ପ୍ରମୂଖ ଖବର
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ୧୨ଟାରେ ପହଣ୍ଡି
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ବିବାହ ପ୍ରଲୋଭନ ଦେଖାଇ ଆନ୍ଧ୍ର ପୁଅକୁ ଓଡ଼ିଶା ଡାକିଲେ, ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଶିଶୁପାଳ କରି ଛାଡ଼ିଲେ

Published By : Rasmita Pradhan | March 25, 2025 2:08 PM

ଭୁବନେଶ୍ଵର, ୨୫/୦୩ : ପ୍ରେମ ଜାଲରେ ଫସାଇଲେ। ବାହା ହେବେ ବୋଲି କହି ଭୁବନେଶ୍ଵର ଡାକିଲେ। ହୋଟେଲରେ ତରବରିଆ ହୋଇ ନିର୍ବନ୍ଧ ବି ସାରିଦେଲେ। ବାହାଘର ନାଁରେ ସୁନାଗହଣା ହଡ଼ପ କଲେ। ଲକ୍ଷ ଲକ୍ଷ ଟଙ୍କା ସପିଂରେ ଉଡ଼ାଇ ଦେଲେ। ଆଉ ତାପରେ ଶିଶୁପାଳ କରି ଛାଡ଼ିଦେଲେ। ଆନ୍ଧ୍ର ପୁଅକୁ ଭଣ୍ଡେଇଦେଲେ ଓଡ଼ିଶା ଝିଅ। ହତାଶ ହୋଇ ଏବେ ନୟାପଲ୍ଲୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଯୁବକ। 

ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ଏମ୍‌. ବି. ଶଙ୍କର। ଏକ ଫାଇନାନ୍ସ ସଂସ୍ଥାରେ ଚାକିରି କରନ୍ତି। ୬ ମାସ ତଳେ ରେଣ୍ଟାଲ କଲୋନୀର ୨୯ ବର୍ଷୀୟ ପିହୁଙ୍କ ସହ ଫେସବୁକ୍‌ରେ ଗଢି ଉଠିଥିଲା ପ୍ରେମ। ଧୀରେ ଧୀରେ ବିବାହ ଆଡ଼କୁ ଗଲା କଥା। ଦୁହେଁ ଯୋଜନା କରି ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଘରକୁ ପଠାଇଲେ ପ୍ରସ୍ତାବ। ଗତ ୧୯ରେ ପରିବାର ଲୋକଙ୍କ ସହ ଭୁବନେଶ୍ୱର ଆସି ରେଣ୍ଟାଲ କଲୋନିସ୍ଥିତ ପିହୁଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲେ ଶଙ୍କର। ବିବାହ ପାଇଁ ରାଜି ହୋଇଥିଲେ ଦୁଇ ପରିବାର। ପରେ ଆନ୍ଧ୍ର ଫେରିଗଲେ ଶଙ୍କର।       

ତା’ ପରଦିନ ଆଉ ଥରେ ଭୁବନେଶ୍ୱର ଆସିବାକୁ ଜିଦ୍‌ ଧରିଲେ ପିହୁ। ପରିବାର ଲୋକଙ୍କୁ ଧରି ପୁଣି ଭୁବନେଶ୍ୱର ଆସିଲେ ଶଙ୍କର। ତାପରେ ଦୁଇ ପରିବାର ମିଶି କଲେ ବାହାଘର ସପିଂ। ପରମ୍ପରା ଅନୁସାରେ, ଯୌତୁକ ବାବଦକୁ ପିହୁଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଦେଲେ ଶଙ୍କର। ନିଷ୍ପତ୍ତି ହେଲା ମାସେ ପରେ ହେବ ବାହାଘର। ଏହାପରେ ଆନ୍ଧ୍ର ଫେରିଗଲେ ଶଙ୍କର। ତା’ ପରଦିନ ପୁଣି ଥରେ ନିର୍ବନ୍ଧ କରିବାକୁ ଜିଦ୍‌ ଧରିଲେ ପିହୁ। ବାଧ୍ୟ ହୋଇ ପରିବାର ଲୋକଙ୍କୁ ଧରି ପୁଣି ଗତ ଶୁକ୍ରବାର ସନ୍ଧ୍ୟାରେ ଅଶୋକନଗରସ୍ଥିତ ଏକ ହୋଟେଲରେ ପହଞ୍ଚିଲେ ଶଙ୍କର। ସେଠାରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ହେଲା ନିର୍ବନ୍ଧ। ଆଉ ନିର୍ବନ୍ଧରେ ଆନ୍ଧ୍ରପ୍ରଦେଶରୁ କିଣିଥିବା ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପିହୁଙ୍କୁ ପିନ୍ଧାଇ ଦେଇଥିଲେ ଶଙ୍କର। 

ଏପର୍ଯ୍ୟନ୍ତ ସବୁ ଠିକ୍ ଥିଲା। ହେଲେ ଗତ ଶନିବାର ଫୋନ୍‌ରେ ବିବାହ ବାବଦରେ କଥାବାର୍ତ୍ତା ହେବାବେଳେ ସାମ୍ନାକୁ ଆସିଲା ପିହୁଙ୍କ ଅସଲି ରୂପ। ପିହୁଙ୍କ ପରିବାରଠୁ ଯାହା ଶୁଣିଲେ ତାଙ୍କ ମୁଣ୍ଡ ଚକ୍କର କାଟିଦେଲା। ପିହୁଙ୍କ ପରିବାର ଲୋକେ କହିଲେ ଯେ, ଝିଅ ପୂର୍ବରୁ ବିବାହିତ । ତାର ଗୋଟିଏ ପୁଅ ଅଛି । ସ୍ୱାମୀ ସହ ଅଦାଲତରେ ବିବାହ ବିଚ୍ଛେଦ ନେଇ ମାମଲା ଚାଲିଛି। ଠକାମୀର ଶିକାର ହୋଇଥିବା ଜାଣି ଶଙ୍କରଙ୍କ ପରିବାର ପୁଣି ଥରେ ଭୁବନେଶ୍ଵର ଆସି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନ୍ୟାୟ ଆଶାରେ ପୁରା ପରିବାର କମିଶନରେଟ୍‌ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.