ଭୁବନେଶ୍ୱର,୦୬/୧୦: ସାରା  ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ହେବ  ବଡ଼ ବିପଦ ହୋଇ ଛିଡ଼ା ହେଲାଣି ।  ଏହାର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ  (ଓସ୍‌ଡମା) ଅଣ୍ଟା ଭିଡ଼ିଛି । ଏଥିପାଇଁ  ଓସ୍‌ଡମାର ହେବ ନବକଳେବର ।  ବଦଳିବ ଢାଞ୍ଚା । ଖୋଲିବ ୪ ନୂଆ  ଡିଭିଜନ । ବଢ଼ିବେ ମାନବ ସମ୍ବଳ । ସୃଷ୍ଟି  ହେବ ୩୭ ନୂଆ ପଦବୀ । 

୧୯୯୯ ମହାବାତ୍ୟାରେ ଓଡ଼ିଶା  ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଜୀବନ  ହରାଇଥିଲେ ୧୦ ହଜାରରୁ ଅଧିକ ।  କ୍ଷୟକ୍ଷତି ଆକଳନଠାରୁ ଢେର ଅଧିକ  ଥିଲା । ଏହା ପରବର୍ତ୍ତୀ ବିପର୍ଯ୍ୟୟ  ମୁକାବିଲା ପାଇଁ ଓସ୍‌ଡମା ଗଢ଼ି ଓଡ଼ିଶା  ସାରା ଦେଶକୁ ଦେଇଥିଲା ମଡେଲ୍‌ ।  ପରବର୍ତ୍ତୀ ସମୟରେ ଯେତେ ବାତ୍ୟା,  ବାତ୍ୟା ଓଡ଼ିଶା ମୁହାଁ ହୋଇଛି, ଓସ୍‌ଡମା  ଦେଖାଇଛି ଦକ୍ଷତା । ପୂର୍ବରୁ ବିପର୍ଯ୍ୟୟ  ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବାକୁ  ପଡ଼ୁଥିଲା । ଏବେ ଅଚାନକ ବିପଦ ମାଡ଼ି  ଆସୁଛି । ତେଣୁ ପୁରୁଣା ଢାଞ୍ଚା ଛାଡ଼ି  ଏବେ ନୂଆ ଢାଞ୍ଚା ଆଣିବ ଓସ୍‌ଡମା ।  ଜାତୀୟ ବିପର୍ଯ୍ୟୟ ମୁକାବିଲା ଢାଞ୍ଚାରେ  ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ  ନୂଆ ନୂଆ ଜ୍ଞାନ କୌଶଳ ଉପଯୋଗ  କରାଯିବ । 

ଏଥିପାଇଁ ମାନବ ସମ୍ବଳର  ଦକ୍ଷତା ବୃଦ୍ଧି କରାଯିବ । ୪ଟି ଡିଭିଜନ  ମଧ୍ୟରେ ଜେନେରାଲ ଡିଭିଜନ, କାର୍ଯ୍ୟ  ଦକ୍ଷତା ବୃଦ୍ଧି, ପ୍ରକଳ୍ପ ଓ ବୈଷୟିକ ଜ୍ଞାନ  କୌଶଳ, ଅର୍ଥ ଡିଭିଜନ ରହିବ । ପ୍ରତି  ଡିଭିଜନରେ ଜଣେ ଲେଖାଏଁ ନିର୍ବାହୀ  ନିର୍ଦ୍ଦେଶକ (ଆଇଏଏସ୍‌ କିମ୍ବା ଓଏଏସ୍‌)  ରହିବେ । ପ୍ରତି ବିଭାଗରେ ବୈଷୟିକ  ଜ୍ଞାନ ଥିବା ବିଶେଷଜ୍ଞ, କନସଲଟାଣ୍ଟ  ନିଯୁକ୍ତ ହେବେ । ପ୍ରକଳ୍ପ ଓ ବୈଷୟିକ  ଜ୍ଞାନ କୌଶଳ ଡିଭିଜନର ନିର୍ବାହୀ  ନିର୍ଦ୍ଦେଶକ ଜଣେ ଯନ୍ତ୍ରୀ ରହିବେ, ଯିଏକି  ରାଜ୍ୟ ସରକାରଙ୍କ ଯନ୍ତ୍ରୀ ହୋଇଥିବେ  କିମ୍ବା କେନ୍ଦ୍ର ଟେଲିକମ ବିଭାଗରୁ ଆସିବେ । ଅର୍ଥ ବିଭାଗର ନିର୍ବାହୀ  ନିର୍ଦ୍ଦେଶକ ଓଏଫଏସ୍‌ ପାହ୍ୟାରେ  ହେବେ । ବର୍ତ୍ତମାନ ଓଏସ୍‌ଡମାରେ  ୧୦୨ଜଣ କର୍ମଚାରୀ ଅଛନ୍ତି । ଏଥିରୁ  ୧୦ଟି ପଦବୀ ଉଚ୍ଛେଦ ହେବ । ୩୭ଟି  ନୂଆ ପଦବୀ ସୃଷ୍ଟି କରାଯିବା ସହ ମୋଟ  ପଦବୀ ସଂଖ୍ୟା ୧୨୯ ହେବ।