ଭୁବନେଶ୍ଵର, ୦୧/୦୬ (ନଳିନୀ କୁମାର ରାଉତ) : କୋରାପୁଟର ୨୮ ବର୍ଷୀୟ ଲାଜୁ ଲାର୍କା ରକ୍ତ କର୍କଟରେ ପୀଡ଼ିତ। ସେ ଚିକିତ୍ସା ପାଇଁ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା ଧାଉଁଥିଲେ । ଶେଷରେ ଏସ୍ସିବି ହେମାଟୋଲୋଜି ବିଭାଗରେ ଚିକିତ୍ସା ପାଇଲେ । ମୟୂରଭଞ୍ଜର ୬୨ ବର୍ଷୀୟ ସନାତନ ବାଘ ରକ୍ତଜନିତ ତ୍ରୁଟି ସମସ୍ୟାରେ ପୀଡ଼ିତ । ପରିବାର ଲୋକେ ତାଙ୍କ ଚିକିତ୍ସା ପାଇଁ ଶହ ଶହ କିଲୋମିଟର ଦୂର ଦୌଡ଼ିଥିଲେ । ହେଲେ ସବୁଠି ନିରାଶ ହେଲା ପରେ ଶେଷରେ ଏସ୍ସିବିରେ ଚିକିତ୍ସା ପାଇଲେ । ଏମିତି ଜଣେ କି ଦୁଇ ଜଣ ନୁହେଁ, ପ୍ରତିଦିନ ରକ୍ତ ତ୍ରୁଟିଜନିତ ସମସ୍ୟାରେ ପୀଡ଼ିତ ଉପଯୁକ୍ତ ଚିକିତ୍ସା ନ ପାଇ କଲବଲ ହେଉଛନ୍ତି । କାରଣ ଜିଲ୍ଲାସ୍ତରରେ ହେମାଟୋଲୋଜି ଚିକିତ୍ସା ପାଇଁ ନା ମେଡିକାଲ କଲେଜରେ ବିଭାଗ ରହିଛି ନା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ । କେବଳ ଏସ୍ସିବିରେ ହେମାଟୋଲୋଜି ବିଭାଗ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ କଟକ ଏସ୍ସିବି, ବୁର୍ଲା ଭୀମସାର୍ ଓ ଏମ୍ସ ଭୁବନେଶ୍ୱରରେ ହେମାଟୋଲୋଜି ବିଭାଗ ଖୋଲିଛି। ହେଲେ ଭୀମସାର୍ରେ କୌଣସି ବିଶେଷଜ୍ଞ ନାହାନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୪୭.୭% ରକ୍ତହୀନତା ରୋଗୀ ରହିଥିଲାବେଳେ ୧୫ରୁ୧୮% ସିକିଲ୍ସେଲ ଓ ଥାଲାସେମିଆ ରୋଗୀ ଅଛନ୍ତି । ୩ ବର୍ଷରେ ୬୫ ଲକ୍ଷ ଲୋକଙ୍କ ପରୀକ୍ଷା କରାଯାଇଛି । ରାଜ୍ୟରେ ୧ ଲକ୍ଷ ୨୦ ହଜାର ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏସ୍ସିବି ହେମାଟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡା. ରବିନ୍ଦ୍ର କୁମାର ଜେନା କହିଛନ୍ତି, ରକ୍ତଜନିତ ତ୍ରୁଟି ରୋଗୀମାନେ ନିଜ ଜିଲ୍ଲାରେ ଚିକିତ୍ସା ନ ପାଇ ଜୀବନ ଯନ୍ତ୍ରଣାରେ ଯୁଝୁଛନ୍ତି । ବ୍ରହ୍ମପୁର ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ହେମାଟୋଲୋଜି ବିଭାଗ ଏବଂ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ହେମାଟୋ ଅଙ୍କୋଲୋଜି ବିଭାଗ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏହି ୩ଟି ସ୍ଥାନରେ ବିଭାଗ ଖୋଲିଲେ ରୋଗୀଙ୍କୁ ଆଉ ଶହ ଶହ କିଲୋମିଟର ଚିକିତ୍ସା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ବିଶେଷଜ୍ଞଙ୍କ ଅଭାବ ନାହିଁ । ସରକାର ଚାହିଁଲେ ବିଶେଷଜ୍ଞ ନିଯୁକ୍ତି ଦେଇପାରିବେ ।
ଆହୁରି ପଢନ୍ତୁ- ଗ୍ରାମାଞ୍ଚଳରେ କ୍ଵାକ୍ଙ୍କ ରାଜୁତି, ଝାଡ଼ା ରୋଗୀଙ୍କୁ ଗୋଟିଏ ଦିନରେ ଦେଲେ ୧୮ ସାଲାଇନ୍, ମହିଳା ଗୁରୁତର...
ଓଡ଼ିଶାରେ ବର୍ତ୍ତମାନ ୪ ରୁ ୫ ମେଡିକାଲ କଲେଜରେ ହେମାଟୋଲୋଜି ବିଭାଗ ଖୋଲିବା ଆବଶ୍ୟକ ବୋଲି ଡାକ୍ତର ଜେନା କହିଛନ୍ତି । ଏନ୍ଏଫ୍ଏଚ୍ଏସ୍-୫ରେ ରିପୋର୍ଟ ଅନୁଯାୟୀ ୧୫ରୁ୪୯ ବର୍ଷ ବର୍ଗ ବୟସରେ ୨୫% ପୁରୁଷ ରକ୍ତହୀନତାର ଶିକାର ହେଉଥିବାବେଳେ ସେହି ବୟସ ବର୍ଗର ୫୭% ସୁସ୍ଥ ରକ୍ତ କଣିକା ଅଭାବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଆଦିବାସୀ ସମୁଦାୟଙ୍କ ମଧ୍ୟରେ ରକ୍ତହୀନତା ୪୦%ରୁ ୯୦% ପର୍ଯ୍ୟନ୍ତ ରହିଛି । ବୟସ୍କ ବର୍ଗ ମଧ୍ୟରେ ରକ୍ତହୀନତାରେ ୩୦%ରୁ ୯୬% ପର୍ଯ୍ୟନ୍ତ ରହିଛି । ଦେଶରେ ସମସ୍ତ କର୍କଟ ରୋଗ ମଧ୍ୟରେ ରକ୍ତ କର୍କଟ ରୋଗ ୮.୨% ରହିଛି । ବର୍ଷକୁ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୫.୫ ଏହି ରୋଗ ରହିଛି । ଏହାଦ୍ୱାରା ଦେଶରେ ବର୍ଷକୁ ୮୦ ହଜାର ନୂଆ ରକ୍ତ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ବୋଲି କହିଛନ୍ତି ।