ଭୁବନେଶ୍ୱର, ୩୧/୦୧: ସରକାର ନିର୍ଦ୍ଦେଶ ଦେଲେ । ଆଇଏଏସ୍‌ ବାବୁଙ୍କ ଭିତରେ ବାଣ୍ଟିଲେ ଜିଲ୍ଲା । ପ୍ରତି ମାସରେ ଦୁଇ ତିନି ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯାଇ ଗାଁକୁ ଯିବେ । ବିକାଶମୂଳକ କାମ ସହ  ସରକାରୀ ଯୋଜନାର ତଦାରଖ କରିବେ । ମାତ୍ର ଏ  ସରକାରୀ ନିର୍ଦ୍ଦେଶ ବାବୁମାନଙ୍କ ପାଇଁ ପାଲଟିଗଲା ପାଣିର ଗାର । ଅଧିକାଂଶ ଜିଲ୍ଲାକୁ ବାବୁମାନେ ଆଦୌ  ଯାଇନାହାନ୍ତି । କିଛି ଜିଲ୍ଲାକୁ ଗତ ୫ ମାସ ମଧ୍ୟରେ କିଏ ଥରେ ଯାଇଛନ୍ତି । କିଏ ଦିନକ ପାଇଁ ତ ଆଉ କିଏ  ଓଳିଏରେ କାମ ସାରି ଦେଇଛନ୍ତି । ଯିଏ ବି ଗସ୍ତ କରିଛନ୍ତି କୁନ୍ଥକୁନ୍ଥ ହୋଇ । ଆଗ୍ରହ ନାହିଁ କି ଆନ୍ତରିକତା । 

ବିକଶିତ ଓଡ଼ିଶା ଗଠନ କରିବାକୁ ନୂଆ ସରକାର  ନକ୍ସା ପ୍ରସ୍ତୁତ କରୁଥିଲା ବେଳେ ଆମ ବାବୁମାନେ କିନ୍ତୁ  ଗାଁ କୁ ଯିବାକୁ ପୂରା ଅମଙ୍ଗ । ନୂଆ ସରକାର ଆସିବା  ପରେ ବ୍ୟବସ୍ଥାକୁ ବଦଳାଇବାକୁ ନିଷ୍ପତ୍ତି ନେଲେ ।  ସେପ୍ଟେମ୍ବର ମାସରେ ସରକାରୀ ନିର୍ଦ୍ଦେଶ ବାହାରିଲା ।  ୩୦ ଆଇଏଏସ୍‌ ଅଧିକାରୀଙ୍କୁ ଜିଲ୍ଲା ବଣ୍ଟାଗଲା । ଜିଲ୍ଲା  ବୁଲିବେ ସଚିବ । ପ୍ରତି ମାସରେ ଦୁଇରୁ ତିନି ଦିନ  ନିଶ୍ଚିତ ଜିଲ୍ଲାକୁ ଯିବେ । ପଞ୍ଚାୟତକୁ ଯିବେ । ଯୋଜନାର  ତଦାରଖ କରିବେ । ଯେଉଁଠିକୁ ଚାହିଁବେ ଅଚାନକ  ପରିଦର୍ଶନ କର ସତ ମିଛ ଜାଣିପାରିବେ । ଅପହଞ୍ଚ  ଓ ଆଦିବାସୀ ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି  ପହଞ୍ଚିଛି, ତାକୁ ନିଜ ଆଖିରେ ଦେଖିବେ । ସରକାରୀ  ଯୋଜନାରେ ଲୋକେ ମୌଳିକ ସୁବିଧା ପାଉଛନ୍ତି ନା’  ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । ଅନାଥାଶ୍ରମ କିମ୍ବା  ଆହାର କେନ୍ଦ୍ରରେ ବାବୁ ମଧ୍ୟାହ୍ନ ଭୋଜନ ଖାଇବେ ।  ଯାଞ୍ଚ କରିବେ ଖାଦ୍ୟର ଗୁଣବତ୍ତା । ପରିଷ୍କାର, ପରିଚ୍ଛନ୍ନତା  ଓ ସୁରକ୍ଷା ଦିଗକୁ ପରଖିବେ । କାର୍ଯ୍ୟକାରୀ ହେଉଥିବା  ଯୋଜନାର ଟିକିନିଖି ସମୀକ୍ଷା ହେବ । ଅଭିଯୋଗ  ଶୁଣାଣିରେ କେତେ ସମାଧାନ ହୋଇଛି ତାହାକୁ ମଧ୍ୟ  ଯାଞ୍ଚ କରିବେ ସଚିବ । ଏ ନିର୍ଦ୍ଦେଶ କିନ୍ତୁ କାଟୁ କରୁନି । 

ସେପ୍ଟେମ୍ବରରୁ ଜାନୁଆରୀ । ୫ ମାସ ବିତିଲାଣି ।  ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଡବଲ ଇଞ୍ଜିନ  ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ  ମଧ୍ୟ ନେଇଛନ୍ତି । ତୃଣୂମଳ ସ୍ତରରେ କାର୍ଯ୍ୟକାରୀ  ପ୍ରକଳ୍ପର ଗୁଣାତ୍ମକ ମାନ ସହ ଜନକଲ୍ୟାଣ  ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀ ପାଉଛନ୍ତି  ନା ନାହିଁ ତାହାକୁ ନେଇ ସରକାର ଅନ୍ଧାରରେ ।  ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ  ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ  ଲୋକଙ୍କ ପାଖକୁ ଯିବାର ଢେର୍‌ ଆବଶ୍ୟକତା  ରହିଛି । ନିଃସନ୍ଦେହରେ ଲୋକସେବା ଭବନର  ବାବୁମାନେ ଜିଲ୍ଲା ଗସ୍ତରେ ଗଲେ ତାର ସୁଦୂରପ୍ରସାରୀ  ପ୍ରଭାବ ଜିଲ୍ଲା ଉପରେ ପଡ଼ନ୍ତା । ଦୀର୍ଘମିଆଦି ଭାବେ  ଜିଲ୍ଲାଗୁଡ଼ିକ ଏହାର ଲାଭ ଉଠାଇପାରନ୍ତେ। ମାତ୍ର  ଗାଁ ମାଟି ମାଡ଼ିବାକୁ ବାବୁଙ୍କ ଅନାଗ୍ରହ ଲାଗି ରହିଛି ।  

ବିଭିନ୍ନ ଜିଲ୍ଲାରୁ ଆମ ପ୍ରତିନିଧିଙ୍କ ସୂଚନା କହୁଛି,  କାଁ ଭାଁ ବାବୁ ଜିଲ୍ଲା ଗସ୍ତ କରିଛନ୍ତି । କିଏ କେବଳ  ସମୀକ୍ଷା ବୈଠକ କରିଛନ୍ତି । ଆଉ କିଏ ଜିଲ୍ଲା ମୁଖ୍ୟାଳୟ  ନିକଟରେ ଥିବା ଗାଁଟିଏ ବୁଲି ରାଜଧାନୀ ବାହୁଡ଼ିଛନ୍ତି ।  ଯୋଜନା ଓ ସଂଯୋଜନା ବିଭାଗର ମାର୍ଗଦର୍ଶିକା କହୁଛି,  ୧୬ ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍‌ ଆଇଏଏସ୍‌  ଅଧିକାରୀ ବୁଲିବେ । ୮ ଡିଏମ୍‌ଏଫ୍‌ ଜିଲ୍ଲାରେ ଜିଲ୍ଲା  ଖଣିଜ ପାଣ୍ଠି ଓ ଓମ୍ବାଡ୍‌ସି ପାଣ୍ଠିର କିଭଳି ବିନିଯୋଗ  ହୋଇଛି, ତାର ତଦାରଖ କରିବେ । ଜିଲ୍ଲାରେ ଥିବା  ବନ୍ଦର, ବିମାନବନ୍ଦର, ଶିଳ୍ପପାର୍କ, ମେଡିକାଲ କଲେଜ  ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟ ସଚିବଙ୍କୁ  ରିପୋର୍ଟ ଦେବେ । ବାବୁମାନେ ନୂଆ ସରକାରଙ୍କ  ଏ ନିର୍ଦ୍ଦେଶକୁ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି । 

ବାବୁମାନଙ୍କ ଉଦାସୀନତା ଆଦିବାସୀବହୁଳ  ଓ ଦୁର୍ଗମ ଅଞ୍ଚଳର ବିକାଶ ରାସ୍ତାରେ ପ୍ରତିବନ୍ଧକ  ହୋଇ ଛିଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ମଧ୍ୟ ହାତବାନ୍ଧି ବସିଛି । ବିକଶିତ ଓଡ଼ିଶା ଗଠନ  ପାଇଁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଜରୁରି ।