ଭୁବନେଶ୍ୱର,୨୨/୦୬: ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନାରେ ସହଯୋଗ  କରୁନାହାନ୍ତି । ଜମା ଅନୁପାତରେ ଋଣ  ଆବଣ୍ଟନ କରୁନାହାନ୍ତି। ବାର୍ଷିକ ଋଣ  ଲଗାଣ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ଛୁଉଁନି । ତେଣୁ  ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ଏବଂ  ଆକ୍ସିସ ବ୍ୟାଙ୍କରେ କୌଣସି ସରକାରୀ ଜମା ଥିଲେ ତାକୁ ତୁରନ୍ତ ଅନ୍ୟତ୍ର ରଖ । ଏ  ବ୍ୟାଙ୍କରେ ଜମାଖାତା ଯଥାଶୀଘ୍ର ବନ୍ଦ କରି  ଅନ୍ୟ ସରକାରୀ ତାଲିକାଭୁକ୍ତ ବ୍ୟାଙ୍କରେ ପାଣ୍ଠି ରଖିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ  ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି । 

ଅର୍ଥ  ବିଭାଗ ସ୍ପଷ୍ଟ ଦର୍ଶାଇଛି, ଯଦି ଏ ୩ ବ୍ୟାଙ୍କରେ  ସରକାରୀ ପାଣ୍ଠି ସ୍ଥାୟୀ ଜମା ଭାବେ ଥିବ  ତେବେ ତାହା ବନ୍ଦ ହେବନି । ସରକାର ସୁଧ ହରାଇବେ । ମାତ୍ର ସ୍ଥାୟୀ ଜମାର ମିଆଦ  ପୂରିବା ମାତ୍ରେ ଜମା ଟଙ୍କା ଉଠାଣ କରି ଅନ୍ୟ  ବ୍ୟାଙ୍କରେ ବିଭାଗ ରଖିବ । ଏ ନିର୍ଦ୍ଦେଶକୁ ସମସ୍ତ ବିଭାଗ ତୁରନ୍ତ  କାର୍ଯ୍ୟକାରୀ କରିବେ । ଏଥିରେ ସାମାନ୍ୟତମ  ଅବହେଳାକୁ ବରଦାସ୍ତ କରାଯିବନି ।  ତେଣୁ ଚିଠି ପାଇବାମାତ୍ରେ ବିଭାଗଗୁଡ଼ିକ  ଉପରୋକ୍ତ ୩ ବ୍ୟାଙ୍କରୁ ଜମା ପାଣ୍ଠି ଉଠାଣ  କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।