ ପାଶ୍‌ କରିଛନ୍ତି । ଦିଲ୍ଲୀ କଟୱାରିଆ  ସରାଇରେ ସେ ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ ।  କୌଣସି କାରଣରୁ ଗତ ଅଗଷ୍ଟରେ ତାଙ୍କୁ ବନ୍ଧୁଙ୍କ ଘର  ଖାଲି କରିବାକୁ କୁହାଯାଇଥିଲା । ଏଥିଯୋଗୁ ସେ ଦିଲ୍ଲୀର ରାଜରାସ୍ତାରେ ଓ କିଷନଗଡ଼ରେ ଥିବା ଏଟିଏମ୍‌ ବୁଥ୍‌ରେ  ଅନେକ ରାତି କାଟିଥିବା ଜଣାପଡ଼ିଛି । ଏବେ ସେ ଏମ୍ସରେ  ଚିକିତ୍ସିତ ହେଉଥିବାରୁ ପୁଲିସ ଘଟଣା ସମ୍ପର୍କରେ ଅଧିକ  ତଥ୍ୟ ହାସଲ କରିପାରୁ ନାହିଁ । ଦିଲ୍ଲୀ ପୁଲିସ୍‌ ତାଙ୍କ ବାପା  ମା’ଙ୍କୁ ଖବର ଦେଇଥିଲା । ତାଙ୍କ ଭାଇ ଓ ଅନ୍ୟ ପରିବାର  ସଦସ୍ୟ ଦିଲ୍ଲୀ ଯାଇଛନ୍ତି ।

ଏହି ଘଟଣା ପରେ ରାଜ୍ୟ ବିଜେପି ସରକାର ଉପରେ  ବର୍ଷିଛି ବିଜେଡି । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ  କହିଛନ୍ତି ଯେ ‘ନିର୍ଭୟା’ ଘଟଣାରେ ଗୋଟେ ସରକାରର  ପତନ ହୋଇଥିଲା । ହେଲେ ସବୁ ଜାଣି ମଧ୍ୟ ବିଜେପିର  ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆସିନି । ମହିଳାଙ୍କୁ  ପ୍ରାଧାନ୍ୟ ଦେଉଛି ବୋଲି ଦଳ ଘୋଷି ହେଉଛି । କିନ୍ତୁ  ବିଜେପି ମହିଳାଙ୍କୁ ସମ୍ମାନ ଦିଏ ନାହିଁ କି ସୁରକ୍ଷା ଦିଏନାହିଁ । ଦିଲ୍ଲୀ ଘଟଣାରୁ ଏହା ସ୍ପଷ୍ଟ ବୋଲି ସୁଲତା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.