ଭୁବନେଶ୍ୱର,୧୨/୧୧: ଋତୁସ୍ରାବ ସମୟରେ ମହିଳାମାନେ ବହୁ ପ୍ରକାରର ଶାରୀରିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଅସୁବିଧା ଓ କଷ୍ଟକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଏହି ସମୟରେ ବିଶ୍ରାମ ଦେବା ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀମାନେ ଏଣିକି ବର୍ଷକୁ ୧୨ ଦିନ ଋତୁସ୍ରାବ ଛୁଟି ବା ଅତିରିକ୍ତ ସାମୟିକ ଛୁଟି ପାଇପାରିବେ । ସୋମବାରଠାରୁ ଏହି ନୂଆ ନିୟମ ଲାଗୁ ହେବ । ଏ ନେଇ ସୋମବାର ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ସୁବିଧା ସରକାରୀ ମହିଳା କର୍ମଚାରୀଙ୍କୁ ୫୫ବର୍ଷ ବୟସ ପୂରଣ ହେବା ଯାଏ ମିଳିପାରିବ । ଏଥିପାଇଁ ସେମାନେ ମାସକୁ ଗୋଟିଏ ଅତିରିକ୍ତ ଛୁଟି ନେଇପାରିବେ । ଯଦି ସେମାନେ ସେହି ଛୁଟି ନ ନିଅନ୍ତି, ପରମାସ ଛୁଟିରେ ମିଶିବ ନାହିଁ । ଏଥିସହ ପୂର୍ବରୁ ମିଳୁଥିବା ୧୦ ଦିନ ସାମୟିକ ଛୁଟି ଓ ୫ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି (ସ୍ପେଶାଲ ସିଏଲ୍) ମଧ୍ୟ ପାଇବେ । ପୂର୍ବରୁ ମିଳୁଥିବା ୧୦ଦିନର ଅତିରିକ୍ତ ସାମୟିକ ଛୁଟିକୁ ୧୨ ଦିନକୁ ବୃଦ୍ଧି କରାଯାଇଛି ।
ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ଘୋଷଣା କରିଥିଲେ ଯେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ଛୁଟି ମାସକୁ ଦିନେ ଲେଖାଏ ମିଳିବ । ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ନିଷ୍ପତ୍ତିରେ ମୋହର ମାରିଥିଲେ ।