ଭୁବନେଶ୍ୱର,୦୭/୧୧: ଏଇ ୧୭ରେ ୩-୪ ବର୍ଷ ହେବ ପଡ଼ି ରହିଥିବା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ । ତା’ ପୂର୍ବରୁ ବିଚାରକଙ୍କ ଦ୍ୱାରା ବିଚାର ହୋଇ ମୁଦା ଲଫାପା ମଧ୍ୟରେ ଥିବା ବିଭିନ୍ନ ବର୍ଗର ଶ୍ରେଷ୍ଠ ପୁରସ୍କାର ନାଁ ଗୁଡ଼ିକ ଘୋଷଣା କରାଯିବ । ଏହାପରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ବହୁବର୍ଷ ହେବ ଚଳଚ୍ଚିତ୍ର ସହ ବିଭାଗ ଅଧୀନ ଅନ୍ୟାନ୍ୟ ପୁରସ୍କାର ବାକି ପଡ଼ିଛି । ଏହାକୁ ଜାତୀୟ ପୁରସ୍କାର ଶୈଳୀରେ ଇନୁକରଣ କରି ଦିଆଯିବ । ବିଶେଷକରି ୨୦୨୦ ମସିହାରୁ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇନାହିଁ । ଗତବର୍ଷ ଅଗଷ୍ଟରେ ଏକାବେଳେ ୩ ବର୍ଷ ପାଇଁ ୨୦୨୦-୨୧-୨୨ ମସିହା ପର୍ଯ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ୨ ମାସ ପରେ ୯, ୧୦ ଓ ୧୧ତମ ଟେଲି ପୁରସ୍କାର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବେ ଚଳଚ୍ଚିତ୍ର ଆବେଦନ ବିଜ୍ଞପ୍ତିକୁ ବର୍ଷେ ପୂରିଥିଲାବେଳେ ଗୋଟିଏ ବର୍ଷର ବି ପୁରସ୍କାର ଦିଆଯାଇପାରିନି । କିନ୍ତୁ ସବୁ କାମ ସରିଛି ପୁରସ୍କାର ଦିଆଯିବାକୁ କାର୍ଯ୍ୟକ୍ରମ ଚାଲିଛି । ଖୁବ୍ଶୀଘ୍ର ଜଣାଇ ଦିଆଯିବ । ଏହାଛଡ଼ା ୨୦୧୪ ମସିହାରୁ ଭୁବନେଶ୍ୱର ଗଜପତିନଗରରେ ଚାଲିଥିବା ବହୁ ପ୍ରତୀକ୍ଷିତ ‘କଳାମଣ୍ଡଳ’ ପ୍ରକଳ୍ପକୁ ଆସନ୍ତା ବର୍ଷ ୨୦୨୫ ଏପ୍ରିଲ୍ ସୁଦ୍ଧା ସାରିବାକୁ କୁହାଯାଇଛି । ଓଡ଼ିଆ ଭାଷାକୁ ଡିଜିଟାଲ୍ ସହ ଯୋଡ଼ିବା, ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକ ଚଳଚଞ୍ଚଳ କରିବା ପାଇଁ ପଦକ୍ଷେପ ନିଆଯାଇଛି । ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା ପାଇଁ ବିଭାଗ ଯତ୍ନଶୀଳ ଓ ଦାୟିତ୍ୱର ସହ କାମ ଚଳାଇଛି ବୋଲି ସେ କହିଛନ୍ତି ।