୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ  ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ  ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ  ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ ଏ ସରକାର  କେମିତି ଚାଲିବ? କିନ୍ତୁ, ପ୍ରଥମ ଓଭର ପ୍ରଥମ ବଲ୍‌ରୁ ମୋହନ  ମାରିଲେ ଛକା । ଶପଥ ଗ୍ରହଣରୁ କ୍ୟାବିନେଟ ଟିମ୍‌ର ଗାଡ଼ି ସିଧା  ଛୁଟିଲା ଲୋକସେବା ଭବନକୁ । ଶୁଭେଚ୍ଛା ଫୁଲଗୁଚ୍ଛ ଗ୍ରହଣ ପୂର୍ବରୁ  ପ୍ରତିଶ୍ରୁତି ପୂରଣର ପର୍ବ ଆରମ୍ଭ କରିଦେଲେ ମୋହନ ସରକାର ।  

ଓଡ଼ିଆ ଅସ୍ମିତାକୁ ବନ୍ଦେ କହି ଖୋଲିଦେଲେ ଶ୍ରୀମନ୍ଦିରର ଚାରିଦ୍ୱାର ।  ଘୋଷଣା ହେଲା ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି । ଧାନ କୁଇଣ୍ଟାଲ  ୩୧୦୦ ଟଙ୍କା କରି ଚାଷୀ ଅଣ୍ଟାରେ ଭରିଲେ ବଳ । ନାରୀ ଶକ୍ତିକୁ  ସଶକ୍ତ କରିବାକୁ ଐତିହାସିକ ସୁଭଦ୍ରା ଯୋଜନାର ହେଲା ଶୁଭାରମ୍ଭ ।  ୨୪ ଘଣ୍ଟାରେ ମୋହନ ସରକାର ଦେଖାଇଥିଲେ ନିଜ ଦମ୍ଭ, ଦକ୍ଷ  ନେତୃତ୍ୱ ଓ ଓଡ଼ିଶା ପାଇଁ କିଛି ବଡ଼ କରିବାର ମନୋବୃତ୍ତି ଏବଂ ସଂକଳ୍ପ ।  ସବୁ ଆକଳନକୁ ଟପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ସରକାର ଗୋଟିଏ ପରେ ଗୋଟିଏ ସଫଳତା ଲେଖି ଚାଲିଲା ।  ୨୪ ବର୍ଷର ସରକାରଙ୍କ ଶଗଡ଼ ଗୁଳାରୁ ବାହାରକୁ ଯାଇ ମୋହନ  ଖୋଲିଦେଲେ ଜନତାଙ୍କ ପାଇଁ ଦ୍ୱାର । ଜନତା-ସରକାର ମଝିରୁ  ହଟାଇ ଦେଲେ ପାଚେରି। ସମାଜର ଶେଷ ଧାଡ଼ିରେ ଥିବା  ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରୀ ଜଣାଇ ପାରୁଛି ।  କେବଳ ଗୁହାରୀ ନୁହେଁ, ସମସ୍ୟାର ତତ୍କାଳ ସମାଧାନ ବି କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି ମୁଖ୍ୟମନ୍ତ୍ରୀଙ୍କୁ ପାଇ ଲୋକେ କହୁଛନ୍ତି, ଆମ  ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ... ।  

ଡବଲ୍‌ ଇଞ୍ଜିନର ବଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଗମନାଗମନ,  ଗାଁର ବିକାଶ, ସହରୀ ଭିତ୍ତିଭୂମି ସବୁ ଦ୍ରୁତ ବେଗରେ ଧାଉଁଛି ।  ନିବେଶର ସୁଅ ମୁହାଁଇଛି ଓଡ଼ିଶାକୁ । ଆଇଟିରୁ ନେଇ ଏଆଇ  ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବୈପ୍ଳବିକ ଅଭିବୃଦ୍ଧି । ସବୁଠାରୁ  ବଡ଼ କଥା, ଯୁବବର୍ଗଙ୍କ ପାଇଁ ଖୋଲିଛି ନିଯୁକ୍ତିର ଦ୍ୱାର ।  ଦୁଇ ବର୍ଷ ଭିତରେ ବିଭିନ୍ନ ବିଭାଗରେ ହଜାର ହଜାର  ସରକାରୀ ପଦ ପୂରଣ ହୋଇଛି । ବୃତ୍ତିଗତ ଶିକ୍ଷାରେ  ସଂରକ୍ଷଣ ବୃଦ୍ଧି କରି ସବ୍‌କା ସାଥ୍‌ ସବ୍‌କା ବିକାଶର ନାରା  ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶାସନ ପ୍ରଶାସନରେ ବାବୁଗିରିର  ଅନ୍ତ ଘଟିଛି । ଦୁର୍ନୀତି ବିରୋଧରେ ଜାରି ରହିଛି କଠୋର  ଅଭିଯାନ । ଅନେକ ନୂଆ ଯୋଜନା ଯୋଡ଼ି ହୋଇଛି ରାଜ୍ୟର  ପ୍ରଗତିରେ । ପ୍ରମାଣିତ ହୋଇଛି-ପୂର୍ବ ସରକାର  ଯାହା ୨୪ ବର୍ଷରେ କରିପାରିନଥିଲେ,  ତାହାକୁ ୨୪ ମାସରେ କରି  ଦେଖାଇଛନ୍ତି ମୋହନ  ସରକାର । 

ସୁଭଦ୍ର ଶକ୍ତି, ଲକ୍ଷପତି ଦିଦି

କଥା ଦେଇଥିଲେ, କଥା ରଖିଲେ । ସରକାରକୁ ଆସିବା ମାତ୍ରେ ମୋହନ ସରକାର ମହିଳାଙ୍କୁ  ଆର୍ଥିକ ଭାବେ ସଶକ୍ତ କରିବାକୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ । ୫ ହଜାର ଟଙ୍କା ଲେଖାଏଁ  ବର୍ଷକୁ ୨ଟି କିସ୍ତି ପାଇ ୧ କୋଟିରୁ ଅଧିକ ମହିଳା ଖୁସ୍‌ । ମହିଳାଙ୍କୁ ମିଳିଛି ଆର୍ଥିକ ସ୍ୱାଧୀନତା ।  ଏବେ ସୁଦ୍ଧା ୪ଟି କିସ୍ତିରେ ପ୍ରାୟ ୨୦ ହଜାର ୬ଶହ କୋଟିରୁ ଅଧିକ ଟଙ୍କା ଦେଇ ସାରିଲେଣି  ସରକାର । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ସବୁଠୁ ଅଗାରେ । ଏବେ ସୁଦ୍ଧା  ୨୩ ଲକ୍ଷ ୪୬ ହଜାର ମହିଳାଙ୍କୁ ଲକ୍ଷପତି ଦିଦି କରି ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣା  ପାଲଟିଛି । ଜୀବିକା ଅର୍ଜନରେ ସହଯୋଗ ଦେବା ପାଇଁ ରାଜ୍ୟ ସରକାର ଗତ ଦୁଇ ବର୍ଷରେ ୪  ଲକ୍ଷରୁ ଅଧିକ ଏସଏଚଜିଙ୍କୁ ପ୍ରାୟ ୧୦୨୪ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ବିଭିନ୍ନ  ସରକାରୀ ବିଭାଗ ପ୍ରାୟ ୭୯୭୩ କୋଟି ଟଙ୍କାର ବ୍ୟବସାୟ ଏସଏଚଜିଙ୍କୁ ଯୋଗାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  Mohan Government: ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି: ସାଢେ ୧୧ଟାରେ ଲୋକସେବା ଭବନରୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଶିଳ୍ପ ହବ୍

ଶିଳ୍ପ ଆଉ ଘୋଷଣାରେ ଅଟକିଯାଇନି । ମୋହନ  ସରକାର ଶିଳ୍ପ ନିବେଶ ପ୍ରସ୍ତାବକୁ ବାସ୍ତବ କ୍ଷେତ୍ରରେ  ରୂପାୟନ ନେଇ ବ୍ୟାପକ ପଦକ୍ଷେପ ନେଇଛନ୍ତି ।  ନିଜେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ଶିଳ୍ପ ହବ୍‌ ଓ  ବିଦେଶ ଯାଇ ନିବେଶକଙ୍କୁ ଓଡ଼ିଶା ମାଟିକୁ  ଆମନ୍ତ୍ରଣ କରିଛନ୍ତି । ଗତ ୨ ବର୍ଷରେ  ୪୩୩ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।  ଏଥିରେ ୮.୬୮ ଲକ୍ଷ କୋଟି ଟଙ୍କାର  ନିବେଶ ଆସିଛି । ଏହାଦ୍ୱାରା ୫.୨୫  ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି  କରାଯାଇଛି । ସେହିଭଳି  ଶିଳାନ୍ୟାସ ଏବଂ  ଶୁଭାରମ୍ଭ ହୋଇଥିବା  ପ୍ରକଳ୍ପ ସଂଖ୍ୟା ହେଉଛି  ୧୪୮ । ଏଥିରେ  ୨.୮୪ ଲକ୍ଷ କୋଟି  ଟଙ୍କାର ନିବେଶ ୨.୩୭  ଲକ୍ଷର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଗତ  ୨ ବର୍ଷରେ ଦେଶ ବିଦେଶରେ ୧୦ଟି ରୋଡ  ସୋ ସମେତ ନିବେଶକଙ୍କ ସହ ୱାନ ଟୁ  ୱାନ ୬୩୦ଟି ବୈଠକ, ୨୦ଟି ସେକ୍ଟରାଲ  ରାଉଣ୍ଡ ଟେବୁଲ ଆୟୋଜିତ ହୋଇଛି ।  କେନ୍ଦ୍ରରୁ ମିଳିଛି ପର୍ଯ୍ୟାପ୍ତ ସହଯୋଗ । ଓଡ଼ିଶା  ମାଟିରେ ନିବେଶ ପାଇଁ  ପ୍ରଧାନମନ୍ତ୍ରୀ  ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି । ମେକ୍‌  ଇନ୍‌ ଓଡ଼ିଶା କନକ୍ଲେଭରୁ ରାଜ୍ୟ ୧୬.୭୩  ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ  ପାଇଛି । ଜଗତସିଂହପୁରରୁ ନେଇ  ଖୋର୍ଦ୍ଧା, ସମ୍ବଲପୁର, ଯାଜପୁର ଆଦି  ସ୍ଥାନରେ ବୃହତ ଶିଳ୍ପର ନିଅଁ ପଡ଼ିଛି ।  ଆଇଟି କ୍ଷେତ୍ରରେ ଡବଲ୍‌ ଇଞ୍ଜିନ  ସରକାରର ଫାଇଦା ମିଳିଛି ଓଡ଼ିଶାକୁ।  ଆଗାମୀଦିନରେ ଓଡ଼ିଶା ସେମି  କଣ୍ଡକ୍ଟର ହବ୍‌ ହେବାକୁ ଯାଉଛି ।

ସରକାରୀ ନିଯୁକ୍ତି ବର୍ଷା

ମୋହନ ସରକାରରେ  ନିଯୁକ୍ତିର ବର୍ଷା ।  ମାତ୍ର ୨୨ ମାସରେ   ୪୪ ହଜାର  ୮୨ଜଣଙ୍କୁ  ସରକାରୀ  ଚାକିରି  ମିଳିଛି ।  ବେସରକାରୀ  କ୍ଷେତ୍ରରେ  ୯୨ ହଜାର   ନିଯୁକ୍ତି ଦିଆଯାଇଛି ।  କଥା  ଦେଇଥିଲେ ୫  ବର୍ଷରେ ଦେଢ଼  ଲକ୍ଷ ସରକାରୀ  ଚାକିରି ଦେବେ । ଏ  ପ୍ରତିଶ୍ରୁତି ପୂରଣ ଦିଗରେ  ସରକାର ପୂରା ଦମ୍‌ ଲଗାଇ  ଦେଇଛନ୍ତି । ଖାଲି ପଦବୀ ପୂରଣ  ନେଇ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି ।  ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼  ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରୀ ଚାକିରି ବୟସ  ସୀମା ୪୨କୁ ବୃଦ୍ଧି କରାଯାଇଛି । ଖାଲି ଏତିକି ନୁହେଁ,  ଶିଳ୍ପାୟନ, ଆଇଟି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ  ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି । ରୋଜଗାର ବୃଦ୍ଧି  ପାଇଁ ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରାଯାଇଛି । 

ବୃତ୍ତିଗତ ଶିକ୍ଷାର ବଢ଼ିଲା ସଂରକ୍ଷଣ
 

ଦାବି ଦୀର୍ଘ ବର୍ଷରୁ ଥିଲା । ପ୍ରୟାସ ବି ହୋଇଥିଲା । କିନ୍ତୁ, କୌଣସି ସରକାର  ଏହାକୁ କାର୍ଯ୍ୟକାରୀ କରିପାରିନଥିଲେ । ଇଞ୍ଜିନିୟରିଂ, ମେଡିକାଲ ସମେତ  ସମସ୍ତ ବୃତ୍ତିଗତ ଶିକ୍ଷା ନାମଲେଖାରେ ସଂରକ୍ଷଣ ବୃଦ୍ଧି କରି ଯୁଗାନ୍ତକାରୀ  ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । କ୍ୟାବିନେଟର ଏ ନିଷ୍ପତ୍ତିକୁ ତତ୍କାଳ  ଲାଗୁ କରିବା ଅଣ୍ଟା ଭିଡ଼ିଛି ବିଭାଗ । ଚଳିତ ଶିକ୍ଷା ବର୍ଷ (୨୦୨୬-୨୭) ରୁ ବୃତ୍ତିଗତ ଶିକ୍ଷାରେ ନାମଲେଖା ପାଇଁ ଲାଗୁ ହେବ ବର୍ଦ୍ଧିତ ସଂରକ୍ଷଣ  ବ୍ୟବସ୍ଥା । ଏଇ ବର୍ଷରୁ ହିଁ ବୃତ୍ତିଗତ ଶିକ୍ଷା ନାମଲେଖାରେ ଅନୁସୂଚିତ  ଜନଜାତି (ଏସ୍‌ଟି)ଙ୍କୁ ୨୨.୫%, ଅନୁସୂଚିତ ଜାତି (ଏସ୍‌ସି)ଙ୍କୁ ୧୬.୨୫%,  ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ୧୧.୨୫%  ସଂରକ୍ଷଣ ମିଳିବ । ସବୁଠାରୁ ବଡ଼ କଥା ହେଲା, ପଛୁଆ ବର୍ଗ ଛାତ୍ରଛାତ୍ରୀ  ପ୍ରଥମ ଥର ପାଇଁ ବୃତ୍ତିଗତ ଶିକ୍ଷାରେ ଏହି ସଂରକ୍ଷଣ ପାଇବେ ।  ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି ।  ସେହିପରି ନୂଆ ସରକାର ଆସିବା ପରେ ଉଚ୍ଚଶିକ୍ଷାରେ ଏସ୍‌ଇବିସି  ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ଲାଗୁ ହୋଇଛି ।  ଯାହା ଆଗରୁ ନଥିଲା । ସ୍ନାତକ, ସ୍ନାତକୋତ୍ତର, ଆଇନ ପାଠ୍ୟକ୍ରମ, ଯୁକ୍ତ  ଦୁଇ, ଧନ୍ଦାମୂଳକ ପାଠ୍ୟକ୍ରମ ଆଦିରେ ଏହି ସଂରକ୍ଷଣ ଲାଗୁ ହୋଇଛି ।

ଝିଅ ବାହାଘର ପାଇଁ ସାହ

ଗରିବ ପରିବାରକୁ  ଝିଅ ବିବାହ ପାଇଁ ସାହା  ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।  ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ  କନ୍ୟା ବିବାହ ଯୋଜନା ।  ଏହି ଯୋଜନାରେ କନ୍ୟା  ବିବାହ ପାଇଁ ୬୦ ହଜାର  ଟଙ୍କାର ସହାୟତା ଯୋଗାଇ  ଦିଆଯାଉଛି । ଏବେ ସୁଦ୍ଧା ୧୩୮୦  ଝିଅଙ୍କର ବିବାହ ସମ୍ପନ୍ନ ହୋଇପାରିଛି  ସରକାରଙ୍କ ଏହି ସହଯୋଗ ପାଇଁ ।  ସରକାରଙ୍କ ଏଭଳି ଯୋଜନାକୁ ଗରିବ  ସାଧାରଣ ପରିବାର ବେଶ୍‌ ପ୍ରଶଂସା କରିଛନ୍ତି ।

ଆୟୁଷ୍ମାନ ଭବଃ

ସୁସ୍ଥ ଓଡ଼ିଶା ଗଠନ ପାଇଁ ମୋହନ ସରକାର ନେଇଛନ୍ତି ବ୍ୟାପକ  ପଦକ୍ଷେପ । ପଣ କରିଛନ୍ତି, ଅର୍ଥ ଅଭାବ କାରଣରୁ କେହି ଯେମିତି  ଚିକିତ୍ସା ସେବାରୁ ବଞ୍ଚିତ ହେବେନି । ସଭିଙ୍କ ଦୀର୍ଘ ଆୟୁଷ ପାଇଁ   ଓଡ଼ିଶାବାସୀଙ୍କୁ ମିଳିଛି ଆୟୁଷ୍ମାନ କାର୍ଡ । ନୂଆ ସରକାର ଗଠନ  ପରେ ୨୦୨୫ ଏପ୍ରିଲରୁ ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ  ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏବେ ସୁଦ୍ଧା ୧  କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ହିତାଧିକାରୀଙ୍କୁ  ଏହି ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିପାରିଛି । ଖାଲି  ସେତିକି ନୁହେଁ, ବରିଷ୍ଠ ନାଗରିକଙ୍କ ପାଇଁ ଆସିଛି ବୟୋ ବନ୍ଦନା  ଯୋଜନା । ୭୦ ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ଓ ବୃଦ୍ଧା ଏହି ଯୋଜନାରେ  ମାଗଣା ଚିକିତ୍ସା ସେବା ପାଇ ପାରୁଛନ୍ତି ।

ରାଜ୍ୟର ୨୨ ଲକ୍ଷ ୪୧  ହଜାର ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି । ଏହି କାର୍ଡ  ବଳରେ ଦେଶର ୩୨ ହଜାରରୁ ଅଧିକ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ହିତାଧିକାରୀ । ଖାଲି ସେବା ନୁହେଁ, ଡାକ୍ତର ଅଭାବ  ଦୂର କରିବାକୁ ମୋହନ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।  ୫୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ନିଯୁକ୍ତ ହୋଇଛନ୍ତି ।  ନୂଆ ପଦବୀ ସୃଷ୍ଟି ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଦିଗରେ ନିଆଯାଇଛି   ଅନେକ ଉଲ୍ଲେଖନୀୟ ପଦକ୍ଷେପ । ଆମ ହସ୍ପିଟାଲ ଢାଞ୍ଚାରେ ଆୟୁଷ  ହସ୍ପିଟାଲର ଭିତ୍ତିଭୂମି ସଶକ୍ତ କରାଯାଉଛି । ରାଜ୍ୟରେ ୯ଟି ନୂଆ  ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ସରକାର ଚଳିତ ରାଜ୍ୟ  ବଜେଟରେ ୨୨ ହଜାର କୋଟି ଟଙ୍କା ପ୍ରାବଧାନ କରାଯାଇଛି । ୮ଟି  ନର୍ସିଂ କଲେଜ ବି ଘୋଷଣା ହୋଇଛି । ବିଭିନ୍ନ ଜିଲ୍ଲାରେ ପିପିପି  ମୋଡରେ ଆଫଡେବୁଲ୍‌ ହେଲଥ କେୟାର ପ୍ରୋଜେକ୍ଟ ଆରମ୍ଭ  କରାଯାଇଛି । କେବଳ ଭୁବନେଶ୍ୱର କି କଟକ ନୁହେଁ, ଗାଁ ସ୍ତରରେ  ଚିକିତ୍ସା ସେବା ଓ ଭିତ୍ତିଭୂମିରେ ଆସିଛି ବିରାଟ ପରିବର୍ତ୍ତନ ।

ଡବବ ଇଞ୍ଜିନର ହାଇସ୍ପିଡ୍ କରିଡ଼ର

ଡବବ ଇଞ୍ଜିନ ସରକାରର  ଲାଭ ପାଇଛି ଓଡ଼ିଶା । ଯେତେବେଳେ ରାଜ୍ୟ  ଯାହା ଦାବି କରିଛି, କେନ୍ଦ୍ରରୁ ସବୁଜ ସଙ୍କେତ ଦେଖାଇଛନ୍ତି ମୋଦି  ସରକାର । ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶାର ଉପକୂଳ ରାଜପଥ  (କୋଷ୍ଟାଲ ହାଇୱେ) ପ୍ରକଳ୍ପକୁ ମିଳିଛି କ୍ୟାବିନେଟ ଅନୁମୋଦନ ।  ଏବେ ତ୍ୱରିତ ଗତିରେ ଆଗକୁ ବଢ଼ିବ ପ୍ରକଳ୍ପ । ଖୋର୍ଦ୍ଧା ରାମେଶ୍ୱରରୁ  ପାରାଦୀପ ପର୍ଯ୍ୟନ୍ତ ସଂଯୋଗ ହେବ ନୂଆ ହାଇସ୍ପିଡ କରିଡର ।  ଯାତ୍ରା ଅବଧି କମିଯିବ ଅଢ଼େଇ ଘଣ୍ଟା । ଖାଲି ସେତିକି ନୁହେଁ,  ଆଗକୁ ପାରାଦୀପରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଦେଇ ଦୀଘା  ପର୍ଯ୍ୟନ୍ତ ଲମ୍ବିବ କୋଷ୍ଟାଲ ହାଇୱେର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ । ଏ  ଦିଗରେ ବି ପ୍ରକ୍ରିୟା ଜାରି ରହିଛି । ସେହିପରି କ୍ୟାପିଟାଲ ରିଜନ  ରିଙ୍ଗରୋଡ ପ୍ରକଳ୍ପ ବି ସବୁ ମଞ୍ଜୁରୀ ପାଇଁ ଆଗେଇ ଚାଲିଛି । ଏହି  ପ୍ରକଳ୍ପ ହେଲେ ଖୋର୍ଦ୍ଧା ପଟୁ ସିଧା କଟକ ଟାଙ୍ଗୀ ଯାଏ ନୂଆ କରିଡର  ଫିଟିବ । ଏହି ଦୁଇ ପ୍ରକଳ୍ପ ବାଦ୍‌ ପୁରୀ-ଭୁବନେଶ୍ୱର ଏନଏଚ  ପ୍ରଶସ୍ତିକରଣ ପ୍ରକ୍ରିୟା ବି ଆଗେଇଛି । ସେହିପରି ଓଡ଼ିଶା ପାଇଁ  ଆହୁରି କିଛି ଏନଏଚ ପ୍ରକଳ୍ପ ମଧ୍ୟ ହାତକୁ ନେଇଛନ୍ତି ସରକାର ।