ଭୁବନେଶ୍ୱର ୭୦/୦୫: ତୈଲ ଅଭାବ, ଚିନ୍ତାରେ ଗାଡ଼ି ଚାଳକ। ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଲାଣି । ମାଲକାନଗିରି, କଳାହାଣ୍ଡି , ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପେଟ୍ରୋଲ ପମ୍ପରେ ଟାଙ୍କ ଖାଲି ହେବାକୁ ବସିଲାଣି। ପେଟ୍ରୋଲ ଓ ଡିଜେଲ ପାଇଁ ପମ୍ପରେ ଲାଗୁଛି ଲମ୍ବା ଲାଇନ୍। ତେଲ ପାଇଁ ଟାଙ୍କିରୁ ଟାଙ୍କି ଘୂରି ବୁଲୁଛନ୍ତି ଗ୍ରାହକ। କିଛି ପେଟ୍ରୋଲ ପମ୍ପ ସମ୍ପର୍ଣ୍ଣ ବନ୍ଦ ହେବା ସ୍ଥିତିରେ। ଏପଟେ କଳକାରଖାନା ବ୍ୟବହୃତ ଗାଡ଼ିକୁ ବାହାର ତେଲ ଟାଙ୍କିରେ ଡିଜେଲ ପକାଉଛି। ତେଣୁ ଟାଙ୍କିରେ ଡିଜେଲର ଅସ୍ବାଭିବକ ବିକ୍ରି ବୃଦ୍ଧି ପାଇଛି। କମ୍ପାନୀ ଗାଡ଼ି ଓ ବାହାର ଗାଡ଼ି ଚିହ୍ନଟ କରିବାରେ ପମ୍ପ କର୍ମଚାରୀ ଜାଣିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ପଡୋଶୀ ଆନ୍ଧ୍ର ପ୍ରଦେଶ ଗତ ସପ୍ତାହରେ ୪୦୦ରୁ ଅଧିକ ପେଟ୍ରୋଲ ପମ୍ପ ଶୁଷ୍କ ହୋଇଯାଇଥିଲା ଜଣାପଡିଛି।
ଯୁଦ୍ଧ ପୂର୍ବରୁ କଳକାରଖାନାଗୁଡ଼ିକ ସିଧା କମ୍ପାନିଠାରୁ କିଣୁଥିବା ଡିଜେଲର ମୂଲ୍ୟ ଲିଟର ପିଛା ୮୯ ଟଙ୍କା ସ୍ତରରେ ଥିଲା। ଯୁଦ୍ଧ ପରେ କମ୍ପାନିଗୁଡ଼ିକ ଏହାର ଦାମ ଇତିମଧ୍ୟରେ ୧୫୦ ଟଙ୍କା ସ୍ତରକୁ ବଢ଼ାଇ ସାରିଲେଣି। ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପରେ ଡିଜେଲ ଦର ଏବେ ପ୍ରାୟ ୯୨ ଟଙ୍କା ସ୍ତରରେ ରହିଛି। ବାହାର ପେଟ୍ରୋଲ ପମ୍ପ ତୁଳନାରେ କଳ କାରଖାନାଗୁଡ଼ିକର ‘କଞ୍ଜ୍ୟୁମର ପମ୍ପ’ରେ ବିକ୍ରି ହେଉଥିବା ଡିଜେଲ ଦର ଲିଟର ପିଛା ୫୮ ଟଙ୍କା ଅଧିକ ରହୁଛି। ଏତେ ଚଢ଼ା ଦରରେ ଡିଜେଲ କିଣି କଳକାରଖାନାରେ ବ୍ୟବହାର କରିବା ପରିବର୍ତ୍ତେ ସେମାନେ ପେଟ୍ରୋଲ ପମ୍ପରୁ ଡିଜେଲ କିଣିବା ଆରମ୍ଭ କରି ଦେଇଛନ୍ତି। ବାହାରକୁ ଆସି ପାରୁନଥିବା ବଡ଼ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସବୁ ଗାଡ଼ିକୁ ପେଟ୍ରୋଲ ପମ୍ପ ଆଣି ସେମାନେ ଡିଜେଲ ପକାଉଛନ୍ତି। କଳକାରଖାନାର ଗାଡ଼ିକୁ ଡିଜେଲ ନ ଦେବା ପାଇଁ କମ୍ପାନିଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ କହୁଥିଲେ ମଧ୍ୟ ତାହା ବନ୍ଦ କରିବା ସହଜ ହେଉନାହିଁ।
ସେମାନଙ୍କ ମତରେ କିଏ କମ୍ପାନି ଗାଡ଼ି ଓ କିଏ ବାହାର ଗାଡ଼ି, ତାହା ସେମାନେ କିଭଳି ଜାଣିବେ?ଏହାବ୍ୟତୀତ କଳକାରଖାନାରେ ବ୍ୟବହୃତ ‘ଫୁଏଲ୍ ଅଏଲ’ ବର୍ତ୍ତମାନ ରାଜ୍ୟକୁ ଆସିବା ବନ୍ଦ ହୋଇଯାଇଛି। ତେଣୁ କମ୍ପାନିଗୁଡ଼ିକ ଡିଜେଲକୁ ‘ଫୁଏଲ୍ ଅଏଲ’ ବିକଳ୍ପ ଇନ୍ଧନ ଭାବେ ବ୍ୟବହାର କରୁଛନ୍ତି। ଏହାର ଚାପ ମଧ୍ୟ ଡିଜେଲ ବିକ୍ରି ଉପରେ ପଡ଼ୁଛି। ଏଥିସହିତ ଯୁଦ୍ଧ ପୂର୍ବରୁ ରାଜ୍ୟର କିଛି କମ୍ପାନି ସିଧାସଳଖ ଭାଟ୍ କମ୍ ଥିବା ରାଜ୍ୟରୁ ଡିଜେଲ କ୍ରୟ କରିଥାନ୍ତି। କିନ୍ତୁ ଇଣ୍ଡଷ୍ଟ୍ରିଆଲ୍ ଡିଜେଲ ଦର ୧୫୦ ଟଙ୍କାକୁ ବଢ଼ିଯିବା ପରେ ବାହାର ରାଜ୍ୟରୁ ଏହା ଆଣିବା ସେମାନଙ୍କ ପାଇଁ ଆଉ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେଉନାହିଁ। ଏହାର ପ୍ରଭାବ ବି ରାଜ୍ୟର ଡିଜେଲ ବଜାର ଉପରେ ପଡ଼ିଛି । ଏସବୁ କାରଣ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ଉଭୟ ପେଟ୍ରୋଲ ଓ ଡିଜେଲ ବିକ୍ରି ବଢ଼ିଯାଇଛି। ତେଲ କମ୍ପାନି ସହ ଜଡ଼ିତ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଏପ୍ରିଲ ମାସରେ ୩ଟି ସରକାରୀ ତେଲ କମ୍ପାନିଗୁଡ଼ିକର ପେଟ୍ରୋଲ ପମ୍ପରେ ଡିଜେଲ ବିକ୍ରି ଗତବର୍ଷ ଏପ୍ରିଲ ତୁଳନାରେ ୨୨ ପ୍ରତିଶତରୁ ଅଧିକ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ୧୪.୮୫ ପ୍ରତିଶତ ଅଧିକ ରହିଛି। ଏହା ସ୍ବାଭାବିକ ବିକ୍ରି ବୃଦ୍ଧିଠାରୁ ବହୁ ଅଧିକ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ :- Fuel Price Hike: ସରିଲା ନିର୍ବାଚନ, ଏବେ ବଢ଼ିବ ପେଟ୍ରୋଲ- ଡିଜେଲ୍ ଦର, ଲଗାତାର କ୍ଷତି ସହୁଛନ୍ତି ତେଲ କମ୍ପାନି...
ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିକଟରେ ବିଧାନସଭା ନିର୍ବାଚନ ଥିଲା। ତେଣୁ ଦେଶରେ ଯେଭଳି ତେଲ ଅଭାବ ନହେବ, ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ପାନିଗୁଡ଼ିକ ଉପରେ ଚାପ ଥିଲା। କିନ୍ତୁ ବର୍ତ୍ତମାନ ନିର୍ବାଚନ ଶେଷ ହୋଇସାରିଛି। ଯଦି ଗ୍ୟାସ୍ ଓ ତେଲ ଚାହିଦା ଅନ୍ୟ ରାଜ୍ୟରେ ବୃଦ୍ଧି ପାଇବ। ଆଗକୁ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।