ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ୱେଭ୍‌ସ୍‌-୨୦୨୫ରେ ମୋହନଙ୍କ ଅପିଲ୍‌,ପାରମ୍ପରିକ କ୍ରୀଡ଼ାକୁ ମିଳୁ ଆନ୍ତର୍ଜାତିକ ସ୍ୱୀକୃତି

Published By : prameya | May 4, 2025 8:49 AM

ନୂଆଦିଲ୍ଲୀ,୦୪/୦୫:ଆମ ଦେଶରେ ଆମ ପାରମ୍ପରିକ ଖେଳ ସୀମାବଦ୍ଧ ହୋଇ ନରହୁ । କବାଡ଼ି, ଖୋ ଖୋ ଭଳି ସ୍ୱଦେଶୀ ଖେଳକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳୁ । ବିଶ୍ୱର ଅନ୍ୟ ଦେଶରେ ଏ କ୍ରୀଡ଼ା ପହଞ୍ଚୁ । ଅଧିକ ଲୋକପ୍ରିୟ ହୋଇ ଆମ ପାଇଁ ଗୌରବ ଆଣୁ । ଏଥିପାଇଁ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉ । ଏ ସମ୍ପର୍କିତ ବିଷୟବସ୍ତୁ ଉପରେ ଆମ ସୃଜନଶୀଳ କଣ୍ଟେଣ୍ଟ କ୍ରିଏଟରମାନେ ଅଧିକ ଗୁରୁତ୍ୱ ଦିଅନ୍ତୁ । ମୁମ୍ବାଇରେ ଆୟୋଜିତ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ ରେ ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

‘ପାରମ୍ପରିକ କ୍ରୀଡ଼ା-ଭାରତରୁ ବିଶ୍ୱ’ ସମ୍ପର୍କିତ ସ୍ୱତନ୍ତ୍ର ଅଧିବେଶନରେ ସେ କହିଛନ୍ତି, ଆମ ଦେଶୀୟ ଖେଳ ଯେତେବେଳେ ପୃଥିବୀର ବହୁ ଦେଶରେ ଲୋକ ଖେଳିବେ, ଆମ ପାଇଁ ତାହା ହେବ ଶ୍ରେଷ୍ଠ ଗୌରବ । ମୋହନ କହିଲେ, ପାରମ୍ପରିକ ଖେଳ ହେଉଛି ଆମ ପ୍ରାଚୀନ ଐତିହ୍ୟ ଓ ପରମ୍ପରା । ଦଳଗତ ପ୍ରଦର୍ଶନ, ଶୃଙ୍ଖଳା ଓ ପ୍ରତିରୋଧ ଶକ୍ତି ଭଳି ବହୁ କଥା ଏ ଖେଳ ଆମକୁ ଶିଖାଇ ଥାଏ । ଓଡ଼ିଶାରେ ଏହି ସବୁ ଖେଳର ବେଶ୍‌ ଆଦର ରହିଛି । ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଖୋ ଖୋ ପାଇଁ ହାଇପର୍‌ଫମାନସ୍‌ ସେଣ୍ଟର ପ୍ରତିଷ୍ଠା ହୋଇଛି । ତାଲିମ ଓ ଭିତ୍ତିଭୂମିକୁ ସରକାରୀ ଅଗ୍ରାଧିକାର ମିଳୁଛି । ରାଜ୍ୟର ସ୍କୁଲସ୍ତରରେ ଖୋ ଖୋ ଓ କବାଡ଼ି ଖେଳ ହେଉଛି । ଐତିହ୍ୟ ସହର ପୁରୀରେ ପାରମ୍ପରିକ ମାଲଖମ୍ବ ଖେଳା ଯାଉଛି । ଓଡ଼ିଶା ଏବେ ଦେଶର ପ୍ରମୁଖ କ୍ରୀଡ଼ା ହବ୍‌ ପାଲଟିଥିଲା ବେଳେ ଆମ ସରକାର ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ତଳସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ବଡ଼ ସୁଯୋଗ ଦେବ ।

 ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ଭଳି ଆଦିବାସୀବହୁଳ ଜିଲ୍ଲାରେ ମୁଁ ବଢିଛି । ପିଲାଦିନରୁ କବାଡ଼ି ଓ ଖୋ ଖୋ ଖେଳିଛି । ଆମେ ଏବେ ପ୍ରତି ଗାଁରୁ ଚାମ୍ପିୟନ ତିଆରି କରିବାକୁ କାମ ଆରମ୍ଭ କରିଛୁ । ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରୁ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ସହ ପ୍ରୋତ୍ସାହିତ କରିବାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପାରମ୍ପରିକ ଖେଳ ଆଗକୁ ବଢ଼ିଲେ ଆମ ନୂଆ ପିଢ଼ି ତାଙ୍କ ପୁରୁଣା ଐତିହ୍ୟକୁ ନେଇ ଗର୍ବ କରିବେ । ଆମ ସରକାର ଆଗକୁ ଅଧିକ କ୍ରୀଡ଼ା ଉତ୍ସବ, ଜନଜାତି କ୍ରୀଡ଼ା ପ୍ରତିଯୋଗିତା, ତୃଣମୂଳସ୍ତରରୁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବେ । ଯେଉଁ ସମ୍ଭାବନାଯୁକ୍ତ କ୍ରୀଡ଼ା ପ୍ରତିଭା ଚିହ୍ନଟ ହେବେ ତାଙ୍କୁ ସବୁପ୍ରକାର ସରକାରୀ ସହଯୋଗ ମିଳିବ । 

ଆମ ପାରମ୍ପରିକ ଖେଳକୁ ବିଶ୍ୱ ଦରବାରରେ ଅଧିକ ଗୌରବଶାଳୀ କରିବାକୁ ଆମ କଣ୍ଟେଣ୍ଟ କ୍ରିଏଟରମାନେ ଧ୍ୟାନ ଦେବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଖେଳରେ ସଂସ୍କୃତି ଅଛି । ଓଡ଼ିଆ ସଂସ୍କୃତିରେ ଅସ୍ମିତା ଅଛି । ଏହା ଦର୍ଶାଇ ମୋହନ କହିଲେ, ଯୁବ ସଶକ୍ତୀକରଣ, ସାମାଜିକ ବିକାଶ ସହ ସଂସ୍କୃତିର ସୁରକ୍ଷା ପାଇଁ ଓଡ଼ିଶା ସ୍ୱଦେଶୀ ଖେଳକୁ ପ୍ରୋତ୍ସାହିତ କରୁଛି । ଅଲ୍ଟିମେଟ୍‌ ଖୋ ଖୋ ଲିଗ୍‌ର ଫ୍ରାଞ୍ଚାଇଜ୍‌ ନିଜେ ସରକାର । ଆମ ଭବିଷ୍ୟତ କ୍ରୀଡ଼ାରେ ପାରମ୍ପରିକ ଖେଳକୁ ରଖିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ପାରମ୍ପରିକ ଖେଳକୁ ବିଶ୍ୱ ଦରବାରରେ ସମ୍ମାନର ସହ ରଖିବାକୁ କେନ୍ଦ୍ର ସରକାର ଓ ବିଶ୍ୱ କ୍ରୀଡ଼ା ସଂଘ ସହ ମିଶି ଓଡ଼ିଶା କାମ କରିବ । ଏହି କାର୍ଯ୍ୟକ୍ରମରେ ପ୍ରୋ କବାଡ଼ି ଲିଗ କମିଶନର ଅନୁପମ ଗୋସ୍ୱାମୀ, ବିଶ୍ୱର ଜଣାଶୁଣା କବାଡ଼ି ଖେଳାଳି ଫଜଲ ଅତ୍ରାଚାଲି ଓ ଭାରତୀୟ ଖୋ ଖୋ କ୍ରୀଡ଼ା ସଂଘ ସଭାପତି ସୁଧାଂଶୁ ମିତ୍ତଲ ପ୍ରମୁଖ ଯୋଗ ଦେଇ ନିଜ ମତ ରଖିଥିଲେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.