ଭୁବନେଶ୍ୱର ୧୧/୦୭: ଚତୁର୍ଥ ଦିନରେ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼  ଆନ୍ଦୋଳନରେ ୩ ଦିନ ଧରି ଘାଣ୍ଟି ହେଉଛନ୍ତି  ଓଡ଼ିଶାବାସୀ । ରାସ୍ତାରୁ ରୋଷେଇ ଘର ସବୁଠି  କଲବଲ । ଯାତ୍ରୀବାହୀ ବସ୍‌ ସେବା ବନ୍ଦ ଯୋଗୁ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ହଜାର ହଜାର ଯାତ୍ରୀ । ବହୁ ଗୁରୁତର ରୋଗୀ ହସ୍ପିଟାଲକୁ  ଯାଇ ପାରୁନାହାନ୍ତି । କର୍ମକ୍ଷେତ୍ରରେ ପହଞ୍ଚିବା  କାଠିକର ପାଠ ହେଲାଣି । ଟ୍ରେନ୍‌ରେ ଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଲାଣି ।  ଖାଦ୍ୟ ସାମଗ୍ରୀ ଓ ପରିବା ବୋଝେଇ ଗାଡ଼ି ପହଞ୍ଚି  ପାରୁନି। ଫଳରେ ପରିବା ଦର ବଢ଼ିଯାଉଛି ।  

ଅବଶ୍ୟ, ୪ ତୈଳ ଡିପୋରୁ ଦିନକରେ ୪ଶହ ତୈଳ ଟ୍ୟାଙ୍କର ପେଟ୍ରୋଲ ପମ୍ପକୁ ପଠାଯାଉଛି । ବାହାର ରାଜ୍ୟର ଖାଉଟି  ସାମଗ୍ରୀ ବୋଝେଇ କିଛି ଟ୍ରକ ଓଡ଼ିଶା ଭିତରକୁ ଛଡ଼ାଯାଉଛି । ପରିବା ବୋଝେଇ ଟ୍ରକ ବି ବଜାର ହାଟରେ ପହଞ୍ଚାଯାଉଛି । କିନ୍ତୁ ହାତଗଣତି  ଟ୍ରକରେ ପଠାଯାଉଥିବା ପେଟ୍ରୋଲ ଓ ଖାଉଟି  ସାମଗ୍ରୀ ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇ  ପାରିବନି । ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନ ସୁଧୁରିଲେ, ଆଗକୁ ସଙ୍କଟ ଆହୁରି ଘନେଇବ ବୋଲି ଜଳଜଳ ଦିଶିଲାଣି । 

ଅନ୍ୟପଟେ ଜିଦ୍‌ରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭରମାନେ ଆନ୍ଦୋଳନ ମଇଦାନ ଛାଡ଼ିବାକୁ ନାରାଜ ।  ବରଂ ଦୁଇ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଗତକାଲି  ସାଂଘାତିକ ରୂପ ନେଇଥିଲା । ଡ୍ରାଇଭରମାନେ  କିଛି ସ୍ଥାନରେ ଆଇନ୍‌କୁ ହାତକୁ ନେଇଥିଲେ ।  ଟିଟଲାଗଡ଼ ସଇଁତଳା ଲାଚୁଟ ଛକରେ  ୪ଟି ତେଲ ଟ୍ୟାଙ୍କରକୁ ଅଟକାଇଥିଲେ । ଏନ୍‌ଏଚ୍‌ ନଂ ୫୭ର ବଲାଙ୍ଗିର-ସୋନପୁର ଟୋଲଗେଟ୍‌ରେ ଆନ୍ଦୋଳନ ବେଳେ  ଷ୍ଟିଅରିଂ ଧରୁଥିବା ଡ୍ରାଇଭରମାନଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ପିଟିଥିଲେ ।  ବାରିପଦା ସହର ଉପକଣ୍ଠ ପାଲବଣିରେ ବସ୍‌, ଟ୍ରକ ସାମ୍ନାରେ ଧାରଣାରେ ବସିଥିଲେ । ଆଉ  କିଛି ଆନ୍ଦୋଳନକାରୀମାନେ ଟ୍ରକ, ବସ୍‌କୁ  ଅଟକାଉଛନ୍ତି । ସେମାନଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିବା ସହ ଜୟ ଜଗନ୍ନାଥ କହିଥିଲେ।

ତେଲ ସଙ୍କଟ ଆଶଙ୍କାରେ ଗତକାଲିଠୁ ରାଜ୍ୟର ପ୍ରାୟ ସବୁ ପେଟ୍ରୋଲ ପମ୍ପରେ ଗାଡ଼ିର ଲାଇନ୍‌ ଲମ୍ବୁଛି । ଏହି ଟେନସନ ଦୂର  କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତତ୍ପର ହୋଇଛନ୍ତି । ଉତ୍କଳ  ପେଟ୍ରୋଲିୟମ ଡିଲରର୍ସ ଆସୋସିସଏସନର କର୍ମକର୍ତ୍ତାଙ୍କ ସହ  ଆଲୋଚନା କରିଛନ୍ତି । ଏହାପରେ ପାରାଦୀପ, ଜଟଣୀ, ଝାରସୁଗୁଡ଼ା  ଓ ବାଲେଶ୍ୱର ଡିପୋରୁ ବାହାରୁଥିବା ଟ୍ୟାଙ୍କରଗୁଡ଼ିିକୁ ପୁଲିସ ଏସକର୍ଟ  କରି ପେଟ୍ରୋଲ ପମ୍ପ ଯାଏଁ ଅଣାଯାଇଥିଲା । 

ପେଟ୍ରୋଲିୟମ ଡିଲରର୍ସ  ସଂଘ ସଭାପତି ଶଶାଙ୍କ ଶେଖର ସାହୁଙ୍କ କହିବା ମୁତାବକ, ରାଜ୍ୟର  ପ୍ରାୟ ୩୧୦୦ ପମ୍ପରେ ମହଜୁଦ ଥିବା ପେଟ୍ରୋଲ, ଡିଜେଲ ଆଗାମୀ  ୨ଦିନ ନିଅଣ୍ଟ ହେବନି । କିଛି ସ୍ଥାନରେ ଆନ୍ଦୋଳନକାରୀମାନେ  ଟ୍ୟାଙ୍କରକୁ ଅଟକାଉଛନ୍ତି । ଟ୍ୟାଙ୍କର ପରିବହନକୁ ପୁଲିସ ସୁରକ୍ଷା  ଦେଉଛି । ଲୋକେ ଭୟଭୀତ ହୁଅନ୍ତୁନି । ପେଟ୍ରୋଲ ପମ୍ପରେ  ଅଯଥା ଭିଡ଼ ନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପାରାଦୀପରେ ଥିବା ଭାରତ ପେଟ୍ରୋଲିୟମ ତୈଳ ଡିପୋରୁ  ୧୧୦ଟି ଟ୍ୟାଙ୍କର, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ରୁ ୧୦୦ଟି ଟ୍ୟାଙ୍କର  ସମେତ ପାରାଦୀପ ଓ ଜଟଣୀର ଇଣ୍ଡିଆନ ଅଏଲ ଡିପୋରୁ  ୨୦୩ଟି ତୈଳ ଟ୍ୟାଙ୍କର ବାହାରିଥିଲା । ପୁଲିସ ସୁରକ୍ଷା ବଳୟରେ  ଏହି ୪୧୩ଟି ଟ୍ୟାଙ୍କର୍‌ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପକୁ  ପଠାଯାଇଥିଲା । 

ପାରାଦୀପରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ  ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନତମାମ ପୁଲିସର ଏସକର୍ଟ ଚାଲିଥିଲା । କଟକ, ଭୁବନେଶ୍ୱର, ନବରଙ୍ଗପୁର,  ଅନୁଗୁଳ, କୋରାପୁଟ, ଫୁଲବାଣୀ, ଟେନ୍‌ସା ଘାଟି ଆଦି  ଅଞ୍ଚଳକୁ ଏସବୁ ତେଲ ଟ୍ୟାଙ୍କର ପଠାଯାଇଛି । ଦଶଚକିଆ ତେଲ  ଟ୍ୟାଙ୍କର୍‌ରେ ୨୦ ହଜାର ଲିଟର, ୬ ଚକିଆରେ ୧୨ ହଜାର ଲିଟର,  ୬ ଚକିଆ ନୂଆ ମଡେଲରେ ୧୪ ହଜାର ଲିଟର, ୧୨ ଚକିଆ  ତେଲ ଟ୍ୟାଙ୍କର୍‌ରେ ୨୯ ହଜାର ଲିଟର ତେଲ ଭର୍ତ୍ତି ହେଉଛି ।  

ଅନ୍ୟପଟେ ଡ୍ରାଇଭର ମହାସଂଘର ଲଗାତାର ୩ ଦିନ  ଧରି ଧାରଣାକୁ ଅନେକ ଡ୍ରାଇଭର ବିରୋଧ କରିବା ଆରମ୍ଭ  କଲେଣି । ୩୫ଟି ଡ୍ରାଇଭର ସଂଘରୁ ପ୍ରାୟ ୧୦ରୁ ଅଧିକ  ଡ୍ରାଇଭର ଏହି ଷ୍ଟିଅରିଂ ଛାଡ଼କୁ ବିରୋଧ କରୁଛନ୍ତି । ସେମାନେ  ବସ୍‌ ଚଳାଉଛନ୍ତି । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ  ଦେବେନ୍ଦ୍ର ସାହୁଙ୍କ କହିବା ମୁତାବକ, ଯେଉଁ ଡ୍ରାଇଭରମାନେ  ଗାଡ଼ି ଚଳାଇବାକୁ ରାଜି ହେଉଛନ୍ତି, ସେମାନଙ୍କୁ ମାଲିକମାନେ  ବସ୍‌ ଦେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ୫୦ରୁ ଅଧିକ ନାଇଟ୍‌ କୋଚ  ବସ୍‌ ବରମୁଣ୍ଡା ବସ୍‌ ଟର୍ମିନାଲ ଛାଡି଼ଛି । ଏସବୁ ବସ୍‌ ବାରିପଦା,  ବାଲେଶ୍ୱର, କୋଲକାତା, ଟାଟା, ରାଉରକେଲା, ସମ୍ବଲପୁରକୁ  ଗଡି଼ଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ଆଶା ଅଛି । 

ଭିଡିଓ ଜାରି କଲେ ଡ୍ରାଇଭର ସଂଘ ସଭାପତି, କଂଗ୍ରେସ କର୍ମୀଙ୍କ ଗାଡ଼ି ଅଟକିବନି

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅନୁରୋଧ ରକ୍ଷା କରିଛନ୍ତି  ଧର୍ମଘଟ ଚଳାଇଛନ୍ତି ଡ୍ରାଇଭର ମହାସଂଘ । ସଂଘର ସଭାପତି  ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କହିଛନ୍ତି, କଂଗ୍ରେସ ନେତା ରାହୁଲ  ଗାନ୍ଧିଙ୍କ ସଭାକୁ ଯାଉଥିବା ଗାଡ଼ିମୋଟରକୁ କେହି ଅଟକାଇବେ  ନାହିଁ । ଏ ନେଇ ସେ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ  ଅନୁରୋଧ କରିଛନ୍ତି । ଏହାସହ କଂଗ୍ରେସ କର୍ମୀଙ୍କୁ ନେଇ  ଆସୁଥିବା ଗାଡ଼ିର ଡ୍ରାଇଭରମାନେ କୌଣସି ପ୍ରକାର ଭୟଭୀତ  ନ ହେବାକୁ କହିଛନ୍ତି । କୌଣସି ସ୍ଥାନରେ ଆନ୍ଦୋଳନରତ  ଡ୍ରାଇଭରମାନେ କଂଗ୍ରେସ କର୍ମୀଙ୍କୁ ହଇରାଣ କରିବେ ନାହିଁ  ବୋଲି ଶ୍ରୀ ମେଣ୍ଡୁଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ  ଦଳ ଡ୍ରାଇଭରମାନଙ୍କ ଦାବି ଓ ଆନ୍ଦୋଳନକୁ ପୂର୍ବରୁ ସମର୍ଥନ ଜଣାଇଛି । ଯେହେତୁ କଂଗ୍ରେସର ନେତା ଆସୁଛନ୍ତି, ତାଙ୍କ  ସଂଗଠନର ଲୋକେ ସେଥିରେ ସାମିଲ ହେବେ । ଏଭଳି  କାର୍ଯ୍ୟକ୍ରମକୁ ଆମେ କେବେ ବିରୋଧ କରିବୁ ନାହିଁ ।